ଇମ୍ରାନ ଖାନ (ଫାଇଲ ଫଟୋ)
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଭିତରେ ହତ୍ୟା କରାଯାଇଥିବା ଚର୍ଚ୍ଚା ଜୋର ଧରିଛି। ଜେଲ ଭିତରେ ଇମ୍ରାନ(Imran Khan)ଙ୍କୁ ନିର୍ଯାତନା ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ହଇଚଇ ସୃଷ୍ଟି ହୋଇଛି। ଏହି ଖବର ପରେ ତାଙ୍କର ୩ ଭଉଣୀ ଜେଲକୁ ଯାଇ ତାଙ୍କୁ ଭେଟିବାକୁ ଦାବି କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ଇମ୍ରାନ ଖାନଙ୍କ ୩ ଭଉଣୀ- ନୋରିନ, ଆଲୀମ ଓ ଉଜମା ଖାନ ଦାବି କରିଛନ୍ତି ଯେ ଜେଲ ବାହାରେ ପୁଲିସ୍ ସେମାନଙ୍କୁ ମାଡ଼ ମାରିଛି। ଇମ୍ରାନ ୨୦୨୩ରୁ ରାୱଲପିଣ୍ଡିର ଆଡ଼ିଆଲା ଜେଲରେ ରହିଛନ୍ତି। ତାଙ୍କ ମୃତ୍ୟୁ ଚର୍ଚ୍ଚା ଭିତରେ ଇମ୍ରାନଙ୍କ ୩ ଭଉଣୀ, ତାଙ୍କ ଦଳ ତେହରିକ ଇ ଇନସାଫ(ପିଟିଆଇ)ର ସମର୍ଥକମାନେ ଜେଲ ବାହାରେ ଏକାଠି ହୋଇଥିଲେ। ସେମାନେ ସମସ୍ତେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଦ କରିଥିଲେ। ହେଲେ ସେମାନଙ୍କ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାଡ଼ ମାରିଥିବା ଜଣାପଡ଼ିଛି।
କିନ୍ତୁ ଇମ୍ରାନ ଖାନ ଏବେ କେଉଁଠି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ସେକଥା ପାକିସ୍ତାନ ସରକାର ସ୍ପଷ୍ଟ କରିନାହାନ୍ତି। ୨୦୨୩ରୁ ଆଡିଆଲା ଜେଲରେ ରହିଛନ୍ତି ଇମ୍ରାନ। ହେଲେ ୩ ସପ୍ତାହରୁ ଅଧିକ ଦିନ ହେବ ତାଙ୍କୁ ଭେଟିବାକୁ ଅନୁମତି ମିଳୁ ନଥିବା ତାଙ୍କର ୩ ଭଉଣୀ ଅଭିଯୋଗ କରିଛନ୍ତି।
ଇମ୍ରାନ ଖାନଙ୍କ ପିଟିଆଇ କହିଛି ଯେ ତାଙ୍କ ଭଉଣୀ ଓ ସମର୍ଥକମାନେ ଜେଲ ସାମ୍ନାରେ ଧାରଣା ଦେଇଥିବା ବେଳେ ପୁଲିସ୍ ସେମାନଙ୍କ ଉପରେ ଲାଠି ଚାର୍ଜ କରିବା ସହ ନିର୍ମମ ଭାବେ ମାଡ଼ ମାରିଛି। ସେମାନେ କେବଳ ଇମ୍ରାନ ଖାନଙ୍କୁ ଦେଖା କରିବାକୁ ଦାବି କରୁଥିବାରୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଏବେ ପିଟିଆଇ ଦାବି କରିଛି।
କ’ଣ କହିଛନ୍ତି ଇମ୍ରାନଙ୍କ ଭଉଣୀ?
