ନିଜ ଉଚ୍ଚତାକୁ ନେଇ ଥିଲେ ଚିନ୍ତିତ, ୫ ଇଞ୍ଚ ବଢ଼ାଇବାକୁ ଖର୍ଚ୍ଚ କଲେ ୧ କୋଟି ୩୫ ଲକ୍ଷ

ଦୁଇ ଗୋଡ଼କୁ ଲମ୍ବା କରିବାର ଏକ ଯନ୍ତ୍ରଣାଦାୟକ ସର୍ଜରୀ କରି ସେ ତାଙ୍କ ଉଚ୍ଚତାକୁ ଆଉ ୫ ଇଞ୍ଚ ବଢ଼ାଇଛନ୍ତି।

ମୌଜେସ୍ ଗିବ୍‌ସନ

  • Published: Saturday, 15 April 2023
  • , Updated: 15 April 2023, 04:45 PM IST

ଅନେକ ଲୋକ ନିଜ ଉଚ୍ଚତାକୁ ନେଇ ଅସନ୍ତୁଷ୍ଟ ରହନ୍ତି। କେହି କେହି ଅଧିକ ଡେଙ୍ଗା ହୋଇଥିବାରୁ ଅସନ୍ତୁଷ୍ଟ ରହୁଥିବା ବେଳେ ଆଉ କେହି କେହି କମ୍ ଉଚ୍ଚତା ଯୋଗୁ ଅସନ୍ତୁଷ୍ଟ ରହନ୍ତି। ସେମାନଙ୍କ ମଧ୍ୟରୁ ମୌଜେସ୍ ଗିବ୍‌ସନ ହେଉଛନ୍ତି ଜଣେ। ୪୧ ବର୍ଷାୟ ମୌଜେସ୍ ଗିବ୍‌ସନ ହେଉଛନ୍ତି ଆମେରିକାର ମିନେସୋଟାର ବାସିନ୍ଦା।

ମୌଜେସ୍ ଗିବ୍‌ସନଙ୍କ ଉଚ୍ଚତା ୫ ଫୁଟ୍ ୫ ଇଞ୍ଚ ଥିଲା। ଏବେ ଏହା ୫ ଫୁଟ ୧୦ ଇଞ୍ଚକୁ ବୃଦ୍ଧି ପାଇଛି। ଆଉ ଏଥିପାଇଁ ସେ ବହୁତ ଖୁସି ଅଛନ୍ତି। କିନ୍ତୁ ଆଉ ୫ ଇଞ୍ଚ ଉଚ୍ଚତା ବଢ଼ାଇବା ପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ୧ କୋଟି ୩୫ ଲକ୍ଷ ଟଙ୍କା। ଦୁଇ ଗୋଡ଼କୁ ଲମ୍ବା କରିବାର ଏକ ଯନ୍ତ୍ରଣାଦାୟକ ସର୍ଜରୀ କରି ସେ ତାଙ୍କ ଉଚ୍ଚତାକୁ ଆଉ ୫ ଇଞ୍ଚ ବଢ଼ାଇଛନ୍ତି। ଏତେ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ତଥା ବହୁତ ଯନ୍ତ୍ରଣା ପାଇଥିଲେ ବି ଉଚ୍ଚତା ବଢ଼ିଥିବାରୁ ଖୁସି ଅଛନ୍ତି ମୌଜେସ୍ ଗିବ୍‌ସନ।

