କାହିଁକି ପୁଣି ଅଶାନ୍ତ ହେଲା ବାଂଲାଦେଶ?

ଗତବର୍ଷ ଜୁଲାଇ ମାସରେ ବାଂଲାଦେଶର କ୍ଷମତାସୀନ ଶେଖ ହସିନାଙ୍କ ବିରୋଧରେ ଶିକ୍ଷାର୍ଥୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କୁ ବିରୋଧୀ ଦଳଗୁଡ଼ିକ ଭୂରପୂର ସାଥ ଦେଇଥିଲେ। ପୂରା ଦେଶରେ ନିଆଁ ଜଳିବା ସହ ବ୍ୟାପକ ହିଂସ ଦେଖାଯାଇଥିଲା।

ବିକ୍ଷୋଭକାରୀଙ୍କ ଭଙ୍ଗାରୁଜା ପରେ ପିଜା ହଟ୍‌

  • Published: Wednesday, 09 April 2025
  • , Updated: 09 April 2025, 04:34 PM IST

ପୁଣିଥରେ ଅଶାନ୍ତ ହୋଇ ଉଠିଛି ଭାରତର ପଡ଼ୋଶୀ ବାଂଲାଦେଶ। ଚଳିତ ସପ୍ତାହରେ ଗାଜାରେ ଇସ୍ରାଏଲର ଘନଘନ ଆକ୍ରମଣ ବିରୋଧରେ ତାତିଛନ୍ତି ବାଂଲାଦେଶ ଲୋକ। ଇସ୍ରାଏଲ ପକ୍ଷରୁ ଗାଜାରେ ଆକ୍ରମଣ କରାଯାଉଥିବା ବେଳେ ବାଂଲାଦେଶରେ ବିକ୍ଷୋଭକାରୀ ବିଭିନ୍ନ ଦୋକାନ ଓ ଶୋ’ ରୁମରେ ଭଙ୍ଗାରୁଜା କରି ଲୁଟପାଟ କରିଛନ୍ତି। ବାଟା, କେଏଫସି, ପିଜା ହଟ ଓ ପୁମା ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡର ଦୋକାନଗୁଡ଼ିକରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଏହି ସବୁ ଶୋ’ ରୁମର ଲିଙ୍କ ଇସ୍ରାଏଲ ସହ ରହିଥିବା ଅଭିଯୋଗ କରି ବିକ୍ଷୋଭକାରୀ ଲଙ୍କାକାଣ୍ଡ ଘଟାଇଛନ୍ତି। ଶୋ’ ରୁମରେ ଭଙ୍ଗାରୁଜା କରାଯିବା ସହ ଜିନିଷପତ୍ରକୁ ନଷ୍ଟ କରିଦିଆଯାଇଛି।

ଗାଜାରେ ରହୁଥିବା ପାଲେଷ୍ଟାଇନ ନାଗରିକଙ୍କ ଉପରେ ଇସ୍ରାଏଲ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆକ୍ରମଣ କରିଛି। ଏହାକୁ ବିରୋଧ କରି ହଜାର ହଜାର ବାଂଲାଦେଶୀ ସୟଲହେଟ, ଚଟ୍ଟୋଗ୍ରାମ, ଖୁଲନା, ବରିଶଲ, କୁମିଲ୍ଲା ଓ ରାଜଧାନୀ ଢାକାର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇସ୍ରାଏଲକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥନ କରୁଥିବାରୁ ବିକ୍ଷୋଭକାରୀ ତାଙ୍କ ବିରୋଧରେ ମଧ୍ୟ ନାରାବାଜୀ କରିଥିଲେ।

ବାଂଲାଦେଶର ସଦସ୍ୟତମ ବିକ୍ଷୋଭ ଗତବର୍ଷ କଥା ମନେ ପକାଇ ଦେଇଛି। ଗତବର୍ଷ ଜୁଲାଇ ମାସରେ ବାଂଲାଦେଶର କ୍ଷମତାସୀନ ଶେଖ ହସିନାଙ୍କ ବିରୋଧରେ ଶିକ୍ଷାର୍ଥୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କୁ ବିରୋଧୀ ଦଳଗୁଡ଼ିକ ଭୂରପୂର ସାଥ ଦେଇଥିଲେ। ପୂରା ଦେଶରେ ନିଆଁ ଜଳିବା ସହ ବ୍ୟାପକ ହିଂସ ଦେଖାଯାଇଥିଲା। ଶେଷରେ ଶେଖ ହସିନା ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏବେ ପୁଣି ଦେଶରେ ବିକ୍ଷୋଭ ଓ ଭଙ୍ଗାରୁଜା ଦେଖିବାକୁ ମିଳିଛି।

