/odisha-reporter/media/media_files/2026/01/05/venezuala-2026-01-05-16-25-38.jpg)
ଗିରଫ ହୋଇଥିବା ମାଦୁରୋ
ଭେନେଜୁଏଲା ଉପରେ ଆକ୍ରମଣ(US attack on Venezuela) କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଗିରଫ କରିବା ପୂରା ବିଶ୍ୱର ନିଦ ହଜାଇ ଦେଇଛି। ମାଦୁରୋଙ୍କୁ ଗିରଫ କରି ଆମେରିକା ନ୍ୟୁୟର୍କ ନେଇ ଯାଇଛି। ମାଦୁରୋଙ୍କୁ ଶାସନ ଗାଦିରୁ ହଟାଇ ଭେନେଜୁଏଲାକୁ ନିଜ ଅକ୍ତିଆରକୁ ନେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ।
ସେ ଏବେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜଙ୍କୁ ଖୋଲା ଧମକ ଦେଇଛନ୍ତି। ମାଦୁରୋଙ୍କ ଶାସନ କାଳରେ ଉପରାଷ୍ଟ୍ରପତି ଭାବେ ୨୦୧୮ରୁ ଡେଲସି ରୋଡ୍ରିଗୁଏଜ କାମ କରୁଥିଲେ। ଆମେରିକା ମାଦୁରୋଙ୍କୁ ପଣବନ୍ଦୀ କରି ନ୍ୟୁୟର୍କ ନେଇ ଯାଇଥିବାରୁ ରୋଡ୍ରିଗୁଏଜ ରାଷ୍ଟ୍ରପତି ଦାୟିତ୍ୱରେ ରହିଛନ୍ତି।
ଯଦି ରୋଡ୍ରିଗୁଏଜ ଠିକ କାମ ନ କରିବେ, ତା’ହେଲେ ତାଙ୍କୁ ମାଦୁରୋଙ୍କ ତୁଳନାରେ ଆହୁରି ଅଧିକ କିଛି ପରିଣାମ ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ଯଦି ସେ(ରୋଡ୍ରିଗୁଏଜ) ଯାହା ଠିକ, ତାହା ନ କରିବେ, ତା’ହେଲେ ତାଙ୍କୁ ଅଧିକ ପରିଣାମ ଭୋଗିବାକୁ ପଡ଼ିବ। ଏହା ମାଦୁରୋଙ୍କ ସହ ଘଟିଥିବା ଘଟଣା ଠାରୁ ଆହୁରି ଅଧିକ ହୋଇପାରେ।”
ରାଜଧାନୀ କାରାକସରୁ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବା ପରେ ଟ୍ରମ୍ପ ପ୍ରାରମ୍ଭିକ ଭାବେ ରୋଡ୍ରିଗୁଏଜଙ୍କୁ ପ୍ରଶଂସା କରିଥିଲେ। ରୋଡ୍ରିଗୁଏଜ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଦେଶ ନିଜର ପ୍ରାକୃତିକ ସମ୍ପଦର ସୁରକ୍ଷା କରିବ ବୋଲି କହିବା ପରେ ଟ୍ରମ୍ପଙ୍କ ଚେତାବନୀ ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ କହିବା କଥା ଯେ ଯଦି ରୋଡ୍ରିଗୁଏଜ ଆମେରିକାକୁ ସହାୟତା କରିବେ ନାହିଁ, ତା’ହେଲେ ଭେନେଜୁଏଲରେ ଦ୍ୱିତୀୟ ଷ୍ଟ୍ରାଇକର ବିକଳ୍ପ ମଧ୍ୟ ରହିଛି।
ସେ କହିଛନ୍ତି, “ଆମେ ଏବେ ଏବେ ଶପଥ ନେଇଥିବା ଲୋକଙ୍କ ସହ କାମ କରୁଛୁ। ଆମେ ଦ୍ୱିତୀୟ ୱେଭ ପାଇଁ ମଧ୍ୟ ପ୍ରସ୍ତୁତ। ସବୁ କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। କିନ୍ତୁ ମୁଁ ଭାବୁଛି ଏହାର ଆବଶ୍ୟକତା ନାହିଁ। ଠିକଣା ସମୟରେ ନିର୍ବାଚନ ହେବ ବୋଲି ଆଶା। ଭେନେଜୁଏଲାରେ ଥିବା ତେଲ ଓ ଅନ୍ୟ ସମ୍ପଦର ସିଧା ବ୍ୟବହାର ଆମେରିକା ଚାହୁଁଛି।”
