ଭିସା
ନିଜର ବୟାନ ଓ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହି ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଏବେ ଆଉ ଏକ ଅଜବ ନିୟମ ପ୍ରଣୟନ କରିଛନ୍ତି। ଆମେରିକାରେ ରହିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ସେ ଗୋଟିଏ କଠୋର ତଥା ଚକିତ କରିବା ଭଳି ନିଷ୍ପତ୍ତି ନେଇଛନ୍ତି।
ମଧୁମେହ, ମେଦବହୁଳତା ଓ ହାର୍ଟ ଜନିତ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଆମେରିକା ଏଣିକି ଭିସା ଓ ଗ୍ରୀନ କାର୍ଡ ଦେବାକୁ ମନା କରି ଦେଇପାରେ। ଏପରି ନୂଆ ଗାଇଡଲାଇନ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏପରି ନିର୍ଦ୍ଦେଶନାମା ବିଶ୍ୱର ବିଭିନ୍ନ ଦେଶରେ ଥିବା ଆମେରିକା ଦୂତାବାସକୁ ବୈଦଶିକ ମନ୍ତ୍ରଣାଳୟ ପକ୍ଷରୁ ପଠା ଯାଇଛି। ଏଣିକି ଆବେଦନକାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଯାଞ୍ଚ କରିବା ପରେ ଭିସା ଅଧିକାରୀମାନେ ସେମାନଙ୍କୁ ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ କି ନାହିଁ, ତା’ର ନିଷ୍ପତ୍ତି ନେବେ। କିନ୍ତୁ ଆମେରିକାକୁ ଭ୍ରମଣ କରିବାକୁ ଯାଉଥିବା ଲୋକଙ୍କ କ୍ଷେତ୍ରରେ ଟ୍ରମ୍ପଙ୍କ ଏପରି ଅଜବ ନିୟମ ଲାଗୁ ହେବ କି ନାହିଁ, ସେନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ।
ତେବେ ହୃଦରୋଗ, ଶ୍ୱାସ ରୋଗ, କର୍କଟ, ମଧୁମେହ, ମୋଟାପଣ, ଉଚ୍ଚ ରକ୍ତ ଚାପ, ସ୍ନାୟୁ ଜନିତ ରୋଗ ଓ ମାନସିକ ରୋଗରେ ପୀଡ଼ିତ ଲୋକଙ୍କ ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ କେବଳ ଉଲ୍ଲେଖ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ଉପରେ କଟକଣା ସୀମିତ ନୁହେଁ।
ବୈଦେଶିକ ବିଭାଗ ନିର୍ଦ୍ଦେଶନାମାରେ ଅଧିକାରୀମାନଙ୍କୁ ବିଶେଷ କରି ମୋଟାପଣ ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। କାରଣ ମୋଟାପଣ ଯୋଗୁ ଆସ୍ଥାମା, ଶୋଇବା ସମସ୍ୟା ଓ ଉଚ୍ଚ ରକ୍ତ ଚାପ ଭଳି ଜଟିଳତା ମଧ୍ୟ ସୃଷ୍ଟି ହୋଇପାରେ। ତେଣୁ ଭିସା ଅନୁମତି ବେଳେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି।
ଏପରି ନିର୍ଦ୍ଦେଶନାମା ପଛରେ ଟ୍ରମ୍ପ ଅଜବ ଯୁକ୍ତି ମଧ୍ୟ ରଖିଛନ୍ତି। ତାଙ୍କ ପ୍ରଶାସନର କହିବା କଥା ଯେ ଏଭଳି ରୋଗରେ ପୀଡ଼ିତ ଥିବା ଲୋକମାନେ ଭବିଷ୍ୟତରେ ଆମେରିକାର ଆର୍ଥିକ ବୋଝ ପାଲଟିବେ। ତେଣୁ ଏବେ ଠାରୁ ହିଁ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଆମେରିକା ପ୍ରବେଶ ଉପରେ ଟ୍ରମ୍ପ ପ୍ରଶାସନ ରୋକ ଲଗାଇବାକୁ ଚାହୁଁଛନ୍ତି।
ଅନ୍ୟପକ୍ଷରେ ଏପରି ନିର୍ଦ୍ଦେଶନାମା ଟୁରିଷ୍ଟ କିମ୍ବା ଶିକ୍ଷାର୍ଥୀ ଭିସା ପାଇଁ ଆବେଦନ କରୁଥିବା ଲୋକଙ୍କ ଉପରେ ଲାଗୁ ହେବ କି ନାହିଁ ଜଣାପଡ଼ିନି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଟେକ୍ନିକାଲୀ ଦେଖିଲେ ଏହା ପର୍ଯ୍ୟଟନ(ବି-୧/ବି-୨) ଓ ପାଠପଢ଼ା(ଏଫ୧) ଭିସା ଆବେଦନ ପାଇଁ ଲାଗୁ ହେବ। ବିଶେଷଜ୍ଞଙ୍କ କହିବା କଥା ଯେ ଟ୍ରମ୍ପ ପ୍ରଶାସନ ପ୍ରକୃତରେ ଆମେରିକାରେ ସ୍ଥାୟୀ ବସବାସ କରିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କୁ ଦୃଷ୍ଟିରେ ରଖି ଏପରି ନିୟମ ପ୍ରଣୟନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/08/visa-2025-11-08-13-42-02.jpg)