Advertisment

ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନରେ କ’ଣ ସବୁ ଘଟିଥିଲା?

ଶେଷ ମୁହୂର୍ତ୍ତରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ’ଣ ସବୁ ଘଟିଥିଲା, ତା’ର ରିପୋର୍ଟ ପ୍ରକାଶ ପାଇଛି।

Sheikh Hasina

Sheikh Hasina

Advertisment

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁ ନଥିଲେ ଶେଖ ହସିନା। ଦେଶରେ ଜାରି ରହିଥିବା ଅରାଜାକତାକୁ ସେ ଦୃଢ଼ ଭାବେ ଦମନ କରିବାକୁ ଚାହୁଁଥିଲେ। କିନ୍ତୁ ସୁରକ୍ଷା ବିଭାଗର ମୁଖ୍ୟ ଆନ୍ଦୋଳନକାରୀଙ୍କୁ ଅଟକାଇବା ସମ୍ଭବ ପର ନୁହେଁ କହିବା ପରେ ହସିନାଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ତଥାପି ସେ ବାଂଲାଦେଶ କିମ୍ବା ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ନଥିଲେ। ହେଲେ ତାଙ୍କୁ ଇସ୍ତଫା ଦେଇ ଦେଶ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା।

Advertisment

ଶେଷ ମୁହୂର୍ତ୍ତରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ’ଣ ସବୁ ଘଟିଥିଲା, ତା’ର ରିପୋର୍ଟ ପ୍ରକାଶ ପାଇଛି।

ସୁରକ୍ଷା ମୁଖ୍ୟମାନଙ୍କୁ ସକାଳୁ ଭେଟିଥିଲେ ହସିନା

ରିପୋର୍ଟ ଅନୁସାରେ ଆବାମୀ ଲିଗର ମୁଖ୍ୟ ଶେଖ ହସିନା ସୋମବାର ସକାଳୁ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଓ ପୁଲିସ୍‌ ମୁଖ୍ୟଙ୍କୁ ନିଜ ବାସଭବନକୁ ଡାକିଥିଲେ। ସେମାନେ ସ୍ଥିତି ବେକାବୁ ହୋଇଥିବା ଜଣାଇବା ସହ କ୍ଷମତା ସେନା ଦେବାକୁ ମଧ୍ୟ କିଛି ଅଧିକାରୀ ପରାମର୍ଶ ଦେଇଥିଲେ। କିନ୍ତୁ ୭୬ ବର୍ଷୀୟ ୫ଥରର ପ୍ରଧାନମନ୍ତ୍ରୀ ହସିନା ନିଜ ଜିଦରେ ଅଟଳ ରହିଥିଲେ। ସେ କର୍ଫ୍ୟୁକୁ ଅଧିକ ସଶକ୍ତ କରିବାକୁ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ। 

Advertisment

ସୁରକ୍ଷା ପ୍ରତିଷ୍ଠାନର ମୁଖିଆମାନଙ୍କ ସହ ବୈଠକ ବେଳେ ସେମାନେ କାହିଁକି ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ବୋଲି ହସିନା ପ୍ରଶ୍ନ କରିଥିଲେ। ବିକ୍ଷୋଭକାରୀମାନେ ଗୋଟିଏ ପୁଲିସ୍‌ ଗାଡ଼ି ଉପରେ ଚଢ଼ି ଉପଦ୍ରବ କରୁଥିବା ଭିଡିଓ ଦେଖାଇ ହସିନା ପ୍ରଶ୍ନ କରିଥିଲେ ଯେ ସୁରକ୍ଷାକର୍ମୀମାନେ କାହିଁକି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।

ଗୋଟିଏ ପଏଣ୍ଟରେ ହସିନା କହିଥିଲେ ଯେ ଆପଣମାନେ ଭଲ କାମ କରିଥିବାରୁ ଆପଣମାନଙ୍କୁ ପଦୋନ୍ନତି ମିଳିଛି। ତଥାପି ଆପଣମାନେ କାହିଁକି ଚୁପ ରହୁଛନ୍ତି? ବୈଠକ ବେଳେ ପୁଲିସ୍‌ର ପଦକ୍ଷେପକୁ ଶେଖ ହସିନା ସାଧୁବାଦ ଜଣାଇଥିଲେ। କିନ୍ତୁ ପୁଲିସ୍‌ ମୁଖ୍ୟ କହିଥିଲେ ଯେ ବର୍ତ୍ତମାନ ପରିସ୍ଥିତି ଯାହା ଦୀର୍ଘ ସମୟ ଧରି ଆନ୍ଦୋଳନକାରୀଙ୍କୁ ଅଟକାଇବା ଆଉ ସମ୍ଭବ ନୁହେଁ।

