Advertisment

ରୁଷୀୟ ମହିଳାଙ୍କୁ ପୁଟିନଙ୍କ ବାର୍ତ୍ତା - ୮ରୁ ଅଧିକ ଛୁଆ ଜନ୍ମ କର

ଶହ ଶହ ବର୍ଷର ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବାକୁ ହେଲେ ଏବେକାର ମହିଳାମାନଙ୍କୁ ମଧ୍ୟ ୮ କିମ୍ବା ତଦୁର୍ଦ୍ଧ୍ୱ ସନ୍ତାନ ଜନ୍ମ କରିବାକୁ ପଡ଼ିବ ବୋଲି କହିଛନ୍ତି ପୁଟିନ।

author-image
Niharika Rout
ଅଦ୍ୟତନ ହୋଇଛି
Putin

Putin

‘ଆମକୁ ଆମ ପୂର୍ବ ପୁରୁଷଙ୍କ ପରମ୍ପରାକୁ ଆଗକୁ ବଢ଼ାଇ ନେବାକୁ ପଡ଼ିବ। ପୂର୍ବରୁ ଆମ ଜେଜେମା’ ତଥା ସେମାନଙ୍କ ପୂର୍ବଜ ୭, ୮ ଛୁଆ ଜନ୍ମ କରୁଥିଲେ। ଆମକୁ ବି ଏବେ ସମାନ ନୀତି ଆପଣାଇବାକୁ ପଡ଼ିବ। ଶହ ଶହ ବର୍ଷର ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବାକୁ ହେଲେ ଏବେକାର ମହିଳାମାନଙ୍କୁ ମଧ୍ୟ ୮ କିମ୍ବା ତଦୁର୍ଦ୍ଧ୍ୱ ସନ୍ତାନ ଜନ୍ମ କରିବାକୁ ପଡ଼ିବ।’ ଗତ ମଙ୍ଗଳବାର ମସ୍କୋରେ ଏକ ସଭାକୁ ସମ୍ବୋଧନ କରି ଏପରି ଭାଷଣ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଏପରି ଭାଷଣ ସମସ୍ତଙ୍କୁ ଚକିତ କରି ଦେଇଛି।

Advertisment

ଗତ ମଙ୍ଗଳବାର ମସ୍କୋରେ ୱାର୍ଲ୍ଡ ରୁଷିଆନ ପିପୁଲସ୍‌ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁଟିନ ଯୋଗ ଦେଇଥିଲ।

ରୁଷରେ ଜନ୍ମ ହାର ଏବେ ତଳମୁହାଁ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୁଟିନ। ଏଥିସହ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ଦେଶର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇ ସାରିଥିବା କୁହାଯାଉଛି। ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଦେଶର ଜନସଂଖ୍ୟା ବୃଦ୍ଧି ଏକମାତ୍ର ବିକଳ୍ପ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏଥିନିମନ୍ତେ ଦେଶର ମହିଳାଙ୍କୁ ଉତ୍ସାହିତ କରିଛନ୍ତି ପୁଟିନ।

Advertisment

ନିଜ ଅଭିଭାଷଣରେ ସେ କହିଛନ୍ତି, ଆମ ଦେଶର ବହୁତ ପରିବାରରେ ଏବେ ବି ୪, ୫ କିମ୍ବା ତା’ଠୁ ଅଧିକ ସନ୍ତାନ ରହୁଛନ୍ତି। ଏହା ପୂର୍ବରୁ ଆମ ଜେଜେମା’ ଅମଳରେ ପ୍ରତି ପରିବାରରେ ୭, ୮ କିମ୍ବା ତା’ଠୁ ଅଧିକ ଛୁଆ ଜନ୍ମ ହେଉଥିଲେ।

ଏବେ ପୁଣି ଥରେ ସେହି ପରମ୍ପରାକୁ ପୁର୍ନଜୀବୀତ କରିବାର ସମୟ ଆସିଛି। ସମାଜ କିମ୍ବା ଦେଶ ଗଠନର ମୂଳଦୁଆ ଯେ କେବଳ ପରିବାରଠୁ ପଡ଼େ ତାହା ନୁହେଁ, ଏହା ମଣିଷକୁ ଭଲ ବାଟରେ ଅନୁପ୍ରାଣିତ କରିଥାଏ। ତେଣୁ ଏହି ପ୍ରଥାକୁ ଆମେ ପୁଣି ଥରେ ଜାଗ୍ରତ କରିବା ଉଚିତ ବୋଲି କହିଛନ୍ତି ପୁଟିନ।

ତେଣୁ ଆଗାମୀ ଦଶନ୍ଧିରେ ରୁଷିଆର ଜନସଂଖ୍ୟା ବୃଦ୍ଧି କରିବା ଆମର ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ। ଏହାଦ୍ୱାରା ହିଁ ଏକ ସୁନ୍ଦର ରୁଷିଆ ଗଠନରେ ସହାୟକ ହେବ ବୋଲି ପୁଟିନ କହିଛନ୍ତି।

ୟୁକ୍ରେନ ସହ ଯୁଦ୍ଧରେ ପ୍ରାୟ ୩ ଲକ୍ଷ ରୁଷୀୟ ନାଗରିକ ପ୍ରାଣ ହରାଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। ମାତ୍ର ପୁଟିନ ସିଧାସଳଖ ଏ ସମ୍ପର୍କରେ ପାଟି ଫିଟାଉ ନ ଥିବା ବେଳେ ତାଙ୍କ ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଭାଷଣକୁ ତାହା ସହ ସଂଯୋଗ କରାଯାଉଛି।

Russia