/odisha-reporter/media/post_attachments/uploadimage/library/16_9/16_9_0/Khamenei_1750320556.jpg)
Khamenei
ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଖୁବଶୀଘ୍ର ହସ୍ତକ୍ଷେପ କରିବ। ଆମେରିକା ପକ୍ଷରୁ ଇରାନରେ ସବୁଠାରୁ ବଡ଼ ହମଲା କରିବା ଯୋଜନାରେ ରହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାର ସଙ୍କେତ ନିଜେ ଟ୍ରମ୍ପ ଦେବା ସହ ଇରାନକୁ ଖୋଲା ଧମକ ଦେଇଛନ୍ତି। ନିକଟରେ ସେ କହିଥିଲେ ଯେ “ଇରାନର ତଥାକଥିତ ସୁପ୍ରିମ ଲିଡର କେଉଁଠି ଲୁଚି ଛନ୍ତି, ସେକଥା ଆମକୁ ଜଣା। ଆମେ ଏବେ ତାଙ୍କୁ କିଛି ବି କରିବୁ ନାହିଁ। ଅତି କମରେ ଏବେ କିଛି ହେବ ନାହିଁ।” ଏହାପରେ ସେ ଇରାନ ଏହାର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନିଙ୍କୁ ନିଃସର୍ତ୍ତ ଆତ୍ମସମର୍ପଣ କରିବାକୁ କହିଛନ୍ତି।
ଖାମେନି ଆତ୍ମସମର୍ପଣ କରିବାକୁ ମନା କରିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି ଯେ “ବିବାଦକୁ ତୀବ୍ର କରିବାକୁ ନୁହେଁ, ବରଂ ଶେଷ କରିବାକୁ ଅପରେସନ କରାଯାଉଛି। ଆମେ ସେମାନଙ୍କର ଟପ୍ ଆଣବିକ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରିଥିଲୁ।”
ଶୁକ୍ରବାର ଠାରୁ ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିବା ସହ ଇରାନର ଆଣବିକ ପ୍ରତିଷ୍ଠାନ ଓ ସାମରିକ ଘାଟି ଗୁଡ଼ିକ ଉପରେ ବୋମା ବର୍ଷଣ କରି ଚାଲିଛି। ଏହାର ଜବାବରେ ଖାମେନି ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ଓ ଇରାନ ପକ୍ଷରୁ ଇସ୍ରାଏଲକୁ ଟାର୍ଗେଟ କରାଯାଇ ବାଲାଷ୍ଟିକ ମିସାଇଲ ମଧ୍ୟ ମାଡ଼ କରାଯାଉଛି।
ଉଭୟ ଟ୍ରମ୍ପ ଓ ନେତାନ୍ୟାହୁ ଇରାନ ବିରୋଧରେ ଆକ୍ରମଣକୁ ଜୋରଦାର କରିବାକୁ କହିବା ସହ ଖାମେନିଙ୍କୁ ଖତମ କରିବାକୁ ସଙ୍କେତ ଦେଇଛନ୍ତି। ଯଦି ଆମେରିକା ଓ ଇସ୍ରାଏଲ ନିଜ ଯୋଜନାରେ ସଫଳ ହେବେ, ତା’ହେଲେ ଅଲୀ ଖାମେନିଙ୍କ ସ୍ଥାନରେ କିଏ ଇରାନର ସୁପ୍ରିମ ଲିଡର ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କିଏ ନେଇ ପାରନ୍ତି ଅୟତୋଲ୍ଲା ଅଲୀ ଖାମେନିଙ୍କ ସ୍ଥାନ?
