Advertisment

ଶେଖ ହାସନ ନସ୍ରଲ୍ଲା କିଏ? ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ କେମିତି ଆରମ୍ଭ ହେଲା ଶତ୍ରୁତା?

ଇସ୍ରାଏଲ ଭଳି କିଛି ଦେଶ ହେଜବୁଲ୍ଲାକୁ ଆତଙ୍କବାଦୀ ସଂଗଠନ କହୁଥିବା ବେଳେ ଲେବାନନ ରାଜନୀତିରେ ଏହାର ଦବଦବା ରହିଛି। ଲେବାନନ ସଂସଦରେ ହେଜବୁଲ୍ଲାର ସଦସ୍ୟ ମଧ୍ୟ ରହିଛନ୍ତି।

author-image
Hemant Lenka
sheikh-hassan-nasrallah

sheikh-hassan-nasrallah

ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଦାବି କରାଯାଉଛି। ଶୁକ୍ରବାର ଇସ୍ରାଏଲ ସେନା ଲେବାନନର ରାଜଧାନୀ ବେରୁଟରେ ଥିବା ହେଜବୁଲ୍ଲାର ମୁଖ୍ୟାଳୟ ଉପରେ ବୋମା ମାଡ଼ କରିଥିଲା। ଏଥିରେ ହାସନ ନସ୍ରଲ୍ଲାଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ କହିଛି।

Advertisment

ଏହାପୂର୍ବରୁ ଏକାଧିକ ମିଡିଆରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଇସ୍ରାଏଲ ସେନା ନସ୍ରଲ୍ଲାଙ୍କୁ ଟାର୍ଗେଟ କରି ଶୁକ୍ରବାର ବେରୁଟରେ ଆକ୍ରମଣ କରିଛି।

ଇସ୍ରାଏଲ ଭଳି କିଛି ଦେଶ ହେଜବୁଲ୍ଲାକୁ ଆତଙ୍କବାଦୀ ସଂଗଠନ କହୁଥିବା ବେଳେ ଲେବାନନ ରାଜନୀତିରେ ଏହାର ଦବଦବା ରହିଛି। ଲେବାନନ ସଂସଦରେ ହେଜବୁଲ୍ଲାର ସଦସ୍ୟ ମଧ୍ୟ ରହିଛନ୍ତି। ତେଣୁ ହେଜବୁଲ୍ଲାର ମୁଖ୍ୟ ନସ୍ରଲ୍ଲାଙ୍କ ମୃତ୍ୟୁ ପୂରା ମଧ୍ୟପ୍ରାଚ୍ୟକୁ ଦୋହଲାଇ ଦେଇଛି। କାରଣ ପୂରା ମଧ୍ୟପ୍ରାଚ୍ୟରେ ହେଜବୁଲ୍ଲା ସବୁଠାରୁ ବଡ଼ ବିଦ୍ରୋହୀ ସଂଗଠନର ମାନ୍ୟତା ପାଇଥିଲା।

Advertisment

ହାସନ ନସ୍ରଲ୍ଲା କିଏ?

ଦୀର୍ଘ ୩ ଦଶନ୍ଧି ଧରି ଶେଖ ହାସନ ନସ୍ରଲ୍ଲା ମଧ୍ୟପ୍ରାଚ୍ୟର ସବୁଠାରୁ ଶକ୍ତିଶାଳୀ ସଂଗଠନ ହେଜବୁଲ୍ଲାର ନେତୃତ୍ୱ ନେଉଥିଲେ। ଜୀବନ ଧାରଣ ପାଇଁ ସଂଘର୍ଷ କରୁଥିବା ଗୋଟିଏ ଶିଆ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସେ ଧାର୍ମିକ ବିଷୟ ସହ ଜଡ଼ିତ ପାଠପଢ଼ିଥିଲେ ଓ ଅମଲ ଅଭିଯାନରେ ସାମିଲ ହୋଇଥିଲେ। ଅମଲ ଅଭିଯାନ ହେଉଛି ଶିଆ ସଂପ୍ରଦାୟର ରାଜନୀତିକ ଓ ସଂସଦୀୟ ସଂଗଠନ। ଏହାପରେ ସେ ହେଜବୁଲ୍ଲା ନାଁରେ ଗୋଟିଏ ସଂଗଠନ ପ୍ରତିଷ୍ଠା କରିଥିଲେ। 

ନିଜର ଦମଦାର ଭାଷଣ ପାଇଁ ସେ ବେଶ ଜଣାଶୁଣା। ଲେବାନନରେ ସେ ସର୍ବୋଚ୍ଚ ମୌଲବୀ ଭାବେ ପରିଚିତ। କହିବାକୁ ଗଲେ ଲେବାନନର ଅଧିକାଂଶ ଲୋକ ତାଙ୍କ କଥାରେ ପରିଚାଳିତ ହୁଅନ୍ତି। ସେ ନିଜ ଭାଷଣ ମାଧ୍ୟରେ ଇସଲାମ ଧର୍ମର ପ୍ରଚାର କରନ୍ତି। 

