/odisha-reporter/media/post_attachments/uploadimage/library/16_9/16_9_0/Balen_Shah_1757423381.jpg)
Balen Shah
ଯେଉଁମାନେ ଦେଶର ସୁରକ୍ଷା କରୁଛନ୍ତି, ସେମାନେ ମୁର୍ଖ। ସବୁ ନେତା ଚୋର। ସେମାନେ ଦେଶକୁ ଲୁଟୁଛନ୍ତି ଓ ଏହାକୁ ଖାଇ ଯାଉଛନ୍ତି। ଏକଥା ଏକଦା ଗୋଟିଏ ଗୀତରେ କହିଥିଲେ ଜଣେ ରାପ୍ପର। ଏବେ ସେ କାଠମାଣ୍ଡୁ ମହାନଗର ପାଳିକାର ମେୟର। କିନ୍ତୁ ଖୁବଶୀଘ୍ର ସେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ନେଇ ପାରନ୍ତି। ଯୁବଗୋଷ୍ଠୀଙ୍କୁ ନିର୍ବାଚନ ଜରିଆରେ ପରିବର୍ତ୍ତନର ଆହ୍ୱାନ ଦେଇଥିବା ସେହି ବ୍ୟକ୍ତି ଜଣଙ୍କ ହେଲେ ବାଲେନ ଶାହ।
ନେପାଳ ରାଜନୀତିରେ ବାଲେନ ଶାହ ଏମିତି ଜଣେ ଚେହେରା, ଯିଏ ଯୁବଗୋଷ୍ଠୀଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରେରଣା ଦେଇଛନ୍ତି। ଯୁବଗୋଷ୍ଠୀ ହିଁ ପରିବର୍ତ୍ତନ କରିପାରିବେ ବୋଲି ସେ ଦେଇଥିବା ଆହ୍ୱାନ ଏବେ ସତ ପ୍ରମାଣିତ ହୋଇଛି। ଓଲି ସରକାର ବିରୋଧରେ ନେପାଳର ଯୁବଗୋଷ୍ଠୀ ଯୁଦ୍ଧଂଦେହୀ ଡାକରା ଦେବାରୁ ନେପାଳ ସ୍ଥିତି ବେକାବୁ ହୋଇଛି। ଓଲି ସରକାର ଦୁର୍ନୀତି ଗ୍ରସ୍ତ ବୋଲି ଯେଉଁ ନାରା ଦିଆଯାଇଥିଲା, ତାହା ବିସ୍ଫୋରକ ରୂପ ନେଇଛି।
ଯୁବଗୋଷ୍ଠୀ ବା ଜେନ ଜେଡ ବିକ୍ଷୋଭକାରୀଙ୍କ ଚାପ ଯୋଗୁ ନେପାଳର ପ୍ରଧାନମନ୍ତ୍ରୀ ପଦରୁ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ ଯୁବଗୋଷ୍ଠୀ ଏବେ ବାଲେନ ଶାହଙ୍କୁ ଦେଶର ନେତୃତ୍ୱ ନେବାକୁ କହିଛନ୍ତି।
ମଙ୍ଗଳବାର ଗୋଟିଏ ଫେସବୁକ ପୋଷ୍ଟରେ ବାଲେନ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେହେତୁ ଇସ୍ତଫା ଦେଇ ସାରିଛନ୍ତି, ତେଣୁ ବିକ୍ଷୋଭକାରୀ ଧନଜୀବନ ନଷ୍ଟ କରିବାରୁ ବିରତ ରୁହନ୍ତୁ। ବାଲେନ କହିଛନ୍ତି, “ଦୟା କରି ଶାନ୍ତ ହୁଅନ୍ତୁ। ଜାତୀୟ ସମ୍ପତ୍ତି ନଷ୍ଟ, ଆମର ସାମୂହିକ କ୍ଷତି। ଏବେ ଆମେ ସମସ୍ତେ ସଂଯତ ହେବା ଦରକାର। ଏବେ ଠାରୁ ଆମ ପିଢ଼ି ଦେଶର ନେତୃତ୍ୱ ନେବେ।”
ସୋମବାର ବାଲେନ ଶାହ ଜେନ ଜେଡ ଆନ୍ଦୋଳନକୁ ସମର୍ଥନ କରିଥିଲେ। କିନ୍ତୁ ୧୮ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ଯୁବକମାନେ ଆନ୍ଦୋଳନ କରୁଥିବାରୁ ସେ ବରିଷ୍ଠତା ଦୃଷ୍ଟିରୁ ବିକ୍ଷୋଭରେ ସାମିଲ ହୋଇ ପାରୁ ନଥିବା କହିଥିଲେ। ନେପାଳର ପ୍ରାୟ ସବୁ ବର୍ଗର ଲୋକ ବାଲେନ ଶାହଙ୍କୁ ସମର୍ଥନ କରୁଛନ୍ତି। ସେ ଚିରାଚରିତ ଢଙ୍ଗ ବଦଳରେ ବେଶ ନାଟକୀୟ ଭାବେ ରାଜନୀତିରେ ପ୍ରବେଶ କରିଥିବାରୁ ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିପାରିଛନ୍ତି।
ବାଲେନ ଶାହ କିଏ? ରାପ୍ପରରୁ କାଠମାଣ୍ତୁର ମେୟର