୧- ମୋଜତାବା ଖାମେନି: ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନିଙ୍କ ଦ୍ୱିତୀୟ ପୁଅ ହେଉଛନ୍ତି ମୋଜତାବା। ଆଇଆରଜିସି ଓ ଇରାନର ଅନ୍ୟ ସଶସ୍ତ୍ର ବଳଗୁଡ଼ିକ ସହ ତାଙ୍କର ଘନିଷ୍ଠତା ରହିଛି। ଏବେ କୁହାଯାଉଛି ଯେ ତାଙ୍କୁ ନେତୃତ୍ୱ ନେବାକୁ ପ୍ରସ୍ତୁତ କରାଯାଉଛି। ତଥାପି ବଂଶବାଦ ଉତ୍ତରାଧିକାରୀଙ୍କୁ ନେଇ ମୋଜତାବା ସମାଲୋଚନାର ଶିକାର ହେବାର ଆଶଙ୍କା ରହିଛି।
୨- ଅଲୀରେଜା ଅରାଫି: ବରିଷ୍ଠ ମୌଲବୀ, ଆସେମ୍ୱ୍ଲି ଏକ୍ସପର୍ଟର ବିଶେଷଜ୍ଞ ଓ କ୍ୱାମ ସେମିନାରର ମୁଖ୍ୟ ହେଉଛନ୍ତି ଅରାଫି। ସେ ଗାର୍ଡିୟାନ କାଉନସିଲ ଭାବେ ମଧ୍ୟ କାମ କରିଛନ୍ତି। ଉଭୟ ଧାର୍ମିକ ଓ ରାଜନୀତିକ ସଂସ୍ଥାରେ ତାଙ୍କର ବେଶ ଦବଦବା ରହିଛି।
୩- ଅୟତୋଲ୍ଲା ହାଶେମ ହୁସେନ ବୁଶେରି: ଆସେମ୍ୱ୍ଲି ଏକ୍ସପର୍ଟର ପ୍ରଥମ ଉପାଧ୍ୟକ୍ଷ ଓ କ୍ୱାମ ସେମିନାର ସୋସାଇଟୀର ମୁଖ୍ୟ ହେଉଛନ୍ତି ବୁଶେରି। ସୁପ୍ରିମ ଲିଡରଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ। ସୁପ୍ରିମ ଲିଡରଙ୍କ ପକ୍ଷରୁ ସେ ପ୍ରତି ଶୁକ୍ରବାର କ୍ୱାମରେ ସମୂହ ପ୍ରାର୍ଥନାର ନେତୃତ୍ୱ ନିଅନ୍ତି।
୪- ଅଲୀ ଅସଘର ହେଜାଜି: ପରାଦ ପଛର ସବୁଠାରୁ କ୍ଷମତାଶାଳୀ ଚେହେରା ହେଉଛନ୍ତି ହେଜାଜି। ସେ ସୁପ୍ରିମ ଲିଡରଙ୍କ ଅଫିସରେ ରାଜନୀତିକ ସୁରକ୍ଷା ବ୍ୟାପାର ପ୍ରସଙ୍ଗର ତଦାରଖ କରନ୍ତି। ଇରାନ ଗୁଇନ୍ଦା ସଂସ୍ଥା ସହ ମିଶି ସେ କାମ କରନ୍ତି। ଦେଶର ଗୁରୁତ୍ୱପୂର୍ଣ୍ଣ ରଣନୀତିର ଦାୟିତ୍ୱ ତାଙ୍କ ଉପରେ ରହିଛି।
୫- ଗୁଲାମ ହୁସେନ ମୋହଶୀନ ଇଜେଇ : ଦେଶର ନ୍ୟାୟିକ ବ୍ୟବସ୍ଥାର ମୁଖ୍ୟ ତଥା ପୂର୍ବତନ ଗୁଇନ୍ଦା ମନ୍ତ୍ରୀ ହେଉଛନ୍ତି ଇଜେଇ। ଇରାନର ଆଇନ ଓ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକ ସହ ସେ ଦଶନ୍ଧି ଧରି କାମ କରୁଛନ୍ତି। ସେ ସୁପ୍ରିମ ଲିଡରଙ୍କ ବିଶ୍ୱସ୍ତ ଭାବେ ପରିଚିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
