ପାକିସ୍ତାନ ପ୍ରଧାନମନ୍ତ୍ରୀ
ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯାଇ ଭିକ ମାଗୁଥିବା କଥାକୁ ପ୍ରଥମଥର ପାଇଁ ସ୍ୱୀକାର କରିଛନ୍ତି ପାକିସ୍ତାନ(Pakistan) ଶରିଫ। ସେ ଓ ପାକିସ୍ତାନର ଆର୍ମି ମୁଖ୍ୟ ଫିଲ୍ଡ ମାର୍ଶଲ ଆସୀମ ମୁନିର ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯାଇ ଆର୍ଥିକ ସହାୟତା ମାଗୁଥିଲେ ବୋଲି ଶରିଫ ସର୍ବସମ୍ମୁଖରେ କହିଛନ୍ତି।
ଶୁକ୍ରବାର ରାତିରେ ପାକିସ୍ତାନର ଶିଳ୍ପପତିମାନଙ୍କୁ ସମ୍ବୋଧନ କରିବା ବେଳେ ଶରିଫ ଏକଥା କହିବା ସହ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସେମାନଙ୍କ ପାଖରେ ଭିକ ମାଗିବା ଛଡ଼ା ଆଉ କିଛି ଉପାୟ ନଥିଲା ବୋଲି ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି।
ପାକିସ୍ତାନର ବିଦେଶ ଭଣ୍ଡାରରେ ସୁଧାର ଆସିଥିବା କଥା କହି ଶରିଫ ସମସ୍ତଙ୍କୁ କହିଛନ୍ତି ଯେ, “ବର୍ତ୍ତମାନର ସ୍ଥିତି ଏପରି ହୋଇଛି ଯେ ଆମ ପାଖରେ ବିଦେଶ ବିନିମୟ ପାଣ୍ଠି ପ୍ରାୟ ଦୁଇ ଗୁଣିତ ହୋଇଯାଇଛି। କିନ୍ତୁ ଆମ ବନ୍ଧୁମାନଙ୍କର ଓ ଏକାଧିକ ରାଷ୍ଟ୍ରଗୁଡ଼ିକ ଋଣ ଏହା ମଧ୍ୟରେ ରହିଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଯିଏ ଋଣ ମାଗିବାକୁ ଯାଇଥାଏ, ନିଶ୍ଚିତ ଭାବେ ତା’ ମୁଣ୍ଡ ନଇଁଥାଏ।”
ସେ ଓ ଆସୀମ ମୁନିର କେମିତି ସବୁ କିଛି ଭୁଲି ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଆର୍ଥିକ ସହାୟତା ମାଗିଥିଲେ, ତା’ର ବିସ୍ତୃତ ସୂଚନା ମଧ୍ୟ ଶରିଫ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଓ ଫିଲ୍ଡ ମାର୍ଶଲ ମୁନିର ଯେତେବେଳେ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇ ଟଙ୍କା ମାଗୁଥିଲୁ ସେତେବେଳେ ଆମେ ଅନେକ ଲଜ୍ଜାବୋଧ କରୁଥିଲୁ। ଋଣ ଆଣିବା ଆମ ଆତ୍ମସମ୍ମାନ ଉପରେ ଗଭୀର ଚାପ ପକାଉଥିଲା।
ଆମ ମୁଣ୍ଡ ଲଜ୍ଜାରେ ନଇଁ ଯାଉଥିଲା। ସେମାନେ ଟଙ୍କା ବଦଳରେ ଅନେକ କିଛି କରିବାକୁ କହୁଥିଲେ, ଆମେ ଏମିତି ଅନେକ ଜିନିଷକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନା ମଧ୍ୟ କରିପାରୁ ନଥିଲୁ। ଟଙ୍କା ପାଇଁ ଆମକୁ ସବୁ କିଛି କରିବାକୁ ପଡ଼ୁଥିଲା।”
ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡ ସହ ପାକିସ୍ତାନ ଆଲୋଚନା କରୁଥିବା ବେଳେ ଶରିଫଙ୍କ ଭିକ ମାଗିବା ସ୍ୱୀକାରୋକ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ପୁଞ୍ଜିର ବ୍ୟବହାର କରି ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧିରେ ସହାୟତା କରିବାକୁ ତାଙ୍କ ସରକାର କେନ୍ଦ୍ରୀୟ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ବ୍ୟବସାୟୀମାନଙ୍କୁ ଶୁଣିବେ ଓ ବଡ଼ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶରିଫ।
ଋଣ କାର୍ଯ୍ୟକ୍ରମ ଓ ସ୍ୱତନ୍ତ୍ର ପରିବେଶ ଜନିତ ଆର୍ଥିକ କାର୍ଯ୍ୟକ୍ରମ ଜରିଆରେ ପାକିସ୍ତାନ ନିକଟରେ ଆଇଏମଏଫ ଠାରୁ ୧.୨ ବିଲିୟନ ଡଲାର ପାଇଥିଲା। ଏହି ଅର୍ଥ ବଳରେ ପାକିସ୍ତାନ ନିଜର ଋଣ ପରିଶୋଧ କରିବା ସହ ବିଦେଶୀ ପାଣ୍ଠିରେ ସୁଧାର ଆଣିଛି। ଡିସେମ୍ବର ସୁଦ୍ଧା ବିଦେଶ ଭଣ୍ଡାରା ୨୦ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ମଧ୍ୟ ପାକିସ୍ତାନ ଆଶା କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/31/pak-2026-01-31-13-58-09.jpg)