Advertisment

ତେଜିଲା ବାଣିଜ୍ୟ ଯୁଦ୍ଧ, ଚାଇନା ଉପରେ ଲାଗିଲା ୨୪୫% ଶୁଳ୍କ

ଜାତୀୟ ସୁରକ୍ଷାର ଆଳ ଦେଖାଇ ଟ୍ରମ୍ପ ପ୍ରଶାସନ ଚାଇନା ଉପରେ ଲାଗିଥିବା ୨୪୫% ଶୁଳ୍କକୁ ଉଚିତ ବୋଲି ମଧ୍ୟ ଦର୍ଶାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
China

China

ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଚରମ ସ୍ଥିତିରେ ପହଞ୍ଚିଛି। ପୂର୍ବରୁ ଚାଇନା ଉପରେ ରେକର୍ଡ ଟାରିଫ ବା ଶୁଳ୍କ ଲଗାଇଥିବା ଆମେରିକା ଏବେ ଆଉ ପାଦେ ଆଗେଇଛି। ଚାଇନାରୁ ଆମେରିକାକୁ ରପ୍ତାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ଉପରେ ୱାଶିଂଟନ ପକ୍ଷରୁ ଐତିହାସିକ ୨୪୫% ଶୁଳ୍କ ଲାଗୁ କରାଯାଇଥିବା ହ୍ୱାଇଟ ହାଉସ ସ୍ପଷ୍ଟ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ବିରୋଧରେ ଲଢ଼େଇ କରିବାକୁ ଚାଇନା ଅଣ୍ଟା ଭିଡ଼ିଛି।

Advertisment

ଏଥିପାଇଁ ବେଜିଂ ପକ୍ଷରୁ ପାଲଟା ଶୁଳ୍କ ଲାଗୁ କରାଯିବା ସହ ଚାଇନିଜ ଏୟାରଲାଇନ୍ସଗୁଡ଼ିକ ପାଇଁ ଅର୍ଡର ଦିଆଯାଇଥିବା ନୂଆ ବୋଇଂ ଜେଟ୍‌କୁ ବ୍ୟାନ କରି ଦିଆଯାଇଛି। ଚାଇନାର ଏପରି ପାଲଟା ଆକ୍ରମଣରେ ଟ୍ରମ୍ପ କ୍ଷୁବ୍ଧ ହୋଇଛି ବେଜିଂ ଉପରେ ୨୪୫% ଶୁଳ୍କ ଲାଗୁ ହେଉଥିବା ସମ୍ପର୍କରେ ଘୋଷଣା କରିଛନ୍ତି।

ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ “ଚାଇନା ଏବେ ୨୪୫% ଯାଏ ଶୁଳ୍କର ସାମ୍ନା କରିବ। ଚାଇନା ନେଇଥିବା ପାଲଟ ପଦକ୍ଷେପର ଜବାବରେ ଆମେରିକା ଏଭଳି ନିଷ୍ପତ୍ତି ନେଇଛି।” ଜାତୀୟ ସୁରକ୍ଷାର ଆଳ ଦେଖାଇ ଟ୍ରମ୍ପ ପ୍ରଶାସନ ଚାଇନା ଉପରେ ଲାଗିଥିବା ୨୪୫% ଶୁଳ୍କକୁ ଉଚିତ ବୋଲି ମଧ୍ୟ ଦର୍ଶାଇଛି।

Advertisment

ଚଳିତ ମାସ ଆରମ୍ଭରେ ଆମେରିକାର ଟ୍ରମ୍ପ ପ୍ରଶାସନ ଚାଇନା ଉପରେ ୧୪୫% ଟାରିଫ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା। ଆମେରିକାକୁ ଜବାବ ଦେବା ପାଇଁ ଚାଇନା ମଧ୍ୟ ୱାଶିଂଟନରୁ ଆମଦାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ଉପରେ ୧୨୫% ଟାରିଫ ଲଗାଇଥିଲା। ଏଥିସହ ଖଣିଜ ଦ୍ରବ୍ୟ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଶିଳ୍ପ ପାଇଁ ଜରୁରୀ ସାମଗ୍ରୀଗୁଡ଼ିକର ରପ୍ତାନୀ ଉପରେ କଟକଣା ଲଗାଇ ଦେଇଥିଲା। ଚାଇନାର ଏପରି ପଦକ୍ଷେପ ଦ୍ୱାରା ଆମେରିକା ଯୁବ୍ଧ ହୋଇଥିଲା। ପରିଣାମ ସ୍ୱରୂପ ଚାଇନା ଉପରେ ଆମେରିକା ୨୪୫% ଟାରଫ ଲଗାଇଛି।

ବିରଳ ମୃତ୍ତିକା ଉପରେ ଚାଇନାର ରହିଥିବା ଦବଦବା ସମ୍ପର୍କରେ ମଧ୍ୟ ଆମେରିକା ବିଚାର କରିଛି। ଚାଇନାର ଏପରି ଦବଦବା ଆମେରିକାର ଜାତୀୟ ସୁରକ୍ଷାକୁ ବି ପ୍ରଭାବିତ କରିବାର ଆଶଙ୍କା ରହିଛି। ସପ୍ତାହ ତଳେ ଚାଇନା ପକ୍ଷରୁ ୬ଟି ବିରଳ ମୃତ୍ତିକା ମେଟାଲସ ସହ ବିରଳ ମୃତ୍ତିକା ମ୍ୟାଗନେଟ୍ସର ରପ୍ତାନୀକୁ ବନ୍ଦ କରାଯାଇଥିଲା। ଏହାଦ୍ୱାରା ଆମେରିକାର ଅଟୋମୋଟିଭ୍ସ, ଏରୋସ୍ପେଶ, ସେମି କଣ୍ଡକ୍ଟର ଓ ପ୍ରତିରକ୍ଷରା ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହୋଇଛି। ଏହାପୂର୍ବରୁ ଚାଇନା ପକ୍ଷରୁ ଗାଲିୟମ, ଜର୍ମିନିୟମ ଓ ଆଣ୍ଟିମୋନୀ ଭଳି ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲା। ଆମେରିକା ଏହାକୁ ଗୁରୁତ୍ୱର ସହ ନେଇଛି।

ଆମେରିକାର କହିବା କଥା ଯେ ଟ୍ରମ୍ପଙ୍କ ଟାରିଫ ନୀତିକୁ ଅଧିକାଂଶ ଦେଶ ବିରୋଧରେ ଲାଗୁ କରାଯାଇ ନାହିଁ। ଟାରିଫ ଘୋଷଣା ପରେ ଅଧିକାଂଶ ଦେଶ ବାଣିଜ୍ୟ ସମ୍ପର୍କରେ ଆମେରିକା ସହ ଆଲୋଚନା କରିଛନ୍ତି। କିନ୍ତୁ ଚାଇନା ଆଲୋଚନା ବଦଳରେ ପାଲଟା ପଦକ୍ଷେପ ନେବାରୁ ଆମେରିକା କଠୋର ହେବାକୁ ବାଧ୍ୟ ହୋଇଛି।

ଚାଇନାକୁ ଛାଡ଼ି ୭୫ରୁ ଅଧିକ ରାଷ୍ଟ୍ର ନୂଆ ଶିଳ୍ପ ଡିଲ୍‌ ପାଇଁ ଆମେରିକା ସହ ଆଲୋଚନା କରି ସାରିଲେଣି। ହେଲେ ଚାଇନା ପାଲଟା ପଦକ୍ଷେପ ନେଉଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଆମେରିକା ପ୍ରଥମ ବାଣିଜ୍ୟ ରଣନୀତି ବଳରେ ଆମେରିକାର ଅର୍ଥନୀତିକୁ ପୁଣି ମହାନ କରାଯିବ ବୋଲି ହ୍ୱାଇଟ ହାଉସ କହିଛି।

ଅନ୍ୟପକ୍ଷରେ ଚାଇନା କହିଛି ଯେ ଆମେରିକା ସହ ବାଣିଜ୍ୟ ଯୁଦ୍ଧ କରିବାକୁ ବେଜିଂ ଆଦୌ ଡରିବ ନାହିଁ। ଚାଇନା କହିଛି ଯେ ବେଜିଂ କେବେ ହେଲେ ଲଢ଼େଇ ଚାହେଁ ନାହିଁ। କିନ୍ତୁ ଲଢ଼େଇ କରିବାକୁ ମଧ୍ୟ ଚାଇନା ଡରେ ନାହିଁ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ ଜିଆନ ଏକଥା କହିବା ସହ ୱାଶିଂଟନକୁ ଅତ୍ୟଧିକ ଚାପ ଓ ବ୍ଲାକମେଲିଂ କରିବା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ଯଦି ଚାଇନା ବାସ୍ତବରେ ବିବାଦର ସମାଧାନ ଚାହୁଁଛି, ତା’ହେଲେ ଧମକ ଦେବା ବନ୍ଦ କରୁ ଓ ଚାଇନା ସହ ସମାନା, ସମ୍ମାନ ଓ ପାରସ୍ପରିକ ଫାଇଦା ଆଧାରରେ ଆଲୋଚନା କରିବାକୁ ଆଗେଇ ଆସୁ।” ଚାଇନା ଏପରି କହୁଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ “ଆଲୋଚନାର ବଲ ଚାଇନା କୋର୍ଟରେ ରହିଛି। ଚାଇନାକୁ ଆମ ସହ ଡିଲ୍‌ କରିବାର ଆବଶ୍ୟକତା ରହିଛି।

USA China Trade War