ବୈଠକ ସମୟରେ ସୁରକ୍ଷା ଅଧିକାରୀମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଏଠାରେ ଅଧିକ ଫୋର୍ସର ଆବଶ୍ୟକତା ପ୍ରଶ୍ନ ନୁହେଁ। ତଥାପି ହସିନା କ୍ଷମତା ଛାଡ଼ିବାକୁ ନାରାଜ ଥିଲେ। ତାଙ୍କୁ ବାରମ୍ବାର ସମସ୍ତେ ବୁଝାଇ ନିରାଶ ହୋଇଥିଲେ। ଏହାପରେ ଅଧିକାରୀମାନେ ଆଉ ଗୋଟିଏ ରୁମରେ ତାଙ୍କ ଭଉଣୀ ରେହାନାଙ୍କୁ ବୁଝାଇଥିଲେ। ସେ ପ୍ରଧାନମନ୍ତ୍ରୀ ହସିନାଙ୍କୁ ବୁଝାସୁଝା କରି ଇସ୍ତଫା ଦେବାକୁ ରାଜି କରାନ୍ତୁ ବୋଲି ସେମାନେ କହିଥିଲେ।

ରେହାନା ଏ ସମ୍ପର୍କରେ ହସିନାଙ୍କ ସହ କଥା ହୋଇଥିଲେ। କିନ୍ତୁ କିଛି ବି ଫଳ ମିଳି ନଥିଲେ। ଏହି ସମୟରେ ଆମେରିକାରେ ରହୁଥିବା ହସିନାଙ୍କ ପୁଅ ସାଜୀବ ୱାଜେଦ ଜୟ ଫୋନ ଯୋଗେ ପୂରା ଘଟଣାରେ ହସ୍ତକ୍ଷେପ କରିଥିଲେ। ସେ ତାଙ୍କ ମା’ଙ୍କୁ ବୁଝାସୁଝା କରି ଇସ୍ତଫା ଦେବାକୁ ରାଜି କରାଇଥିଲେ। ସେ ହସିନାଙ୍କୁ ତାଙ୍କ ଜୀବନ ପ୍ରତି ବାଂଲାଦେଶରେ ବିପଦ ଥିବା କହିବାରୁ ସେ ଇସ୍ତଫା ଦେବାକୁ ରାଜି ହୋଇଥିଲେ।

ଶେଷ ଭାଷଣ ରେକର୍ଡ କରିବାକୁ ଚାହୁଁଥିଲେ ହସିନା

ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଗୁଇନ୍ଦା ରିପୋର୍ଟ ଆସିଥିଲା ଯେ ବିକ୍ଷୋଭକାରୀ ଯେକୌଣସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଗଣଭବନରେ ପସି ଯାଇପାରନ୍ତି। ତେଣୁ ଶେଖ ହସିନାଙ୍କୁ ସୁରକ୍ଷାକର୍ମୀ ଜିନିଷପତ୍ର ପ୍ୟାକ କରିବାକୁ ୪୫ ମିନିଟ ସମୟ ଦେଇଥିଲେ। ସେ ଦେଶବାସୀଙ୍କ ପାଇଁ ନିଜର ଶେଷ ଭାଷଣ ରେକର୍ଡ କରିବାକୁ ଚାହୁଁଥିଲେ।

କିନ୍ତୁ ଏଥିପାଇଁ ହସିନା ସମୟ ପାଇ ନଥିଲେ। ଶେଷରେ ହସିନା ନିଜ ଭଉଣୀ ରେହାନାଙ୍କୁ ଧରି ବାସଭବନ ଛାଡ଼ିଥିଲେ। ବାସଭବନରୁ ଏୟାରବେସ ଯିବା ବେଳେ ହସିନା ବାଂଲାଦେଶ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ଅଟକି ଥିଲେ। ସେଠାରେ ସେ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ଦେଇଥିଲେ।

ଦିନ ପ୍ରାୟ ୨.୩୦ରେ ହସିନା ଓ ତାଙ୍କ ଭଉଣୀ ମିଲିଟାରୀ ଏୟାରକ୍ରାଫ୍ଟରେ ବସି ବାଂଲାଦେଶ ଛାଡ଼ିଥିଲେ। ଏଥିସହ ଦୀର୍ଘ ୧୫ ବର୍ଷ ଧରି ବାଂଲାଦେଶରେ ଚାଲିଥିବା ହସିନା ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ୫୦ ବର୍ଷ ତଳେ ହସିନାଙ୍କ ବାପା ଶେଖ ମୁଜିବୁରଙ୍କ ପାଇଁ ବାଂଲାଦେଶର ସ୍ୱାଧୀନତା ପାଇଥିଲା। ଏବେ ତାଙ୍କ ଝିଅ ବାଧ୍ୟ ହୋଇ ଦେଶ ଛାଡ଼ିଛନ୍ତି।

Bangladesh Violence Sheikh Hasina Resigns Sheikh Hasina Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe