Advertisment

Donald Trump: ପୁଟିନଙ୍କୁ ପଣବନ୍ଦୀ କରିବାକୁ ନିର୍ଦ୍ଦେଶ ଦେବ କି ଆମେରିକା? ଜବାବ ରଖିଲେ ଟ୍ରମ୍ପ

ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ହଗ ସ୍ଥିତ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ପୁଟିନଙ୍କ ବିରୋଧରେ ପୂର୍ବରୁ ହିଁ ଗିରଫ ପରୱାନା ଜାରି କରିଛି। ଯୁଦ୍ଧ ଅପରାଧ ପାଇଁ ତାଙ୍କ ନାଁରେ ଏପରି ୱାରେଣ୍ଟ ଜାରି କରାଯାଇଛି।

author-image
Hemant Lenka
Putin

ଟ୍ରମ୍ପ ଓ ପୁଟିନ

ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ରୁଷ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ(Vladimir Putin)ଙ୍କ ସହ ଆମେରିକାର ସମ୍ପର୍କ ତିକ୍ତ ହୋଇଛି। ନିକଟରେ ଆମେରିକା ସେନା ଭେନେଜୁଏଲାରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବଳପୂର୍ବକ ଉଠାଇ ଆଣିଥିଲା। ଏବେ ସେ ନ୍ୟୁୟର୍କ ଜେଲରେ ରହିଛନ୍ତି।

Advertisment

ଏହାପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିରି ଜେଲେନସ୍କି ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ସମାନ ପଦକ୍ଷେପ ନିଅନ୍ତୁ ବୋଲି ଆଶା କରିଛନ୍ତି। କିନ୍ତୁ ଜେଲେନସ୍କିଙ୍କ ସହ ଏକମତ ହୋଇ ନାହାନ୍ତି। ଯଦିଓ ସେ ପୁଟିନଙ୍କ କାମରେ ବେଶ ନିରାଶ ରହିଛନ୍ତି, କିନ୍ତୁ ଜେଲେନସ୍କି ଆଶା କରିଥିବା କଟକଣାର ଆବଶ୍ୟକତା ନଥିବା କହିଛନ୍ତି।

ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ହଗ ସ୍ଥିତ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ପୁଟିନଙ୍କ ବିରୋଧରେ ପୂର୍ବରୁ ହିଁ ଗିରଫ ପରୱାନା ଜାରି କରିଛି। ଯୁଦ୍ଧ ଅପରାଧ ପାଇଁ ତାଙ୍କ ନାଁରେ ଏପରି ୱାରେଣ୍ଟ ଜାରି କରାଯାଇଛି। 

Advertisment

ଏବେ ଟ୍ରମ୍ପଙ୍କୁ ଜେଲେନସ୍କିଙ୍କ ବୟାନ ଉପରେ ପ୍ରଶ୍ନ କରାଯାଇଥିଲା। କ’ଣ ପୁଟିନଙ୍କ ପଣବନ୍ଦୀ ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେବେ କି? ଏହାର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ “ମୁଁ ଭାବୁଛି ଏହାର ଆବଶ୍ୟକତା ନାହିଁ। ଆମେ ତାଙ୍କ ସହ ଆଗକୁ ଓ ପୂର୍ବରୁ ଭଲ ସମ୍ପର୍କ ରଖି ଆସିଛୁ। ମୁଁ ଏବେ ବହୁତ ନିରାଶ। ମୁଁ ୮ଟି ଯୁଦ୍ଧ ସମାଧାନ କରିଛି। ଏବେ ଏହି ଯୁଦ୍ଧ ଶେଷ ହେବାର ମଧ୍ୟଭାଗରେ ରହିଛି। ଏହାର ସମାଧାନ ବେଶ ସହଜ।” 

ଯୁଦ୍ଧରେ ସୈନ୍ୟମାନଙ୍କ ମୃତ୍ୟୁରେ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ ୮ଟି ଯୁଦ୍ଧ ସମାଧାନ କରିଥିବା ବେଳେ ଏଯାଏ ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ କରି ପାରି ନଥିବାରୁ ଅନୁତାପ କରିଛନ୍ତି।

ସେ କହିଛନ୍ତି, “ଗତ ମାସରେ ସେମାନେ ୩୧ ହଜାର ଲୋକଙ୍କୁ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ରୁଷୀୟ ସୈନ୍ୟ। ରୁଷୀୟ ଅର୍ଥନୀତି ଏବେ ବେଶ ଦୁର୍ବଳ। ମୋତେ ଲାଗୁଛି ଆମେ ଅନ୍ତତଃ ଏହି ମାମଲାକୁ ସମାଧାନ କରିନେବୁ। ଏହାକୁ ଶୀଘ୍ର ସମାଧାନ କରିବାର ଅଛି। କାରଣ ଅନେକ ଲୋକ ବିଶେଷ କରି ସୈନ୍ୟମାନେ ପ୍ରାଣ ହରାଇବାରେ ଲାଗିଛନ୍ତି।” 

Vladimir Putin Donald Trump