Advertisment

ବାଇଡେନଙ୍କ ‘ଗୁପ୍ତ’ କିଭ୍‌ ଗସ୍ତ କଥା ରୁଷକୁ ଜଣାଇଥିଲା ଆମେରିକା, କିନ୍ତୁ..

ଛୋଟ ବିମାନ ସହ ହାତ ଗଣତି ସୁରକ୍ଷାକର୍ମୀ ଓ ୧୦ ଘଣ୍ଟାର ଟ୍ରେନ ଯାତ୍ରା ପରେ ବାଇଡେନ ସୋମବାର କିଭ୍‌ରେ ପହଞ୍ଚି ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭ୍ଲୋଦମିର ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ।

author-image
Hemant Lenka
President Joe Biden

President Joe Biden

ସମସ୍ତଙ୍କୁ ଚକିତ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହଠାତ୍‌ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର କିଭ୍‌ରେ ପହଞ୍ଚିବା ଘଟଣା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଛୋଟ ବିମାନ ସହ ହାତ ଗଣତି ସୁରକ୍ଷାକର୍ମୀ ଓ ୧୦ ଘଣ୍ଟାର ଟ୍ରେନ ଯାତ୍ରା ପରେ ବାଇଡେନ ସୋମବାର କିଭ୍‌ରେ ପହଞ୍ଚି ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭ୍ଲୋଦମିର ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ।

Advertisment

ଯୁଦ୍ଧ ଚାଲିଥିବା ବେଳେ ବାଇଡେନଙ୍କ ଏପରି କିଭ୍‌ ଗସ୍ତର ଗୁରୁତ୍ୱ ଯଥେଷ୍ଟ ଅଧିକ। ତେବେ ୟୁକ୍ରେନ ଉପରେ ହମଲା କରୁଥିବା ରୁଷକୁ ବାଇଡେନଙ୍କ କିଭ୍‌ ଗସ୍ତ ସମ୍ପର୍କରେ ଆମେରିକା ଜଣାଇଥିଲା। ହେଲେ ରୁଷ ତାଙ୍କୁ କୌଣସି ପ୍ରକାରର ସୁରକ୍ଷା ଗ୍ୟାରେଣ୍ଟି ଦେଇ ପାରିବ ନାହିଁ ବୋଲି କହିଥିଲା।

ତଥାପି ବାଇଡେନ ସବୁ ବିପଦକୁ ବେଖାତିର କରି ଯୁଦ୍ଧ କ୍ଷତିଗ୍ରସ୍ତ କିଭ୍‌ରେ ପହଞ୍ଚିଥିଲେ। ଏପରି ତଥ୍ୟ ଆଜି ସାର୍ବଜନୀନ କରିଛନ୍ତି ରୁଷିଆର ଗୁଇନ୍ଦା ଏଜେନ୍ସି ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର ବୋର୍ଟନିକୋଭ। ୨୦୨୨ ଫେବୃଆରୀ ୨୪ରୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରୁଥିବା ବେଳେ ବାଇଡେନ ସୋମବାର ପ୍ରଥମଥର କିଭ୍‌ ଗସ୍ତ କରିଥିଲେ।

Advertisment

ଏ ସମ୍ପର୍କରେ ଆଲେକ୍ସଜାଣ୍ଡର କହିଛନ୍ତି, “ଅବଶ୍ୟ ଆମେରିକା ସରକାର କୂଟନୀତିକ ଚ୍ୟାନେଲ୍ସ ମାଧ୍ୟମରେ ରୁଷକୁ ବାଇଡେନଙ୍କ କିଭ୍‌ ଗସ୍ତ ସମ୍ପର୍କରେ ଅବଗତ କରାଇଥିଲେ। କିନ୍ତୁ ଆମେ ତାଙ୍କ ସୁରକ୍ଷାର କୌଣସି ଗ୍ୟାରେଣ୍ଟ ଦେଇ ପାରିବୁ ନାହିଁ ବୋଲି କହିଥିଲୁ। ବାଇଡେନଙ୍କ ଗସ୍ତର ମାତ୍ର କିଛି ଘଣ୍ଟା ପୂର୍ବରୁ ହିଁ ଆମେରିକା ଏ ସମ୍ପର୍କରେ ଅବଗତ କରାଇଥିଲା।

ରୁଷ ଓ ଆମେରିକାର ସ୍ପେଶାଲ ସର୍ଭିସ ଏବେ ପରସ୍ପର ସହଯୋଗରେ କାମ କରୁଛନ୍ତି। ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧରେ ଉଭୟ ଦେଶ ବେଶ ଚିନ୍ତିତ। ଏବେ ସହଯୋଗ ଜାରି ରହିଛି। କାରଣ ଆତଙ୍କବାଦରୁ କେହି ବି ଲାଭ ପାଇବେ ନାହିଁ। ଆମେ ସମସ୍ତେ ବୁଝାମଣା ବଳବତ୍ତର ରଖିବାକୁ ଉଦ୍ୟମ କରୁଛୁ।”

ଯୁଦ୍ଧ ଦ୍ୱାରା କିଭ୍‌ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଇଡେନ ସେଠାକୁ ଯାଇଥିଲେ। ଏଥିସହ ସେଠାରେ ପହଞ୍ଚି ସେ ୟୁକ୍ରେନ ପାଇଁ ଅଧା ବିଲିୟନ ଡଲାର ସାମରିକ ସହାୟତା ମଧ୍ୟ ଘୋଷଣା କରିଥିଲେ। ବାଇଡେନ କହିଥିଲେ ଯେ “ଗୋଟିଏ ବର୍ଷ ପରେ କିଭ୍‌ ଛିଡ଼ା ହୋଇ ରହିଛି। ୟୁକ୍ରେନ ବି ରହିଛି। ଗଣତନ୍ତ୍ର ବଞ୍ଚିଛି।” କେବଳ ଆମେରିକା ନୁହେଁ, ଅନ୍ୟ ପଶ୍ଚିମ ଦେଶଗୁଡ଼ିକ ମଧ୍ୟ ରୁଷର ଯୁଦ୍ଧ କରିବା ଦିନ ଠାରୁ ୟୁକ୍ରେନକୁ ସହାୟତା କରି ଚାଲିଛନ୍ତି।

Russia-Ukraine War Joe Biden USA Russia Ukraine President