Advertisment

ୱାଶିଂଟନ ପୋଷ୍ଟର ଦାବି: ଭାରତକୁ ଆମେରିକାରୁ ମିଳିନି କୌଣସି ପାଣ୍ଠି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ ୟୁଏସଏଆଇଡି ଜରିଆରେ ପାଣ୍ଠି ମିଳିଥିବା କହିଥିଲେ। ଏହାକୁ ନେଇ ଭାରତରେ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ୱାଶିଂଟନ ପୋଷ୍ଟ ଅଲଗା ରିପୋର୍ଟ ପ୍ରକାଶ କରିଛି।

USAID

USAID

Advertisment

ଭାରତରେ ଭୋଟ ହାରରେ ଉନ୍ନତି ଆଣିବା ପାଇଁ ଆମେରିକା ପକ୍ଷରୁ ୨୧ ନିୟୁତ ଡଲାର ସହାୟତା ଯୋଗାଇ ଦିଆଯାଉଥିବା ଦାବିକୁ ମିଛ ବୋଲି କହିଛି ୱାଶିଂଟନ ପୋଷ୍ଟ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ ୟୁଏସଏଆଇଡି ଜରିଆରେ ପାଣ୍ଠି ମିଳିଥିବା କହିଥିଲେ। ଏହାକୁ ନେଇ ଭାରତରେ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ୱାଶିଂଟନ ପୋଷ୍ଟ ଅଲଗା ରିପୋର୍ଟ ପ୍ରକାଶ କରିଛି। ଭାରତକୁ ପାଣ୍ଠି ଯୋଗାଣ ନେଇ ଆମେରିକା ରାଷ୍ଟ୍ରପତି କରୁଥିବା ଦାବିର କୌଣସି ପ୍ରମାଣ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। 

Advertisment

ଆମେରିକାନ ଖବରକାଗଜ ୱାଶିଂଟନ ପୋଷ୍ଟରେ ଏନେଇ ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି। ଏହାର ଶୀର୍ଷକ ରହିଛି କେମିତି ଏଲନ ମସ୍କଙ୍କ ନେତୃତ୍ୱାଧୀନ ଡିଓଜିଇର ଗୋଟିଏ ମିଥ୍ୟା ରିପୋର୍ଟ ଭାରତରେ ରାଜନୀତିକ ଝଡ଼ ସୃଷ୍ଟି କରିଛି। ଭାରତକୁ କୌଣସି ନିର୍ବାଚନ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ମିଳିନାହିଁ। ବରଂ ୟୁଏସଏଆଇଡି ୨୧ ନିୟୁତ ଡଲାର ବାଂଲାଦେଶକୁ ଦେଇଥିଲା ବୋଲି ରିପୋର୍ଟରେ ଦାବି କରାଯାଇଛି।

ଶୁକ୍ରବାର ଇଣ୍ଡିଆନ ଏକ୍ସପ୍ରେସରେ ସମାନ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ସତ୍ୟତା ଥିବା ୱାଶିଂଟନ ପୋଷ୍ଟର ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଶୁକ୍ରବାର ଇଣ୍ଡିଆନ ଏକ୍ସପ୍ରେସରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ୨୦୦୮ ପରଠାରୁ ୟୁଏସଏଆଇଡି ଠାରୁ ଭାରତକୁ କୌଣସି ନିର୍ବାଚନ କାର୍ଯ୍ୟକ୍ରମ ପାଇଁ କୌଣସି ପାଣ୍ଠି ଗ୍ରହଣ କରାଯାଇ ନାହିଁ। ୨୦୨୨ରେ ୟୁଏସଏଆଇଡି ବାଂଲାଦେଶର ଭୋଟ ହାର ବୃଦ୍ଧି ପାଇଁ ୨୧ ମିଲିୟନ ଡଲାର ଦେଇଥିଲା। 

Advertisment

ଏହି ରିପୋର୍ଟକୁ ଆଧାର କରି ବିଜେପିକୁ ଟାର୍ଗେଟ କରୁଥିବା କଂଗ୍ରେସ ଏବେ ୱାଶିଂଟନ ପୋଷ୍ଟକୁ ଆଧାର କରି ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି। କଂଗ୍ରେସ ମୁଖପାତ୍ର ପବନ ଖେଡ଼ା କହିଛନ୍ତି, “ବିଜେପି ଓ ଏହାର ଅନ୍ଧଭକ୍ତ ଏବେ ଏପରି ଖୁଲାସା ପରେ ନିଜ ଶବ୍ଦ ନିଜେ ଖାଇବେ।” ବିଜେପି ଟ୍ରମ୍ପଙ୍କ ପାଣ୍ଠି ଯୋଗାଣ ବୟାନକୁ ଆଧାର କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଚାଲିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ରାହୁଲ ଗାନ୍ଧି ବିଦେଶୀ ଶକ୍ତିର ସହାୟତା ଲୋଡ଼ିଥିବା ବିଜେପି କହିଥିଲା।

ଏବେ ଖେଡା କହିଛନ୍ତି, “ଭାରତରେ ଭୋଟ ହାରରେ ଉନ୍ନତି ପାଇଁ ତଥାକଥିତଚ ଆମେରିକା ପାଣ୍ଠି ଯୋଗାଣାର ପର୍ଦ୍ଦାଫାସ ହୋଇଛି। ୱାଶିଂଟନ ପୋଷ୍ଟ ଜାଣିବାକୁ ପାଇଛି ଯେ ସେମିତି କୌଣସି କାର୍ଯ୍ୟକ୍ରମର ଅସ୍ଥିତ୍ୱ ନାହିଁ ଓ କୌଣସି ପାଣ୍ଠି ଭାରତକୁ ଆସିନାହିଁ। ବିଜେପି ଓ ଏହାର ଅନ୍ଧ ଭକ୍ତଙ୍କ ପାଇଁ କାଉ ଏବେ ସେମାନଙ୍କର ଦୈନିକ ଡାଏଟ ପ୍ଲାନ ହୋଇଛି। ଏବେ ଏପରି ତ୍ରୁଟି ପରେ କିଏ ସେମାନଙ୍କ ଛଡ଼ା କାଉ ଖାଇବ?

ୱାଶିଂଟନ ପୋଷ୍ଟର ରିପୋର୍ଟରେ କ’ଣ କୁହାଯାଇଛି?

ପୂରା ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଏଲନ ମସ୍କଙ୍କ ଡିଓଜିଇ ଦାବି କରିଥିଲା ଯେ ଭାରତରେ ଭୋଟ ହାର ଉନ୍ନତି ପାଇଁ ହୋଇଥିବା ୨୧ ନିୟୁତ ଡଲାର ଅନୁଦାନକୁ ସଂସ୍ଥା ବାତିଲ କରି ଦେଇଛି। ଏହି ୨୧ ନିୟୁତ ଡଲାର ଅନୁଦାନ ୟୁଏସଏଆଇଡି ବିଭିନ୍ନ ଦେଶର ରାଜନୀତିକ ପୃଷ୍ଠଭୂମିକୁ ସୁଦୃଢ଼ କରିବା ପାଇଁ ଦେଉଥିବା ୪୮୬ ନିୟୁତ ଡଲାରର ଅଂଶବିଶେଷ।

ଆମେରିକାର ଏହି ସହାୟତା ଅଭିଯାନ ସହ ଜଡ଼ିତ ୩ ଜଣ ଅଧିକାରୀଙ୍କ ବୟାନକୁ ଆଧାର କରି ୱାଶିଂଟନ ପୋଷ୍ଟ କହିଛି ଯେ ଡିଓଜିଇ ଦାବି କରିବା ଭଳି କୌଣସି କାର୍ଯ୍ୟକ୍ରମ ଭାରତରେ ହୋଇନାହିଁ। ଜଣେ ଅଧିକାରୀ କହିଛନ୍ତି, “ଡିଓଜିଓର ଦାବି ଶୁଣି ଆମେ ସମସ୍ତେ ସ୍ତବ୍ଧ। ଆମେ ଭାରତର ନିର୍ବାଚନ ସମ୍ପର୍କରେ କିଛି ଜାଣି ନାହୁଁ। କାରଣ ଆମେ ଭାରତର ନିର୍ବାଚନରେ କେବେ ବି ହସ୍ତକ୍ଷେପ କିମ୍ବା ସାମିଲ ହୋଇନି।” ଆଉ ଜଣେ ଅଧିକାରୀ ମଧ୍ୟ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ ବିଭିନ୍ନ ସଂଖ୍ୟାକୁ ଦେଖି ଦ୍ୱନ୍ଦ୍ୱରେ ପଡ଼ିଥିବା କହିଛନ୍ତି।

Bjp Congress USA India USAID
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe