/odisha-reporter/media/post_attachments/uploadimage/library/16_9/16_9_0/Nepal_1757588938.jpg)
Nepal
ଜେନ ଜେଡ ଆନ୍ଦୋଳନ ଯୋଗୁ ନେପାଳରେ ଶାସନ ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀ ଭାବେ କାମ କରୁଥିବା କେମି ଶର୍ମା ଓଲି ଇସ୍ତଫା ଦେଇ ଦେଶ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ସ୍ଥାନରେ କିଏ ନେପାଳର ପ୍ରଧାନମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ବୁଧବାର ଜେନ ଜେଡ ପକ୍ଷରୁ ଦେଶର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିବା ସୁଶୀଳା କାର୍କିଙ୍କୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ସେ ଦାୟିତ୍ୱ ଗ୍ରହଣ କରିବାରୁ ରାଜି ହୋଇଥିଲେ। ହେଲେ ଏବେ ସେ ରେସ୍ରୁ ବାଦ ପଡ଼ିଥିବା ଜଣାପଡ଼ିଛି।
ତାଙ୍କ ବଦଳରେ ନେପାଳର ବିଜୁଳି ସଙ୍କଟକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇଲେକ୍ଟ୍ରିକାଲ ଇଞ୍ଜିନିୟର କୁଲମନ ଘିସିଙ୍ଗ ଦେଶର ପ୍ରଧାମନନ୍ତ୍ରୀ ହେବା ଦୌଡ଼ରେ ସବୁଠାରୁ ଆଗରେ ରହିଥିବା ଜଣାପଡ଼ିଛି। ଅଧିକାଂଶ ଜେଡ ଜେଡ ବିକ୍ଷୋଭକାରୀ ଘିସିଙ୍ଗଙ୍କ ସପକ୍ଷରେ ମତ ରଖିଛନ୍ତି।
ଗୁରୁବାର ଜେନ ଜେ ପକ୍ଷରୁ ଜାରି ଛୋଟିଆ ବିବୃତିରେ କୁହାଯାଇଛି ଯେ ଘିସିଙ୍ଗଙ୍କ ବ୍ୟତୀତ ୬ ଘଣ୍ଟା ଧରି ଚାଲିଥିବା ଭିଡିଓ କନଫରେନ୍ସିଂ ଆଲୋଚନା ବେଳେ କାଠମାଣ୍ଡୁ ମେୟର ବାଲେନ ଶାହ ଓ ନେପାଳର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସୁଶୀଳା କାର୍କିଙ୍କ ନାଁ ମଧ୍ୟ ବିଚାରକୁ ନିଆଯାଇଥିଲା। ଅଧିକାଂଶ ଜେଡ ଜେଡ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଘିସିଙ୍ଗଙ୍କ ସପକ୍ଷରେ ରହିଛନ୍ତି। ଏହା ଉପରେ ବିଚାର ଚାଲିଛି ବୋଲି ଜେନ ଜେଡ କହିଛି।
କୁଲମନ ଘିସିଙ୍ଗଙ୍କୁ ଆନ୍ଦୋଳନକାରୀ ଦେଶଭକ୍ତ ଓ ସମସ୍ତଙ୍କ ପସନ୍ଦର ପ୍ରାର୍ଥୀ ଭାବେ ଅଭିହିତ କରିଛନ୍ତି। ଏପରି ଖବର ସମସ୍ତଙ୍କୁ ଚକିତ କରିଛି। କାରଣ ଜେନ ଜେଡ ବୁଧବାର ସୁଶୀଳାଙ୍କୁ ଅନ୍ତରୀଣ ନେତା ବାଛି ଥିଲା ଓ ସେ ଆଜି ଆର୍ମି ମୁଖ୍ୟାଳୟରେ ସେନା ମୁଖ୍ୟଙ୍କ ସହ କଥା ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ସେ ନୂଆ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଖବର ମଧ୍ୟରେ ଘିସିଙ୍ଗଙ୍କ ନାଁ ସାମ୍ନାକୁ ଆସିଛି।
ଶ୍ରୀ ଘିସିଙ୍ଗଙ୍କ ନାଁ ଆସିବା ପରେ ବିକ୍ଷୋଭକାରୀଙ୍କ ଭିତରେ ବି ମତପାର୍ଥକ୍ୟ ଦେଖିବାକୁ ମିଳିଛି। ବାସ୍ତବରେ ବିକ୍ଷୋଭକାରୀ ପ୍ରଥମେ ବାଲେନ ଶାହଙ୍କୁ ଦାୟିତ୍ୱ ନେବାକୁ କହିଥିଲେ। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ତେଣୁ ଜେନ ଜେଡ ପକ୍ଷରୁ ସୁଶୀଳାଙ୍କୁ ଅନ୍ତରୀଣ ନେତା ଭାବେ ବଛା ଯାଇଥିଲା। କିନ୍ତୁ କିଛି ବିକ୍ଷୋଭକାରୀ ତାଙ୍କ ନେତୃତ୍ୱକୁ ଗ୍ରହଣ କରିବା ମୁଡରେ ନାହାନ୍ତି।
ପୂର୍ବତନ ବିଚାରପତି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ନେପାଳ ସମ୍ବିଧାନରେ ଉଲ୍ଲେଖ ରହିଛି। ସେହିପରି ତାଙ୍କ ବୟସ ମଧ୍ୟ ୭୩। ତେଣୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଫିଟ ନୁହନ୍ତି।
ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏପରି କି ସେନା ମୁଖ୍ୟାଳୟରେ ଦୁଇ ପକ୍ଷ ମଧ୍ୟରେ ମାରପିଟ ମଧ୍ୟ ହୋଇଛି। ଏସବୁ ଭିତରେ ଘିସିଙ୍ଗଙ୍କ ନାଁ ସାମ୍ନାକୁ ଆସିଛି। ଅନଲାଇନରେ ଘିସିଙ୍ଗ ସପକ୍ଷରେ ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ ହୋଇଯାଇଛି।
କୁଲମନ ଘିସିଙ୍ଗ କିଏ?