ପୂର୍ବରୁ ନିଜ ଉଚ୍ଚତାକୁ ନେଇ ସବୁ ବେଳେ ଅବସାଦରେ ରହୁଥିବା ମୌଜେସ୍ ଗିବ୍‌ସନ ଉଚ୍ଚତା ବଢ଼ାଇବା ପାଇଁ ଯିଏ ଯାହା କହିଲେ, ତାହା କରିଥିଲେ। ଡେଙ୍ଗା ହେବାକୁ ସେ ଔଷଧ ମଧ୍ୟ ଖାଇଥିଲେ। କିନ୍ତୁ ତାଙ୍କୁ କିଛି ସୁଫଳ ମିଳି ନଥିଲା। ଶେଷରେ ସେ ଅପରେସନ କରି ନିଜ ଉଚ୍ଚତା ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ତିନି ବର୍ଷ ଧରି ଟଙ୍କା ଜମା କରିଥିଲେ। ସେ ଜଣେ ସଫ୍ଟୱେର ଇଞ୍ଜିନିୟର। ସେହି କାମ କରିବା ସହିତ ଡ୍ରାଇଭର ଭାବେ କାମ କରି ସେ ଟଙ୍କା ସଞ୍ଚୟ କରିଥିଲେ। ୭୫ ହଜାର ଆମେରିକୀୟ ଡଲାର ଜମା କରିବା ପରେ ସେ ୨୦୧୬ରେ ହୋଇଥିଲେ ପ୍ରଥମ ଅପରେସନ। ଏହି ଅପରେସନ ପରେ ତାଙ୍କ ଉଚ୍ଚତା ୩ ଇଞ୍ଚ ବଢ଼ିଥିଲା।

ଉଚ୍ଚତା ୫ ଫୁଟ ୮ ଇଞ୍ଚ ହେବା ପରେ ମଧ୍ୟ ଖୁସି ନଥିଲେ ମୌଜେସ୍ ଗିବ୍‌ସନ। କେମିତି ଦ୍ୱିତୀୟ ଅପରେସନ କରି ନିଜ ଉଚ୍ଚତାକୁ ଆଉ ୨ ଇଞ୍ଚ ବଢ଼ାଇବେ ସେ ସବୁ ବେଳେ ସେହି ଚିନ୍ତାରେ ରହୁଥିଲେ। ତା’ସହିତ ଅର୍ଥ ଜମା କରିବାରେ ଲାଗିଥିଲେ। ଶେଷରେ ଗତ ମାର୍ଚ୍ଚ ମାସରେ ତାଙ୍କ ସ୍ୱପ୍ନ ପୂରଣ ହେଲା। ୯୮ ହଜାର ଆମେରିକୀୟ ଡଲାର ଖର୍ଚ୍ଚ କରି ସେ ଦ୍ୱିତୀୟ ଅପରେସନ ହୋଇଥିଲେ। ଆଉ ଏହା ପରେ ତାଙ୍କ ଉଚ୍ଚତା ଆଉ ୨ ଇଞ୍ଚ ବଢ଼ିଛି।

ମୌଜେସ୍ ଗିବ୍‌ସନ କହିଛନ୍ତି ଯେ ଉଚ୍ଚତା କମ୍ ଥିବା ବେଳେ ତାଙ୍କର ଆତ୍ମବିଶ୍ୱାସ ବହୁତ କମ୍ ଥିଲା। ବିଶେଷ କରି ମହିଳାମାନଙ୍କ ସହିତ କଥାବାର୍ତ୍ତା ହେବାକୁ ସେ ସଙ୍କୋଚ କରୁଥିଲେ। ଡେଟିଂରେ ଯାଇ ପାରୁ ନଥିଲେ। କିନ୍ତୁ ଏବେ ସବୁ ଠିକ ହୋଇଯାଇଛି। ମହିଳାଙ୍କ ସହିତ କଥାବାର୍ତ୍ତା କରିବାକୁ ତାଙ୍କୁ ସଙ୍କୋଚ ଲାଗୁ ନାହିଁ। ତା’ସହିତ ତାଙ୍କୁ ଏବେ ଜଣେ ଗର୍ଲଫ୍ରେଣ୍ଡ ମିଳି ଯାଇଛନ୍ତି। ଉଚ୍ଚତା କମ୍ ଥିବାରୁ ପୂର୍ବରୁ କେହି ତାଙ୍କ ଗର୍ଲଫ୍ରେଣ୍ଡ ହେବାକୁ ଇଚ୍ଛା ପ୍ରକାଶ କରୁ ନଥିଲେ ବୋଲି ସେ କହିଛନ୍ତି।

Related story