ବାଲେନ ଶାହ କାଠମାଣ୍ଡୁର ମେୟର ପଦ ଦଖଲ କରିବା ବେଶ ନାଟକୀୟ ଥିଲା। ଜଣେ ରାପ୍ପର ଭାବେ ସେ ସହରର ବିଭିନ୍ନ ଛାତ ଉପରେ ଗୀତ ଗାଉଥିଲେ। ସେ ନିଜର ଗୀତ ଓ ସଂଗୀତ ମାଧ୍ୟମରେ ଦେଶର ଗରିବୀ, ବିକାଶ ଓ ରାଜନୀତିକ ଦୁର୍ନୀତି ପ୍ରସଙ୍ଗ ସମସ୍ତଙ୍କ ସାମ୍ନାକୁ ଆସୁଥିଲେ। ତାଙ୍କ ଗୀତ, ବିଶେଷ କରି ଲୋକପ୍ରିୟ ‘ବଳିଦାନ’କୁ ୟୁଟ୍ୟୁବରେ ୭ ମିଲିୟନ ଲୋକ ଦେଖିଥିଲେ। ଦେଶର ପାରମ୍ପରିକ ରାଜନୀତି ଦ୍ୱାରା ହତାଶ ହୋଇ ପଡ଼ିଥିବା ଯୁବଗୋଷ୍ଠୀ ଏହା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ।
ଏହି କଳାତ୍ମକ ଦକ୍ଷତା ବ୍ୟତୀତ ବାଲେନ ଶାହଙ୍କ ପାଖରେ ଇଞ୍ଜିନିୟରିଂ ଡିଗ୍ରୀ ମଧ୍ୟ ରହିଛି। ୨୦୨୨ ମେୟର ନିର୍ବାଚନ ବେଳେ ସେ ଏକଥା ସମସ୍ତଙ୍କୁ ଜଣାଇ ନିଜର ପ୍ରଚାର କରିଥିଲେ। ରାଜନୀତିକ ପରିବାର କିମ୍ବା ରାଜନୀତିକ ଦଳରୁ ଆସି ନଥିବାରୁ ତାଙ୍କୁ ସମସ୍ତେ ପସନ୍ଦ କରିଥିଲେ। ସେ ଜଣେ ତୃଣମୂଳ ସ୍ତରର ନେତା ଭାବେ ନିଜରକୁ ଗଢ଼ି ପାରିଥିଲେ। ୨୦୨୨ ମେୟର ନିର୍ବାଚନରେ ସେ ସବୁ ରାଜନୀତିକ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ କାଠମାଣ୍ଡୁ ମହାନଗର ପାଳିକା ନିର୍ବାଚନ ଜିତିଥିଲେ।
ବାଲେନ ଶାହଙ୍କ ବିରଳ ପ୍ରଚାର
ନିଜର ବିରଳ ପ୍ରଚାର ଓ ଲୁକ ପାଇଁ ସେ ସମସ୍ତଙ୍କ ଠାରୁ ଅଲଗା ଦିଶୁଥିଲେ। ଗୋଟିଏ କଳା ରଙ୍ଗର ବ୍ଲେଜର, ଜିନ୍ସ, ଚାରି କୋଣିଆ ସନଗ୍ଲାସ ଓ କାନ୍ଧରେ ନେପାଳୀ ପତାକା ପକାଇ ସେ ପ୍ରଚାର ଆରମ୍ଭ କରିଥିଲେ। ଦେଶର ପତାକାକୁ ସେ ଅପମାନିତ କରୁଥିବା ଯେତେବେଳେ ବି ଅଭିଯୋଗ କରାଯାଉଥିଲା ସେତେବେଳେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ୁଥିଲା। ତାଙ୍କ ସପକ୍ଷରେ କାଠମାଣ୍ତୁର ଯୁବଗୋଷ୍ଠୀ ଦୃଢ଼ ଭାବେ ଛିଡ଼ା ହୋଇଥିଲେ। ଯୁବଗୋଷ୍ଠୀଙ୍କ ସମର୍ଥନ ହାସଲ କରିଥିବା ବାଲେନ ଶାହ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ। ସେ କୌଣସି ରାଜନୀତିକ ଦଳ ସହ ମେଣ୍ଟ କରି ନଥିଲେ।
ମାତ୍ର ୩୩ ବର୍ଷ ବୟସରେ ସେ ନୂଆ ରାଜନୀତିକ ସ୍ୱର ଓ ସମ୍ଭାବନା ସାଜି ମେୟର ନିର୍ବାଚନକୁ ଏକତରଫା ଭାବେ ବିଜୟ ହାସଲ କରିଥିଲେ। ତାଙ୍କ ବିଜୟ ନେପାଳ ରାଜନୀତିରେ ନୂଆ ପରିବର୍ତ୍ତନର ସଙ୍କେତ ଦେଇଥିଲା। ୨୦୨୨ରେ ବାଲେନ ଶାହ ଜିତିବା ପରେ ମଧ୍ୟ ତୃଣମୂଳ ସ୍ତରକୁ ଯାଉଛନ୍ତି। ତାଙ୍କୁ ଦେଖି ଯୁବଗୋଷ୍ଠୀ ରାଜନୀତିକୁ ଆସିବାକୁ ମନବାଳାଇଛନ୍ତି। ୩୩ ବର୍ଷ ବୟସରେ ସେ ଯୁବଗୋଷ୍ଠୀଙ୍କ ଆଦର୍ଶ ପାଲଟି ଯାଇଛନ୍ତି।
ସେ ସାବିନା କାଫ୍ଲେଙ୍କୁ ବିବାହ କରିବା ସହ ସୋଶାଲ ମିଡିଆରେ ବେଶ ସକ୍ରିୟ। ସବୁବେଳେ ସେ ସମାଜିତକ ଓ ରାଜନୀତିକ ପ୍ରସଙ୍ଗରେ ଯୁବଗୋଷ୍ଠୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଏବେ ଓଲି ସରକାରର ପତନ ପରେ ସମସ୍ତେ ବାଲେନ ଶାହଙ୍କୁ ଦେଶର ନେତୃତ୍ୱ ନେବାକୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
