ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବେଆଇନ ଭାବେ ସେଠାରେ ଶରଣାର୍ଥୀ ଭାବେ ରହୁଥିବା ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଟ୍ରମ୍ପ ଏବେ ବେଆଇନ ଶରଣାର୍ଥୀଙ୍କୁ ଖୋଜି ଖୋଜି ବାହାର କରିବା ସହ ସେମାନଙ୍କୁ ଆମେରିକାରୁ ବିଦା କରିବାରେ ଲାଗିଛନ୍ତି। ପ୍ରଥମ ଦଫାରେ ଟ୍ରମ୍ପ ପ୍ରଶାସନ ଆମେରିକାରେ ବେଆଇନ ଭାବେ ରହୁଥିବା ୨୦୫ ଜଣ ଭାରତୀୟଙ୍କୁ ବିଦା କରିଛନ୍ତି। ସେମାନଙ୍କୁ ଚିହ୍ନଟ କରି ଟ୍ରମ୍ପ ପ୍ରଶାସନ ସାମରିକ ବିମାନରେ ପଞ୍ଜାବର ଅମୃତସର ପଠାଇ ଦେଇଛନ୍ତି।
ବିଦା ହୋଇଥିବା ୨୦୫ ଜଣ ଭାରତୀୟ ଆବଶ୍ୟକ ଦସ୍ତାବିଜ ଦେଖାଇ ନ ପାରିବାରୁ ସେମାନଙ୍କୁ ସି-୧୭ ଏୟାରକ୍ରାଫ୍ଟରେ ସାନ ଆଣ୍ଟୋନିଓରୁ ଭାରତ ପଠାଯାଇଛି। ବେଆଇନ ଭାରତୀୟ ଶରଣାର୍ଥୀଙ୍କୁ ନେଇ ଆସୁଥିବା ବିମାନଟି ପ୍ରଥମେ ଜର୍ମାନୀର ରାମଷ୍ଟେନ ଏୟାରପୋର୍ଟରେ ଅବତରଣ କରିବ। ସେଠାରେ ଇନ୍ଧନ ଭରିବା ପରେ ଭାରତର ଅମୃତସର ଆସିବ।
୨୦୫ ଜଣ ଭାରତୀୟଙ୍କୁ ବିଦା କରାଯିବା କଥାକୁ ଏଯାଏ ଆମେରିକା ଦୂତବାସ ନିଶ୍ଚିତ କରିନାହିଁ। କିନ୍ତୁ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି ଯେ ଆମେରିକା ସରକାର ବେଶ ଗୁରୁତ୍ୱର ସହ ନିଜ ସୀମା ସୁରକ୍ଷା ବ୍ୟବସ୍ଥାକୁ ବିଚାର କରୁଛି। ଶରଣାର୍ଥୀ ଆଇନକୁ କଡ଼ାକଡ଼ି କରାଯାଉଛି ଓ ବେଆଇନ ଶରଣାର୍ଥୀଙ୍କୁ ଦେଶରୁ ବିଦା କରାଯାଉଛି।
ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ହିଁ ଆମେରିକା ଇତିହାସରେ ସବୁଠାରୁ ବଡ଼ ପ୍ରତ୍ୟର୍ପଣ ବ୍ୟବସ୍ଥା କରିବେ ବୋଲି କହିଥିଲେ। ସେହି ଅନୁସାରେ ସେ ଏବେ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ(ଆଇସିଇ) ବେଆଇନ ଭାବେ ଆମେରିକାରେ ରହୁଥିବା ଶରଣାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବାରେ ଲାଗିଛି। ବିନା କାଗଜପତ୍ରରେ ରହୁଥିବା ଭିନ୍ନ ଦେଶର ନାଗରିକଙ୍କୁ ଏହି ତାଲିକାରେ ସାମିଲ କରାଯାଉଛି।
ପ୍ରାଥମିକ ଭାବେ ପ୍ରସ୍ତୁତ ହୋଇଥିବା ତାଲିକାରେ ୧.୫ ମିଳିୟନ ବା ୧୫ ଲକ୍ଷ ଲୋକଙ୍କ ନାଁ ରହିଛି। ଏହି ୧୫ ଲକ୍ଷ ଲୋକଙ୍କ ମଧ୍ୟରେ ୧୮ ହଜାର ବେଆଇନ ଭାରତୀୟ ଶରଣାର୍ଥୀଙ୍କ ନାଁ ବି ଅଛି। ସେମାନଙ୍କୁ ପର୍ଯ୍ୟାୟକ୍ରମେ ଟ୍ରମ୍ପ ନିଜ ନିଜ ଦେଶକୁ ବିମାନ ଯୋଗା ବିଦା କରିବେ।
