Advertisment

Middle East War: ରକ୍ତମୁଖା ଇରାନ: ବିଭିନ୍ନ ଦେଶରେ ଘନଘନ ଆକ୍ରମଣ ଜାରି, କୁଏତରେ ଖସିଲା ଆମେରିକା ଯୁଦ୍ଧ ବିମାନ

ବାହାରିନ ଠାରୁ ଆରମ୍ଭ କରି କୁଏତ, ୟୁଏଇ ଓ ସାଉଦି ଆରବ ଭଳି ଦେଶରେ ଥିବା ଆମେରିକା ସେନା ଘାଟିକୁ ଇରାନ ଟାର୍ଗେଟ କରୁଛି। ସେହିପରି ବିଭିନ୍ନ ଦେଶରେ ଥିବା ଆମେରିକା ଦୂତାବାସଗୁଡ଼ିକ ମଧ୍ୟ ଇରାନର ପାଲଟା ଆକ୍ରମଣରୁ ବର୍ତ୍ତି ନାହିଁ।

F-15

ଯୁଦ୍ଧ ବିମାନ ଖସିବା ବେଳର ଦୃଶ୍ୟ

Advertisment

ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲୀ ଖାମେନେଇ ଆମେରିକା-ଇସ୍ରାଏଲ ଷ୍ଟ୍ରାଇକରେ ନିହତ ହେବା ପରେ ରକ୍ତମୁଖା ହୋଇ ଉଠିଛି ଇରାନ। ସୁପ୍ରିମ ଲିଡରଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପଣ କରିଛି ଇରାନ। ଏଥିପାଇଁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକା ଓ ଇସ୍ରାଏଲର ସେନା ଠିକଣାକୁ ଟାର୍ଗେଟ କରିବାରେ ଲାଗିଛି ଇରାନ। ଘନଘନ ମିସାଇଲ ଓ ବୋମା ମାଡ଼ରେ ପୂରା ମଧ୍ୟପ୍ରାଚ୍ୟ(Middle East)କୁ ଅଶାନ୍ତ କରି ଦେଇଛି ଇରାନ।

Advertisment

ବାହାରିନ ଠାରୁ ଆରମ୍ଭ କରି କୁଏତ, ୟୁଏଇ ଓ ସାଉଦି ଆରବ ଭଳି ଦେଶରେ ଥିବା ଆମେରିକା ସେନା ଘାଟିକୁ ଇରାନ ଟାର୍ଗେଟ କରୁଛି। ସେହିପରି ବିଭିନ୍ନ ଦେଶରେ ଥିବା ଆମେରିକା ଦୂତାବାସଗୁଡ଼ିକ ମଧ୍ୟ ଇରାନର ପାଲଟା ଆକ୍ରମଣରୁ ବର୍ତ୍ତି ନାହିଁ। ଫ୍ରାନ୍ସ ଓ ବ୍ରିଟେନର କିଛି ସେନା ପ୍ରତିଷ୍ଠାନ ମଧ୍ୟ ଇରାନ ହମଲାରେ କ୍ଷତିଗ୍ରସ୍ତ ହୋଇଛି। ଇରାନର ଏପରି ଘନଘନ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପୂରା ବିଶ୍ୱରେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। 

ଏସବୁ ଭିତରେ ସମସ୍ତଙ୍କୁ ବିଚଳିତ କରିବା ଭଳି ଏକାଧିକ ଭିଡିଓ ସାମ୍ନାକୁ ଆସିଛି। କୁଏତରେ ଆମେରିକା ଯୁଦ୍ଧ ବିମାନ ଏଫ-୧୫କୁ ଇରାନ ଗୁଳି କରି ଖସାଇ ଦେଇଥିବା ଦାବି କରିବା ସହ ଗୋଟିଏ ଭିଡିଓ ମଧ୍ୟ ଜାରି କରିଛି। ମଝି ଆକାଶରେ ଏଫ-୧୫ ଯୁଦ୍ଧ ବିମାନ ନିଆଁ ପିଣ୍ଡୁଳା ପାଲଟି ଯାଇଥିଲେ ହେଁ ଏହା ମଧ୍ୟରେ ଥିବା ପାଇଲଟ ସୁରକ୍ଷିତ ରହିଛନ୍ତି।

Advertisment

ବିମାନ ଖସିବା ବେଳେ ସେ ସୁରକ୍ଷିତ ଏହା ମଧ୍ୟରୁ ବାହାରି ଯାଇଥିଲେ। ଏହାପରେ ସେ ତଳେ ପଡ଼ିଥିଲେ ହେଁ ତାଙ୍କୁ ଗୋଟିଏ କାର ମଧ୍ୟରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ବିମାନଟି କେମିତି କ୍ରାଶ କଲା, ତା’ର ପ୍ରକୃତ କାରଣ ଜଣାପଡ଼ିନି। କିନ୍ତୁ ଇରାନ ଏହାକୁ ଖସାଇଥିବା ଦାବି କରିଛି।

ସେହିପରି ଆଉ ଏକ ରିପୋର୍ଟରେ ତ୍ରୁଟି ପୂର୍ଣ୍ଣ ଆମେରିକା ଭିତ୍ତିକ ଏୟାର ଡିଫେନ୍ସ ବ୍ୟାଟେରୀରୁ ହୋଇଥିବା ଫାୟାରିଂ ଯୋଗୁ ଏଫ-୧୫ ଯୁଦ୍ଧ ବିମାନଟି ଧ୍ୱଂସ ହୋଇଥିବା ଦାବି କରାଯାଇଛି। 

କ୍ରାଶ ସମ୍ପର୍କରେ କୁଏତଚ ଇଣ୍ଟିଗ୍ରେଟେଡ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରୀଜ କମ୍ପାନୀ(କେଆଇପିଆଇସି) କହିଛି ଯେ ଯୁଦ୍ଧ ବିମାନର ଧ୍ୱଂସାବଶେଷ ମିନା ଅଲ ଅହମାଦି ରେଫାଇନାରୀରେ ପଡ଼ିବାରୁ ୨ ଜଣ ଶ୍ରମିକ ଆହତ ହୋଇଛନ୍ତି। ଘଟଣାରେ ପରେ ଏମର୍ଜେନ୍ସି ଟିମ ଘଟଣା ସ୍ଥଳରେ ଯାଞ୍ଚ କରିଛନ୍ତି। 

ପୁଣି ଆକ୍ରମଣ କଲା ଇସ୍ରାଏଲ 

ଇସ୍ରାଏଲ ଆଜି ପୁଣିଥରେ ଇରାନର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି। ସେହିପରି ଇରାନ ସମର୍ଥିତ ଲେବାନରର ହେଜବୋଲ୍ଲା ବିଦ୍ରୋହୀଙ୍କୁ ଠିକଣାକୁ ମଧ୍ୟ ଇସ୍ରାଏଲ ଟାର୍ଗେଟ କରିଛି। ବେରୁଟର ଦକ୍ଷିଣ ଉପକଣ୍ଠରେ ଥିବା ହେଜବୋଲ୍ଲା ନିୟନ୍ତ୍ରିତ ସ୍ଥାନ ଗୁଡ଼ିକରେ ଏକାଧିକ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।

ଇସ୍ରାଏଲ କହିଛି ଯେ ଇରାନର ସୁପ୍ରି ଲିଡରଙ୍କ ମୃତ୍ୟୁ ପରେ ହେଜବୋଲ୍ଲା ପକ୍ଷରୁ ତେଲ ଅଭିଭକୁ ଟାର୍ଗେଟ କରାଯାଇଥିଲା। ହେଜବୋଲ୍ଲା ଏକାଧିକ ମିସାଇଲ ଓ ଡ୍ରୋନ ମାଡ଼ କରିବାରୁ ତେଲ ଅଭିଭ ସ ଜେରୁଜେଲମରେ ଯୁଦ୍ଧ ସାଇରାନ ବଜାଇ ଲୋକଙ୍କୁ ବଙ୍କରକୁ ଯିବାକୁ କୁହାଯାଇଥିଲା। ଏହାପର ଜବାବ ସ୍ୱରୂପ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ କହିଛି। 