୧୯୮୫ରେ ଗୋଟିଏ ଚିଠି ଜାରି କରି ହେଜବୁଲ୍ଲା ବିଧିବଦ୍ଧ ଭାବେ ନିଜର ଉପସ୍ଥିତି ସମ୍ପର୍କରେ ଘୋଷଣା କରିଥିଲା। ଏହି ଚିଠିରେ ଆମେରିକା ଓ ସୋଭିଏତ ୟୁନୟନକୁ ଇସଲାମର ମୁଖ୍ୟ ଶତ୍ରୁ ଭାବେ ବିବେଚନା କରାଯାଇଥିଲା। ଚିଠିରେ ଇସ୍ରାଏଲ ମୂଳପୋଛ ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଥିଲା। ଇସ୍ରାଏଲ ବେଆଇନ ଭାବେ ବଳପୂର୍ବକ ମୁସଲିମ ଅଞ୍ଚଳକୁ ଦଖଲ କରିଥିବା ହେଜବୁଲ୍ଲା କହିଥିଲା।

ଏସବୁ ଭିତରେ ୧୯୯୭ରେ ଆମେରିକା ପ୍ରଥମଥର ପାଇଁ ହେଜବୁଲ୍ଲାକୁ ଆତଙ୍କବାଦୀ ସଂଗଠନ ଭାବେ ବିବେଚନା କରିଥିଲା। ଏହାର ୫ ବର୍ଷ ପୂର୍ବରୁ ନସ୍ରଲ୍ଲା ହେଜବୁଲ୍ଲାର ମହାସଚିବ ଭାବେ ନିଯୁକ୍ତି ପାଇଥିଲେ।

କେମିତି ଇରାନର ଚୀର ଶତ୍ରୁ ପାଲଟିଲା ହେଜବୁଲ୍ଲା?

ବାସ୍ତବରେ ହେଜବୁଲ୍ଲା ଇରାନର ରେଭ୍ୟୁଲେସନାରୀ ଗାର୍ଡ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଲେବାନନରେ ଇସ୍ରାଏଲର ଅନୁପ୍ରବେଶ ବିରୋଧରେ ଇରାନ ସେନା ୧୯୮୨ ମସିହାରେ ଆସିଥିଲେ। ସେମାନଙ୍କ ଦ୍ୱାରା ହେଜବୁଲ୍ଲା ଗଠନ ହୋଇଥିଲା। ନସ୍ରଲ୍ଲାଙ୍କ ନେତୃତ୍ୱରେ ହେଜବୁଲ୍ଲା ବେଶ ସଫଳତାର ସହ ଇରାନ ସହ ମିଶି ଦକ୍ଷିଣ ଲେବାନନରେ ଇସ୍ରାଏଲ କରିଥିବା ଅନୁପ୍ରବେଶକୁ ମୁକାବିଲା କରିଥିଲେ। ଶେଷରେ ୨୦୦୦ ମସିହାରେ ଇସ୍ରାଏଲ ପଛ ଘୁଞ୍ଚା ଦେଇଥିଲା। ଏଥିସହ ୧୮ ବର୍ଷ ଧରି ଇସ୍ରାଏଲ ଦଖଲରେ ଥିବା ଦକ୍ଷିଣ ଲେବାନନ ମୁକ୍ତ ହୋଇଥିଲା।

୨୦୦୬ରେ ହେଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ୩୪ ଦିନ ଧରି ବିବାଦ ଲାଗି ରହିଥିଲା। ଶେଷରେ ଗୋଟିଏ ବୁଝାମଣା ଦ୍ୱାରା ଏହା ଶେଷ ହୋଇଥିଲା। ଏହାକୁ ନସ୍ରଲ୍ଲା ‘ଡିଭାଇନ ଭିକ୍ଟିରୀ’ ଭାବେ ବିବେଚନା କରିଥିଲେ।

ଅକ୍ଟୋବର ୭ରେ ଇସ୍ରାଏଲ ଓ ହମାସ ମଧ୍ୟରେ ପାଲେଷ୍ଟାଇନକୁ ନେଇ ଲଢ଼େଇ ଆରମ୍ଭ ହୋଇଥିଲା। ଦିନକ ପରେ ହେଜବୁଲ୍ଲା ଲେବାନନରୁ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଗାଜାକୁ ସମର୍ଥନ ହେଜବୁଲ୍ଲା ଆକ୍ରମଣ କରିଥିବା ନସ୍ରଲ୍ଲା କହିଥିଲେ।

ଅକ୍ଟୋବର ୭ରୁ ଗାଜାରେ ହମାସ ବିରୋଧରେ ଅପରେସନ କରୁଥିବା ଇସ୍ରାଏଲ ହଠାତ୍ ଗତ ସୋମବାର ଠାରୁ ଉତ୍ତର ସୀମାକୁ ଫୋକସ କରିଥିଲା। ଇସ୍ରାଏଲ ଉତ୍ତର ସୀମାକୁ ଲାଗିଥିବା ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା ଉପରେ ଘନଘନ ଆକ୍ରମଣ ଆରମ୍ଭ ହୋଇଥିଲା। ଶୁକ୍ରବାର ଏହି ଆକ୍ରମଣରେ ନସ୍ରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ଦାବି କରିଛି।

Israel Hezbollah Lebanon Hassan Nasrallah