ପଞ୍ଜାବ ପ୍ରଦେଶ(Pakistan) ପୁଲିସ୍ ମୁଖ୍ୟ ଉସମାନ ଅନୱରଙ୍କୁ ଇମ୍ରାନ ଖାନଙ୍କ ଭଉଣୀମାନେ ଲେଖିଥିବା ଚିଠିରେ କହିଛନ୍ତି ଯେ ହିଂସା ଅନ୍ୟନ୍ତ ନିର୍ମମ ରହିଥିଲା ଓ ପୁଲିସ୍ ପକ୍ଷରୁ ଯୋଜନାବଦ୍ଧ ଭାବେ ଏପରି ଅତ୍ୟାଚାର କରାଯାଇଛି। ଇମ୍ରାନଙ୍କ ଭଉଣୀ ନୋରିନ କହିଛନ୍ତି, “ଆମେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିଲୁ। ଆମେ ରାସ୍ତା ଅବରୋଧ କରି ନଥିଲୁ କିମ୍ବା ଲୋକଙ୍କ ଯିବା ଆସିବାରେ ବାଧା ଦେଇ ନଥିଲୁ। ଆମେ କୌଣସି ବେଆଇନ କାର୍ଯ୍ୟରେ ମଧ୍ୟ ଲିପ୍ତ ନଥିଲୁ। ତଥାପି ବିନା ଚେତାବନୀରେ ହଠାତ୍ ଉକ୍ତ ଅଞ୍ଚଳର ଷ୍ଟ୍ରିଟ ଲାଇଟକୁ ବନ୍ଦ କରି ଦିଆଯାଇଥିଲା।
ଜାଣିଶୁଣି ପୂରା ଅଞ୍ଚଳକୁ ଅନ୍ଧାର କରାଯାଇଥିଲା। ଏହାପରେ ପଞ୍ଜାବ ପୁଲିସ୍ର କର୍ମଚାରୀମାନେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ମହିଳାଙ୍କ ଚୁଟି ଘୋଷାଡ଼ି ଚାପୁଡ଼ା ମରାଯାଇଥିଲା। ସେମାନଙ୍କୁ ତଳେ ପକାଇ ନିର୍ଯାତନା ଦିଆଯାଇଥିଲା।”
ଇମ୍ରାନ ଖାନ ଏକାଧିକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୩ ଅଗଷ୍ଟ ମାସରୁ ଜେଲରେ ରହିଛନ୍ତି। କିନ୍ତୁ ମାସେ ହେଲା ତାଙ୍କୁ କାହା ସହ ଭେଟିବାକୁ ଅନୁମତି ମିଳିନାହିଁ। ନିକଟରେ ଖବର ପ୍ରକାଶ ପାଇଥିଲା ଯେ ଇମ୍ରାନ ଖାନଙ୍କୁ ଜେଲରେ ନିର୍ଯାତନା ଦିଆଯିବା ସହ ଭୟଙ୍କର ଢଙ୍ଗରେ ମାଡ଼ ମରାଯାଇଛି। ତାଙ୍କୁ ଗୋଟିଏ ଘରେ ବନ୍ଦ କରି ରଖାଯିବା ସହ କାହା ସହ ମିଶିବାକୁ ଦିଆଯାଉ ନାହିଁ। ନିକଟରେ ହୋଇଥିବା ମାଡ଼ ଯୋଗୁ ଇମ୍ରାନ ଖାନ ପ୍ରାଣ ହରାଇଥିବା ମଧ୍ୟ ଖବର ପ୍ରକାଶ ପାଇଛି। ଏହାପରେ ତାଙ୍କ ସମର୍ଥକ ଓ ୩ ଉଭଣୀ ତାଙ୍କୁ ଭେଟିବାକୁ ଜିଦ କରୁଛନ୍ତି।
ଇମ୍ରାନ ଖାନଙ୍କ ଲିଗାଲ ଟିମ ସହ ଜଡ଼ିତ ଜଣେ ଆଇନଜୀବୀ କହିଛନ୍ତି ଯେ ଜେଲରେ ଇମ୍ରାନ ଖାନଙ୍କୁ ବହି ଠାରୁ ଆରମ୍ଭ କରି କୌଣସି ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯାଉ ନାହିଁ। ତାଙ୍କୁ ଓକିଲଙ୍କୁ ଭେଟିବାକୁ ମଧ୍ୟ ଅନୁମତି ମିଳୁନି। ବର୍ତ୍ତମାନ ଜଙ୍ଗଲ ଆଇନ ଚାଲିଛି। କେବଳ ରାକ୍ଷାସମାନଙ୍କ ଅଧିକାର ରହିଛି। ଆଉ କାହାର ବି ଏଠାରେ କୌଣସି ଅଧିକାରୀ ନାହିଁ ବୋଲି ଓକିଲ ଜଣଙ୍କ କହିଛନ୍ତି।
ଇମ୍ରାନଙ୍କ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଥିବାରୁ ଖାୟବର ପାଖତୁନଖ୍ୱାର ମୁଖ୍ୟମନ୍ତ୍ରୀ ସୋହାଲି ଆଫ୍ରିଦି ତାଙ୍କୁ ଜେଲରେ ଭେଟିବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ ଭାବେ ସେ ୭ ଥର ଅନୁରୋଧପତ୍ର ପଠାଇଥିଲେ ହେଁ ଜେଲ କର୍ତ୍ତୃପକ୍ଷ ଆଫ୍ରିଦିଙ୍କୁ ମଧ୍ୟ ଭେଟିବାକୁ ଅନୁମତି ମିଳିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/26/imran-khan-2025-11-26-16-37-47.jpg)