/odisha-reporter/media/post_attachments/uploadimage/library/16_9/16_9_0/USA_1698407986.jpg)
USA
ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଗୋଟିଏ ବଡ଼ ଘଟଣା ଘଟିଛି। ସିରିଆରେ ଥିବା ଇରାନର ଦୁଇଟି ଠିକଣା ଉପରେ ଆମେରିକା ସେନା ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି। ଏହି ଦୁଇଟି ଠିକଣାକୁ ଇରାନର ଇସଲାମିକ ରିଭ୍ୟୁଲେସନାରୀ ଗାର୍ଡ କ୍ରପ୍ସ ବା ଆଇଆରଜିସି ଓ ଏହା ସହ ଜଡ଼ିତ ସଶସ୍ତ୍ର ବାହିନୀ ବ୍ୟବହାର କରିଥାଏ। ଆଇଆରଜିସିର ଦୁଇଟି ଠିକଣା ଉପରେ ଆମେରିକା ସେନା ରକେଟ ମାଡ଼ କରିଥିବା ଦେଶର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି।
ସେ କହିଛନ୍ତି ଯେ ଅକ୍ଟୋବର ୧୭ରୁ ଇରାନ ସମର୍ଥିତ ମିଲିସିଆ ଗ୍ରୁପ୍ ଇରାକ ଓ ସିରିଆରେ ଥିବା ଆମେରିକା ଯବାନଙ୍କ ଉପରେ କ୍ରମାଗତ ହମଲା କରୁଥିଲେ। ଆତ୍ମାରକ୍ଷା ପାଇଁ ଆମେରିକା ସେନା ଏହାର ଜବାବ ଦେଇଛି। ଏଥିପାଇଁ ଗ୍ରୁପର ଦୁଇଟି ଠିକଣାରେ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ଇରାନ ସମର୍ଥିତ ଗ୍ରୁପର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ସେ କହିଛନ୍ତି।
ତାଙ୍କ କହିବା କଥା ଯେ ଇରାନ ସମର୍ଥିତ ଗ୍ରୁପ୍ର ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଛି ଓ ୨୧ ଜଣ ସେନା କର୍ମଚାରୀ ଆହତ ହୋଇଛନ୍ତି। ଆହତ ସତ୍ତ୍ୱେ ସେମାନେ ନିଜର ଡ୍ୟୁଟି ଜାରି ରଖିଛନ୍ତି।
ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲୀ ଖାମେନିଙ୍କୁ ସିଧାସଖଳ ଚେତାବନୀ ଦେଇଥିଲେ। ଇରାନ ସମର୍ଥିତ ଗ୍ରୁପ ବାରମ୍ବାର ଆମେରିକା ସେନାର ବେସ୍ କ୍ୟାମ୍ପକୁ ଟାର୍ଗେଟ କରୁଥିବାରୁ ଏହାର ପରିଣାମ ଭୟଙ୍କର ହେବ ବୋଲି କହିଥିଲେ। ତାଙ୍କ ଚେତାବନୀକୁ ୨୪ ଘଣ୍ଟା ନପୁରୁରୁଣୁ ଆମେରିକା ସେନା ଆଇଆରଜିସିର ଦୁଇଟି ଠିକଣା ଉପରେ ହମଲା କରିଛି।
ଇସ୍ରାଏଲ ସହ ଯୁଦ୍ଧ କରୁଥିବା ହମାସକୁ ଇରାନ ଖୋଲା ସମର୍ଥନ କରିଛି। ତେଣୁ ଇସ୍ରାଏଲ ଓ ହମାସ ଯୁଦ୍ଧ ସହ ଆମେରିକା ଷ୍ଟ୍ରାଇକର ଲିଙ୍କ ଥିବା କୁହାଯାଉଛି। ତେବେ ଆମେରିକା ଏପରି ଲିଙ୍କକୁ ଖଣ୍ଡନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