କୁଏତ ସାମରିକ ଘାଟିରେ ୩ ଆମେରିକା ସୈନ୍ୟ ମୃତ 

ଇରାନ ସହ ଚାଲିଥିବା ଯୁଦ୍ଧରେ ଆମେରିକା ୩ ଜଣଙ୍କ ସେନା କର୍ମଚାରୀଙ୍କୁ ହରାଇଥିବା ସୂଚନା ଦେଇଛି। ଆମେରିକା କହିଛି ଯେ କୁଏତରେ ଥିବା ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଇରାନର ରେଭ୍ୟୁଲେସନାରୀ ଗାର୍ଡ ପକ୍ଷରୁ ଗଲ୍ଫ ରିଜନରେ ଥିବା ଆମେରିକାର ମିଲିଟାରୀ ବେସ ଓ ଅଏଲ ଟ୍ୟାଙ୍କର୍ସକୁ ଟାର୍ଗେଟ କରାଯାଇଛି। ଷ୍ଟ୍ରେଟ ଅଫ ହର୍ମୁଜକୁ ଇରାନ ବନ୍ଦ କରି ଦେଇଥିବାରୁ ବିଶ୍ୱ ବାଣିଜ୍ୟ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି। 

କୁଏତ ସ୍ଥିତ ଆମେରିକା ଦୂତାବାସ ଧ୍ୱଂସ 

ସୋମବାର ଇରାନ ପକ୍ଷରୁ କୁଏତରେ ଥିବା ଆମେରିକା ଦୂତାବାସ ଉପରେ ଘନଘନ ମିସାଇଲ ମାଡ଼ କରାଯାଇଛି। ଏଥିରେ ଦୂତାବାସରେ ନିଆଁ ଲାଗି ଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଭିଡିଓ ସାମ୍ନାକୁ ଆସିଛି। ଦୂତାବାସ ପରିସରରୁ ନିଆଁ ଓ ପ୍ରବଳ ଧୂଆଁ ବାହାରୁ ଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଘଟଣା ପୂର୍ବରୁ ଆମେରିକା କୁଏତ ଦୂତାବାସର କର୍ମଚାରୀଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ପରବର୍ତ୍ତୀ ନୋଟିସ ଯାଏ ଦୂତାବାସକୁ ନ ଆସିବାକୁ କର୍ମଚାରୀଙ୍କୁ କୁହାଯାଇଥିଲା। 

ଇରାକର ଇର୍ବିଲ ଏୟାରପୋର୍ଟ ନିକଟରେ ୩ ଡ୍ରୋନ ଖସିଲା 

ଇରାକର ଇର୍ବିଲ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ଆମେରିକା ସେନା କର୍ମଚାରୀମାନେ ରହିଥିବାରୁ ଏହାକୁ ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଛି। କିନ୍ତୁ ଇରାନ ମାଡ଼ କରିଥିବା ୩ଟି ସଶସ୍ତ୍ର ଡ୍ରୋନକୁ ଏୟାରପୋର୍ଟ ନିକଟରେ ସୁରକ୍ଷାକର୍ମୀମାନେ ଖସାଇ ଦେଇଛନ୍ତି। ସୋମବାର ସକାଳେ ଏକାଧିକ ବିସ୍ଫୋରଣ ଶବ୍ଦ ଇର୍ବିଲରେ ଶୁଣିବାକୁ ମିଳିଛି। 

ଦୁବାଇରେ ଆକ୍ରମଣ ଜାରି 

ଇରାନ ପକ୍ଷରୁ ୟୁଏଇର ଦୁବାଇ ଓ ଅବୁଧାବିରେ ଥିବା ଆମେରିକା ଠିକଣାକୁ ଟାର୍ଗେଟ ବନ୍ଦ ହୋଇନାହିଁ। ଶନିବାର ଠାରୁ ଦୁବାଇରେ ଇରାନର ମିସାଇଲ ଓ ଡ୍ରୋନ ହମଲା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୟୁଏଇ ଦୁବାଇରେ ଥିବା ଦେଶର ମୁଖ୍ୟ ଷ୍ଟକ ଏକ୍ସଚେଞ୍ଜକୁ ବନ୍ଦ କରିଦିଆଯାଇଛି। ସୋମବାର ଓ ମଙ୍ଗଳବାର ଦୁବାଇର ଆର୍ଥିକ ବଜାର ଓ ଅବୁଧାବିର ସିକ୍ୟୁରିଟୀ ଏକ୍ସଚେଞ୍ଜ ବନ୍ଦ ରହିବ ବୋଲି ଦେଶର ପୁଞ୍ଜି ମାର୍କେଟ ଅଧିକାରୀମାନେ କହିଛନ୍ତି। ଆଞ୍ଚଳିକ ସ୍ଥିତି ଉପରେ ନଜର ରଖାଯାଇଛି ଓ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ୟୁଏଇ କହିଛି। 

Middle East
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe