Advertisment

ଗାଜାରେ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ; ଯୁଦ୍ଧରେ ଲାଗିବ ବ୍ରେକ୍‌, ହେବ ଟିକାକରଣ

୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଗାଜାରେ ଜଣେ ଶିଶୁ ପୋଲିଓରେ ସଂକ୍ରମିତ ହୋଇଥିବା ଘଟଣା ସାମନାକୁ ଆସିଛି।

author-image
Niharika Rout
Gaza

Gaza

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଛିନଛତ୍ର ହେବାକୁ ବସିଲାଣି ଗାଜା। ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଏବେ ସୁଦ୍ଧା ୪୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏହି ଯୁଦ୍ଧରେ ଫସିଥିବା ଲୋକ ଏବେ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ଏପରିକି ସେଠାକାର ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଗଲାଣି। କାରଣ ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଗାଜାରେ ଜଣେ ଶିଶୁ ପୋଲିଓରେ ସଂକ୍ରମିତ ହୋଇଥିବା ଘଟଣା ସାମନାକୁ ଆସିଛି।

Advertisment

ତେବେ ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗାଜାରେ ଜାରି ଲଢ଼େଇରେ ସୀମିତ ସମୟ ପାଇଁ ବିରାମ ଦେବା ନିମନ୍ତେ ଇସ୍ରାଏଲକୁ କହିଛି । କାରଣ ଏହା ମଧ୍ୟରେ ଗାଜାରେ ଥିବା ଲକ୍ଷ ଲକ୍ଷ ଶିଶୁଙ୍କୁ ପୋଲିଓ ଟିକା ଦିଆଯିବ ।

ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିନିଧି ରିକ ପିପରକର୍ଣ୍ଣ କହିଛନ୍ତି, ଯୁଦ୍ଧଗ୍ରସ୍ତ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ୩ ଦିନର ବିରାମ ଅବଧି ମଧ୍ୟରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ କରାଯିବ । ଆସନ୍ତା ରବିବାରଠୁ ସେଠାରେ ପିଲାଙ୍କୁ ଟିକାକରଣ କରାଯିବ । ଏହାପରେ ଦକ୍ଷିଣ ଗାଜାରେ ୩ ଦିନ ଓ ପରେ ଉତ୍ତର ଗାଜାରେ ୩ ଦିନର ଯୁଦ୍ଧ ବିରାମ ଲାଗୁ ହେବ । ୧୦ ବର୍ଷରୁ କମ୍‌ ବୟସର ୬ଲକ୍ଷ ୪୦ ହଜାର ଶିଶୁଙ୍କୁ ଏହା ମଦ୍ୟରେ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଆବଶ୍ୟକ ପଡ଼ିଲେ ଏହି ସମୟ ସୀମାକୁ ବୃଦ୍ଧି କରାଯାଇପାରେ ବୋଲି ସେ କହିଛନ୍ତି ।

Advertisment

ଗତ ବର୍ଷ ଅକ୍ଟୋବର ୭ରେ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ଘନଘନ ରକେଟ ମାଡ଼ କରିଥିଲେ। ଏଥିରେ ପ୍ରାୟ ୧୧୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସେମାନେ ଇସ୍ରାଏଲରୁ ୨୫୦ ଜଣଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ଇସ୍ରାଏଲ ସେନା ଗାଜା ସମେତ ପାଲେଷ୍ଟାଇନର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଚାଲିଛି।

Israel Hamas Gaza