Advertisment

ଅପହରଣ ପରେ କାଠ ଫାଳିଆରେ ପୁଲିସ୍‌ ପିଟିଥିବା କହିଲେ ଇମ୍ରାନ ଖାନ

ମଙ୍ଗଳବାର ଇମ୍ରାନ ଖାନଙ୍କୁ ଦୁର୍ନୀତି ମାମଲାରେ ଏନବିଏସ ଗିରଫ କରିଥିଲା। ଏହା ବିରୋଧରେ ପୂରା ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଗିରଫଦାରୀକୁ ବିରୋଧ କରି ପିଟିଆଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା।

author-image
Hemant Lenka
Imran Khan

Imran Khan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଅପହରଣ କରାଯାଇଥିଲା। ଏହାପରେ ପୁଲିସ୍‌ ପକ୍ଷରୁ ତାଙ୍କୁ କାଠ ଫାଳିଆରେ ମାଡ଼ ମରାଯାଇଥିଲା ବୋଲି ସେ ଆଜି ପାକିସ୍ତାନର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

Advertisment

ମଙ୍ଗଳବାର ଇମ୍ରାନ ଖାନଙ୍କୁ ଦୁର୍ନୀତି ମାମଲାରେ ଏନବିଏସ ଗିରଫ କରିଥିଲା। ଏହା ବିରୋଧରେ ପୂରା ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଗିରଫଦାରୀକୁ ବିରୋଧ କରି ପିଟିଆଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା।

ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ଇମ୍ରାନ ଖାନଙ୍କୁ ହାଜର କରାଇବା ପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଇମ୍ରାନ ଖାନ କୋର୍ଟରେ ହାଜର ହୋଇ ତାଙ୍କ ସହ କ’ଣ ସବୁ ବ୍ୟବହାର କରାଯାଇଛି, ସେସବୁ ବିଷୟରେ କହିଛନ୍ତି।

Advertisment

ଇମ୍ରାନ ଖାନ କହିଛନ୍ତି, “ମୋତେ ହାଇକୋର୍ଟରୁ ଅପହରଣ କରାଯାଇଥିଲା। ଏପରି କି ମୋତେ କାଠ ଫାଳିଆରେ ମାଡ଼ ମରାଯାଇଥିଲା। ଜଣେ ଅପରାଧୀ ସହ ମଧ୍ୟ ଏମିତି ବ୍ୟବହାର କରାଯାଉ ନଥିବ। ମୁଁ କିଛି ବି ଜାଣିନି। ଏବେ କ’ଣ ସବୁ ଘଟୁଛି, ସେସବୁ ମଧ୍ୟ ମୁଁ ବୁଝି ପାରୁନି। ଯଦି କେହି ମୋତେ ଗିରଫ କରିବାକୁ ଚାହୁଁଛି, ତା’ହେଲେ ମୋତେ ୱାରେଣ୍ଟ ଦେଖାଇବା କଥା। ଆଇନକୁ ମୁଁ ସମ୍ମାନ କରେ।”

ଏକଥା ଶୁଣିବା ପରେ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ସହ ଅନ୍ୟାୟ ହୋଇଥିବା କହିଥିଲେ। ଏହାପରେ ତାଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କରି ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସର୍ବୋଚ୍ଚ ଅଦାଲତ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଘରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଇମ୍ରାନ ଖାନ ଏବେ ଇସଲାମାବାଦ ପୁଲିସ୍‌ ଲାଇନ ଗେଷ୍ଟ ହାଉସରେ ରହିବେ। ଆସନ୍ତାକାଲି ସୁଦ୍ଧା ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ନିଜ ଆଡ଼ୁ ହାଜର ହେବାକୁ କୋର୍ଟ କହିଛନ୍ତି।

Pakistan Imran Khan