/odisha-reporter/media/media_files/2025/10/01/usa-2025-10-01-10-53-22.jpg)
ହ୍ୱାଇଟ ହାଉସ
ପ୍ରାୟ ୭ ବର୍ଷ ମଧ୍ୟରେ ପ୍ରଥମଥର ଆମେରିକା(USA) ସରକାରରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ଟ୍ରମ୍ପ ପ୍ରଶାସନରେ ବିଧିବଦ୍ଧ ଭାବେ ଶଟଡାଉନ ଲାଗୁ କରାଯାଇଛି। ଅର୍ଥାତ ସରକାରୀ କାମ ଠପ ହୋଇଯାଇଛି। ଏହାର କାରଣ ହେଲା ଟ୍ରମ୍ପ ସରକାରଙ୍କ ପାଣ୍ଠିରେ ପଡ଼ି ଯାଇଛି ତାଲା। ଖର୍ଚ୍ଚ ଅନୁମୋଦନ ପାଇଁ ଆସିଥିବା ବିଲକୁ ଟ୍ରମ୍ପ ସରକାର ସଂସଦରେ ପାରିତ କରିବାରେ ବିଫଳ ହୋଇଛନ୍ତି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କ ରିପବ୍ଲିକାନ ପାର୍ଟି ଆଣିଥିବା ବିଲକୁ ଡେମକ୍ରାଟିକ ଦଳ ବିରୋଧ କରିଛି। ଏଥିରେ ଡେମୋକ୍ରାଟିକ ଅଣାଯାଇଥିବା ଦାବିକୁ ଅଣଦେଖା କରାଯାଇଥିବାରୁ ସେମାନେ ବିଲକୁ ବିରୋଧ କରିଥିଲେ। ପାଣ୍ଠି ଅନୁମୋଦନ ବିଲ ପାରିତ ନ ହେବାରୁ ପ୍ରାୟ ୭ ବର୍ଷ ପରେ ଆମେରିକା ସରକାରୀ କାର୍ଯ୍ୟରେ ତାଲା ପଡ଼ିଛି। ଏଥିରେ ବିରକ୍ତ ହୋଇ ରାଷ୍ଟ୍ରପତି ଟ୍ରମ୍ପ କେନ୍ଦ୍ରୀୟ କର୍ମଚାରୀଙ୍କୁ ଛଟେଇ କରିବାର ଧମକ ଦେଇଛନ୍ତି। ଶଟଡାଉନ ହୋଇଥିବାରୁ ବିନା ଦରମାରେ କର୍ମଚାରୀଙ୍କୁ କାମ କରିବାକୁ ପଡ଼ିପାରେ।
ସଂସଦରେ ଆସିଥିବା ଖର୍ଚ୍ଚ ସଂକ୍ରାନ୍ତ ବିଲ ସପକ୍ଷରେ ୫୫ ଓ ବିଲ ବିପକ୍ଷରେ ୪୫ଟି ଭୋଟ ପଡ଼ିବାରୁ ଗତ ମଧ୍ୟରାତ୍ରରୁ ସରକାରୀ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଣ ବନ୍ଦ ହୋଇ ଯାଇଛି। ବିଲକୁ ଅନୁମୋଦନ ପାଇଁ ଅତିକମରେ ୬୦ଟି ଭୋଟ ଦରକାର। ଏହା ଯୋଗାଡ଼ କରିବାରେ ଟ୍ରମ୍ପ ପ୍ରଶାସନ ବିଫଳ ହୋଇଛନ୍ତି।
ଆମେରିକାରେ ନୂଆ ଆର୍ଥିକ ବର୍ଷ ଅକ୍ଟୋବର ୧ରୁ ଆରମ୍ଭ ହୋଇଥାଏ। ଏହାର ଦିନକ ପୂର୍ବରୁ ପ୍ରଶାସନିକ ଖର୍ଚ୍ଚ ବିଲ୍ ପାସ୍ ହୋଇଥାଏ। କିନ୍ତୁ ଏଥର ଟ୍ରମ୍ପ ପ୍ରଶାସନ ଖର୍ଚ୍ଚ ବିଲ ପାର କରିପାରି ନାହାନ୍ତି। ତେଣୁ ରାତି ୧୨.୦୧ରୁ ପ୍ରଶାସନିକ ସେବାରେ ଶଟଡାଉନ ଆରମ୍ଭ ହୋଇଛି। ଶଟଡାଉନ ଲାଗୁ ହୋଇଥିବାରୁ ମୋଟ ସରକାରୀ କର୍ମଚାରୀଙ୍କ ୪୦% ଅର୍ଥାତ ପ୍ରାୟ ୮ ଲକ୍ଷ କର୍ମଚାରୀଙ୍କୁ ବିନା ଦରମାରେ ଅସ୍ଥାୟୀ ଛୁଟିରେ ରଖାଯିବ।
ଏହାଦ୍ୱାରା ଏୟାର ଟ୍ରାଭେଲ ଠାରୁ ଆରମ୍ଭ କରି ଅର୍ଥନୀତିକ ରିପୋର୍ଟରେ ବିଳମ୍ବ, ରିସର୍ଚ୍ଚ ଲ୍ୟାବ ଓ ଛୋଟ ବ୍ୟବସାୟିକ ଋଣ କାମରେ ବାଧା ସୃଷ୍ଟି ହୋଇଛି। ଖାଦ୍ୟ ସହାୟତା କାର୍ଯ୍ୟକ୍ରମ, ଖାଦ୍ୟ ଯାଞ୍ଚ, କେନ୍ଦ୍ରୀୟ ପରିଚାଳିତ ସ୍କୁଲ ଓ ଛାତ୍ର ଋଣ ଭଳି ସେବାଗୁଡ଼ିରେ କଟକଣା ଲାଗି ପାରେ।
ଆର୍ଥିକ ଶଟଡାଉନ ସତ୍ତ୍ୱେ ସାମରିକ ଅଧିକାରୀ, ସୀମା ଏଜେଣ୍ଟ ଓ ଏୟାର ଟ୍ରାଫିକ କଣ୍ଟ୍ରୋଲର୍ସ କାମ କରିବା ଜାରି ରଖିବେ। କିନ୍ତୁ ଶଟଡାଉନ ବନ୍ଦ ନ ହେବା ଯାଏ ସେମାନଙ୍କୁ ଦରମା ମିଳିବ ନାହିଁ। ସାମାଜିକ ସୁରକ୍ଷା ଓ ମେଡିକେୟାର ବ୍ୟବସ୍ଥା ଜାରି ରହିବ।
ଶିକ୍ଷା ବିଭାଗ କହିଛି ଯେ ୯୦% କର୍ମଚାରୀ ସାମୟିକ ଛୁଟିରେ ଯିବେ। ସେହିପରି ପ୍ରଦୂଷଣ ମୁକ୍ତ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଇପିଏ ଯୋଜନା କରିଛି। ଛୋଟ ବ୍ୟବସାୟିକ ପ୍ରାଧିକରଣ ଋଣ ଦେବା ବନ୍ଦ କରିଛି। ଶ୍ରମ ବିଭାଗ ମଧ୍ୟ ନିଜର କର୍ମଚାରୀଙ୍କୁ ମାସିକ ଦରମା ଦେବାରେ ଅକ୍ଷମତା ପ୍ରକାଶ କରିଛି।
ସ୍ମିଥସୋନିଆନ ସଂଗ୍ରହାଳୟ ଓ ଜାତୀୟ ଚିଡ଼ିଆଖାନା ସେମାନଙ୍କ ଦ୍ୱାର ବନ୍ଦ କରିଛନ୍ତି। ଜାତୀୟ ଉଦ୍ୟାନଗୁଡ଼ିକ ମଧ୍ୟ ସେବା ଯୋଗାଇବା ବନ୍ଦ କରିଛନ୍ତି। କେବଳ କିଛି କର୍ମଚାରୀଙ୍କୁ ନେଇ ସେମାନେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଅଚଳାବସ୍ଥାର ମୂଳରେ ରହିଛି ସ୍ୱାସ୍ଥ୍ୟସେବା। ବିରୋଧୀ ଡେମୋକ୍ରାଟର କହିବା କଥା ଯେ ଯେ ଯେକୌଣସି ଫଣ୍ଡିଂ ବିଲରେ ସୁଲଭ କେୟାର ଆଇନ ଅଧୀନରେ ସବସିଡିକୁ ସାମିଲ କରାଯିବା ଦରକାର। ଏହା ବର୍ଷ ଶେଷରେ ଆପେଆପେ ଶେଷ ହୋଇଯିବ। ଯଦି ସବସିଡି ବ୍ୟବସ୍ଥା କରା ନ ଯିବ, ତା’ହେଲେ ୨୪ ନିୟୁତ ଆମେରିକୀୟଙ୍କ ପ୍ରିମିୟମ ବୃଦ୍ଧି ପାଇପାରେ। ଏଥରେ ସବୁଠାରୁ ଅଧିକ ପ୍ରଭାବିତ ହେବେ ଫ୍ଲୋରିଡା ଓ ଟେକ୍ସାସ ଭଳି ରିପବ୍ଲିକାନ ନେତୃତ୍ୱାଧୀନ ରାଜ୍ୟ।
ଏହା ଟ୍ରମ୍ପ ପ୍ରଶାସନର ପ୍ରଥମ ବନ୍ଦର ଶଟଡାଉନ ନୁହେଁ। ୨୦୧୮ରେ ସୀମା ପ୍ରାଚୀର ପାଣ୍ଠି ପାଇଁ ତାଙ୍କ ଦାବି ଯୋଗୁ ୩୫ ଦିନ ଧରି ଶଟଡାଉନ ସ୍ଥିତି ଦେଖିବାକୁ ମିଳିଥିଲା। ଏହା ଆମେରିକା ଇତିହାସରେ ସବୁଠାରୁ ଲମ୍ବା ଶଟଡାଉନ ରହିଥିଲା।
୧୯୮୧ ପରଠାରୁ ଆମେରିକା ପ୍ରାୟ ୧୫ ଥର ଏପରି ସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଶଟଡାଉନ କେବଳ ଗୋଟିଏ ଦିନ ପରେ ହଟି ଯାଇଥାଏ। ଏଥର ସ୍ୱାସ୍ଥ୍ୟ ସେବା ପ୍ରମୁଖ ପ୍ରସଙ୍ଗ ଥିବାରୁ ଶଟଡାଉନ କେତେ ଦିନ ଜାରି ରହୁଛି, ତା’ଉପରେ ସମସ୍ତଙ୍କ ନଜର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