୫୪ ବର୍ଷୀୟ କୁଲମନ ଘିସିଙ୍ଗ ହେଉଛନ୍ତି ନେପାଳ ବିଦ୍ୟୁତ ପ୍ରାଧିକରଣର ପୂର୍ବତନ ନିର୍ଦ୍ଦେଶକ। ଦେଶବ୍ୟାପୀ ବିଦ୍ୟୁତକରଣ ସମସ୍ୟାର ସମାଧାନ ତାଙ୍କ ଦାୟିତ୍ୱ ସମୟରେ ସମାପନ ହୋଇଥିଲା। ସେ ଜଣେ ସ୍ୱଚ୍ଛ ଓ ଦକ୍ଷ ପ୍ରଶାସନ ଭାବେ ଜଣାଶୁଣା। ତାଙ୍କର କୌଣସି ରାଜନୀତିକ ଲିଙ୍କ ନାହିଁ। ତେଣୁ ଦୁର୍ନୀତି ମୁକ୍ତ ସରକାର ଗଠନ ପାଇଁ ଦାବି କରୁଥିବା ଜେନ ଜେଡ ପକ୍ଷରୁ ତାଙ୍କୁ ଦାୟିତ୍ୱ ନେବାକୁ କୁହାଯାଇଛି।
୧୯୭୦ ମସିହା ନଭେମ୍ବର ୨୫ରେ ନେପାଳର ବେଥାନ ଗାଁରେ ଜନ୍ମ ଗ୍ରହଣ କରିଥିଲେ ଘିସିଙ୍ଗ। ଭାରତର ଜାମସେଦପୁରରେ ଥିବା ରିଜନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଏହାପରେ କାଠମାଣ୍ଡୁରେ ଥିବା ପୁଲଚୌକ ଇଞ୍ଜିନିୟରିଂ କଲେଜରୁ ପାୱାର ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ ପୋଖରା ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ। ସେ ଜଣେ ବିଦ୍ୟୁତ ଟେକ୍ନିକାଲ ବିଶେଷଜ୍ଞ ଭାବେ ଜଣାଣୁଣା।
ନେପାଳ ବିଜୁଳି ପ୍ରାଧିକରଣରେ ସେ ୧୯୯୪ରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ଦୀଘଆ ୨ ଦଶନ୍ଧି ଧରି ସେ ବିଭିନ୍ନ ଟେକ୍ନିକାଲ ଓ ପ୍ରଶାସନିକ ପଦରେ କାମ କରିଛନ୍ତି। ରୌଘାଟ ହାଇଡ୍ରୋ ଇଲେକ୍ଟ୍ରିସିଟୀ ପ୍ରକଳ୍ପର ମୁଖ୍ୟ ଓ ଚିଲିମେ ହାଇଡ୍ରୋପାୱାର କମ୍ପାନୀର ଏମଡି ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।
୨୦୧୬ରେ ତାଙ୍କୁ ନେପାଳ ବିଦ୍ୟୁତ ପ୍ରାଧିକରଣର ଏମଡି ଭାବେ ନିଯୁକ୍ତି ମିଳିଥିଲା। ନେପାଳ ଦୈନିକ ୧୮ ଘଣ୍ଟାର ବିଜୁଳି କାଟର ସମ୍ମୁଖୀନ ହେଉଥିବା ବେଳେ ସେ ଦାୟିତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଏହି ସମସ୍ୟା ଦୂର ହୋଇଥିଲା। ପୂରା ଦେଶରେ ୨୪ ଘଣ୍ଟିଆ ବିଜୁଳି ସେବା ଆରମ୍ଭ ହୋଇପାରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