ମାଦୁରୋଙ୍କୁ ବଳପୂର୍ବକ ଉଠାଇ ନେବା ଘଟଣାକୁ ଟ୍ରମ୍ପ ଠିକ ବୋଲି ଦର୍ଶାଇଛନ୍ତି। ସେ ଆହୁରି କହିଛନ୍ତି ଯେ କ୍ୟୁବ ମଧ୍ୟ ଭୁଶୁଡ଼ିବାକୁ ଯାଉଛି। ସେଠାରେ କୌଣସି କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ନାହଁ। ଏବେ କ୍ୟୁବା ପାଖରେ କୌଣସି ଆୟ ନାହିଁ। ସେମାନେ ଭେନେଜୁଏଲା ତେଲରୁ ସବୁ ଆୟ କରୁଥିଲେ। ଏବେ ସେମାନଙ୍କୁ ଆଉ କିଛି ମିଳିବ ନାହିଁ। କ୍ୟୁବା ଏବେ ନିଶ୍ଚିତ ଭାବେ ଭୁଶୁଡ଼ିବ ବୋଲି ସେ ଦାବି କରିଛନ୍ତି।
କଲୋମ୍ବିଆ ଓ ମେକ୍ସିକୋକୁ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, “କଲୋମ୍ବିଆ ଜଣେ ଦୁର୍ବଳ ଲୋକ ହାତରେ ରହିଛି। ସେ ଆଉ ବେଶୀ ଦିନ ଶାସନ କରିପାରିବେ ନାହିଁ। ଅପରେସନ କଲୋମ୍ବିଆ ମୋତେ ଶୁଣିବାକୁ ଭଲ ଲାଗୁଛି। ଆମେ ମେକ୍ସିକୋ ସହ ମଧ୍ୟ କିଛି କରିବୁ। ମେକ୍ସିକୋକୁ ତା’ର କର୍ମର ଫଳ ଏକାଠି ମିଳିବ। ଯଦି ସେମାନେ ଭଲ ବ୍ୟବହାର ନ କରିବେ, ଆମେ ଦ୍ୱିତୀୟ ଷ୍ଟ୍ରାଇକ କରିବୁ।”
ଭେନେଜୁଏଲାର ପ୍ରତିକ୍ରିୟା
ଦେଶର ଅନ୍ତରୀଣ ରାଷ୍ଟ୍ରପତି ରୋଡ୍ରିଗୁଏଜ ଆମେରିକା ସହ ଗୋଟିଏ ସନ୍ତୁଳିତ ଓ ସମ୍ମାନଜନକ ସମ୍ପର୍କ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଆମେରିକା ଓ ଭେନେଜୁଏଲା ମଧ୍ୟରେ ଗୋଟିଏ ସନ୍ତୁଳିତ ଓ ସମ୍ମାନଜନକ ସମ୍ପର୍କ ପ୍ରତିଷ୍ଠା ପାଇଁ ଆମେ ପ୍ରମୁଖତାର ସହ ଆଗକୁ ବଢ଼ିବାକୁ ବିଚାର କରୁଛୁ। ଆମେ ଆମେରିକୀୟ ସରକାରକୁ ବିକାଶ ଦିଗରେ ଏକାଠି କାର୍ଯ୍ୟ କରିବା ପାଇଁ ନିମନ୍ତ୍ରଣ କରୁଛୁ।”
ତେବେ ଭେନେଜୁଏଲାର ପ୍ରତିରକ୍ଷା ମନ୍ତ୍ରୀ ଭ୍ଲାଡିମିର ପାଡ୍ରିନୋ ଲୋପେଜ ପୂରା ବିଶ୍ୱକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ଯଦି ଭେନେଜୁଏଲା ବିରୋଧରେ ଆଜି ଏସବୁ ଘଟିଛି, କାଲି ଏହା ଯେକୌଣସି ସରକାର କିମ୍ବା ଦେଶ ସହ ଘଟିପାରେ। ମୁଁ ଭେନେଜୁଏଲାର ଲୋକମାନଙ୍କୁ ଶାନ୍ତି ଓ ସତର୍କତାର ସହ ରହିବାକୁ ଆହ୍ୱାନ ଦେଉଛି।
ସେମାନେ ମାନସିକ ଯୁଦ୍ଧ, ଧମକ ଓ ଭୟ କିମ୍ବା ଆମ ଉପରେ ଲାଗୁ ହେଉଥିବା କଟକଣାର ଜାଲରେ ଫସନ୍ତୁ ନାହିଁ। ମୁଁ ଭେନେଜୁଏଲାର ଲୋକମାନଙ୍କୁ କାମ, ଶିକ୍ଷା ଓ ଅନ୍ୟ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆରମ୍ଭ କରିବାକୁ ପରାମର୍ଶ ଦେଉଛି।”
ମାଦୁରୋ ଓ ପ୍ରଥମ ମହିଳା ସିଲିଆ ଫ୍ଲୋରେର୍ସ ଡେ ମାଦୁରୋଙ୍କୁ ତୁରନ୍ତ ଖଲାସ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ଲୋପେଜ ଆମେରିକାକୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
