Advertisment

କାନାଡାର ଅଭିଯୋଗ ସାଂଘାତିକ, ସହଯୋଗ ପାଇଁ ଭାରତକୁ ପରାମର୍ଶ ଦେଲା ଆମେରିକା

କାନାଡା ଆଣିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ। ଏହାର ତଦନ୍ତ ପାଇଁ କାନାଡା କରୁଥିବା ପ୍ରୟାସକୁ ଆମେରିକା ସମର୍ଥନ କରୁଛି।

author-image
Hemant Lenka
Canada

Canada

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ହାତ ଥିବା କାନାଡା ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏପରି ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହାର ଫାଇଦା ମଧ୍ୟ ଖଲିସ୍ତାନ ସପକ୍ଷବାଦୀମାନେ ଉଠାଇ ଭାରତ ବିରୋଧରେ ବିଷ ଓକାରିବାରେ ଲାଗିଛନ୍ତି।

Advertisment

ଏସବୁ ଭିତରେ ଆମେରିକା ତା’ର ପକ୍ଷ ରଖିଛି। କାନାଡା ଆଣିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ। ଏହାର ତଦନ୍ତ ପାଇଁ କାନାଡା କରୁଥିବା ପ୍ରୟାସକୁ ଆମେରିକା ସମର୍ଥନ କରୁଛି। ଏଥିସହ ଭାରତକୁ ଏଥିରେ ସହଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଉଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ଆମେରିକା ଜାତୀୟ ସୁରକ୍ଷା ପରିଷଦ ସଂଯୋଜକ ଜନ କିର୍ବୀ କହିଛନ୍ତି, “ମୁଁ କୂଟନୀତିକ ଆଲୋଚନାକୁ ସମର୍ଥନ କରୁଛି ଓ ଏହାକୁ ସେଇଠାରେ ଛାଡ଼ୁଛି। ରାଷ୍ଟ୍ରପତି ଅଭିଯୋଗକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାରକୁ ନେଇଛନ୍ତି। ଏହା ଏକ ସାଂଘାତିକ ଅଭିଯୋଗ। ଆମେ ଏହା ଉପରେ କାନାଡାର ତଦନ୍ତକୁ ମଧ୍ୟ ସମର୍ଥନ କରୁଛୁ। ଠିକ ଭାବେ ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ ହେବ ବୋଲି ମୋର ଆଶା ଅଛି। ଏହାପରେ ହିଁ ଆମେ ପ୍ରକୃତରେ କ’ଣ ହୋଇଛି ଜାଣିପାରିବା। ହଁ ଏଇଟା ବି ସତ ଯେ ଆମେ ଭାରତକୁ ବି ପୂରା ତଦନ୍ତରେ ସହଯୋଗ କରିବାକୁ ଉତ୍ସାହିତ କରୁଛୁ।”

Advertisment

ଜୁନ ୧୮ରେ ଦୁଇ ଜଣ ବନ୍ଧୁକାରୀ ହରଦୀପକୁ ହତ୍ୟା କରିଥିଲେ। ହରଦୀପ ହେଉଛି ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ। ତା’ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ହରଦୀପର ହତ୍ୟା ପରେ ତଦନ୍ତ ଆରମ୍ଭ ହୋଇଥିଲା।

ଏହାପରେ ଟ୍ରୁଡୋ ଭାରତର ସମ୍ଭାବ୍ୟ ଭୂମିକାକୁ ନେଇ ବୟାନ ରଖିଥିଲେ। ତେବେ ଭାରତ ସରକାର ଟ୍ରୁଡୋ ଓ କାନାଡାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

USA PM Modi Canada