କୁହାଯାଉଛି ଯେ ଆମେରିକାରେ ବର୍ତ୍ତମାନ ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ସଂଖ୍ୟା ୭୨୫,୦୦୦। ମେକ୍ସିକୋ ଓ ଇଆଇ ସାଲଭାଡୋର ପରେ ବେଆଇନ ଭାରତୀୟଙ୍କ ସଂଖ୍ୟା ଆମେରିକାରେ ସର୍ବାଧିକ।
ବିଗତ ୩ ବର୍ଷ ହେଲାଣି ଆମେରିକାରେ ଶରଣ ମାଗୁଥିବା ଭାରତୀୟଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ୨୦୨୩ ନଭେମ୍ବର ମାସରେ ଆସିଥିବା ଗୋଟିଏ ତଥ୍ୟରୁ ଜଣାପଡ଼ିଛି ଯେ ଆମେରିକାରେ ଶରଣ ନେବାକୁ ଆବେଦନ କରିଥିବା ଭାରତୀୟଙ୍କ ସଂଖ୍ୟା ପୂର୍ବ ତୁଳନାରେ ୮୫୫% ବୃଦ୍ଧି ହୋଇଛି। ୨୦୨୧ ବର୍ଷରେ ୪,୩୩୦ ଜଣ ଭାରତୀୟ ଶରଣ ପାଇଁ ଆବେଦନ କରିଥିବା ବେଳେ ୨୦୨୩ ବେଳକୁ ଏହା ୪୧,୩୩୦ରେ ପହଞ୍ଚି ଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଜରାଟରୁ ଅଧିକ ଲୋକ ଭାରତ ଛାଡ଼ି ଆମେରିକାରେ ଶରଣ ନେବାକୁ ଆବେଦନ କରୁଛନ୍ତି। ୨୦୨୪ ଅକ୍ଟୋବରୟରେ ଜାରି 2023 Asylees Annual Flow Report କହୁଛି ଯେ ସେହି ବର୍ଷ ୫,୩୪୦ ଜଣ ଭାରତୀୟଙ୍କୁ ଆମେରିକାରେ ଶରଣ ମିଳିଛି। ଏମାନଙ୍କ ମଧ୍ୟରୁ ୧୭୧୦ ଜଣ ଆଫରମେଟିଭ ଓ ୨,୬୩୦ ଜଶ ଡିଫେନସିଭ ଆଶ୍ରୟ ଦ୍ୱାରା ଶରଣ ନେଇଛନ୍ତି। ଏବେ ଟ୍ରମ୍ପ ନୂଆ ନିର୍ଦ୍ଦେଶ ଜାରି କରିଥିବାରୁ ଆମେରିକାରେ ରହିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କୁ ବଡ଼ ଝଟକା ଲାଗିଛି।
କେଉଁମାନଙ୍କୁ ବିଦା କରାଯାଉଛି?
ଟ୍ରମ୍ପ ପ୍ରଶାସନ ବିନା ଦସ୍ତାବିଜ କିମ୍ବା ବେଆଇନ ଭାବେ ଆମେରିକାରେ ରହୁଥିବା ବାହାର ଦେଶର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଲାଟିନ ଆମେରିକାକୁ ଯାଉଥିବା ମିଲିଟାରୀ ପ୍ଲେନରେ ବର୍ତ୍ତମାନ ସୁଦ୍ଧା ଜୋ ବାଇଡେନଙ୍କ ସରକାର ସମୟରେ ଧରାପଡ଼ିଥିବା ଲୋକଙ୍କୁ ବିଦା କରାଯାଉଛି। ପ୍ରତ୍ୟର୍ପଣ କାମ ପାଇଁ ଟ୍ରମ୍ପ ପ୍ରଶାସନ ଉଭୟ ବ୍ୟବସାୟିକ ଓ ସାମରିକ ବିମାନ ନିୟୋଜିତ କରିଛନ୍ତି। ପେଣ୍ଟାଗନ କହିଛି, ଇଆଇ ପାସୋ, ଟେକ୍ସାସ , ସାନ ଡିଆଗୋ ଓ କାର୍ଲିଫର୍ଣ୍ଣିଆରୁ ୫ ହଜାର ଲୋକଙ୍କୁ ବିଦା କରାଯିବ। ସେହିପରି ବେଆଇନ ଶରଣାର୍ଥୀଙ୍କୁ ଧରି କିଛି ମିଲିଟାରୀ ବିମାନ ଗୁଏତମାଲା, ପେରୁ ଓ ହୁଣ୍ଡ୍ରସକୁ ମଧ୍ୟ ଯାତ୍ରା କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।