ବାଂଲାଦେଶ ଶେଖ ହସିନାଙ୍କ ପରେ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ ନିବେଶ ସମ୍ମିଳନୀ ଅନ୍ତରୀଣ ମହମ୍ମଦ ୟୁନୁସ ସରକାରଙ୍କ ନେତୃତ୍ୱରେ କରିବାକୁ ଯାଉଛି। ଏହାପୂର୍ବରୁ ଏପରି ବିକ୍ଷୋଭ ଓ ଭଙ୍ଗାରୁଜା ସମସ୍ତଙ୍କ ନିଜ ହଜାଇ ଦେଇଛି। ବିକ୍ଷୋଭକାରୀଙ୍କୁ ଆୟତ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ରେଡ କରିଛି। ସେହିପରି ଭଙ୍ଗାରୁଜାକୁ ରୋକିବା ପାଇଁ ଲାଠିଚାର୍ଜ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ତଥାପି ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି।

କାହିଁକି କେଏଫସି, ବାଟା ଆଉଟ ଲେଟ ଉପରେ ଆକ୍ରମଣ ହେଲା?

ଅନ୍ତର୍ଜାତୀୟ ବ୍ରାଣ୍ଡ ଯଥା କେଏଫସି, ପୁମା, ବାଟା, ଡୋମିନୋସ ଓ ପିଜା ହଟ ଆଦି ଶୋ’ ରୁମ ଉପରେ ଆକ୍ରମଣ ହୋଇଛି। ଏଗୁଡ଼ିକ ଅନ୍ତର୍ଜାତୀୟ ବ୍ରାଣ୍ଡ ହୋଇଥିବାରୁ ଇସ୍ରାଏଲରେ ମଧ୍ୟ କମ୍ପାନୀଗୁଡ଼ିକର ଆଉଟଲେଟ ରହିଛି। ବିକ୍ଷୋଭକାରୀ ଭାବି ନେଇଛନ୍ତି ଯେ କମ୍ପାନୀଗୁଡ଼ିକର ଲିଙ୍କ ଇସ୍ରାଏଲ ସହ ରହିଛି। ତେଣୁ ସେମାନେ ଏହି ସବୁ ଶୋ’ ରୁମରେ ଭଙ୍ଗାରୁଜା କରିଥିଲେ। ବାସ୍ତବରେ ଇସ୍ରାଏଲ ସହ ଏମାନଙ୍କର କୌଣସି ସମ୍ପର୍କ ନାହିଁ। ସେମାନେ ବାଂଲାଦେଶ ଭଳି ବିଭିନ୍ନ ଦେଶରେ ବ୍ୟବସାୟ କରନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିକ୍ଷୋଭକାରୀ ବାଟା ଶୋ’ ରୁମର ବଡ଼ ବଡ଼ କାଚକୁ ପଥର ମାରି ଭାଙ୍ଗୁଛନ୍ତି। ଏହାପରେ ଶୋ’ ରୁମ ଭିତରେ ପଶି ଜୋତା ସବୁ ଲୁଟ କରୁଛନ୍ତି। ଯିଏ ଯାହା ପାଇଲା ଶୋ’ ରୁମରୁ ନେବା ସହ ଜିନିଷପତ୍ରକୁ ଭାଙ୍ଗୁଛନ୍ତି। ସେହିପରି କେଏଫସି ଆଉଟଲେଟକୁ କାଠ ଫାଳିଆରେ ବାଡ଼େଇ ନଷ୍ଟ କରାଯାଇଛି।

ପୁମା ଓ ଡୋମିନୋସର ଏକାଧିକ ଶୋ’ରେ ବି ଭଙ୍ଗାରୁଜା ହୋଇଛି। ବିକ୍ଷୋଭକାରୀମାନେ ବ୍ୟାପକ ସମ୍ପତ୍ତି ନଷ୍ଟ କରିଥିଲେ ହେଁ ସେମାନଙ୍କୁ ପ୍ରକୃତ ତଥ୍ୟ ସମ୍ପର୍କରେ ଆଦୌ ଜଣା ନଥିଲା। ସେମାନେ କେବଳ ଉତ୍ସାହିତ ହୋଇ ଶୋ’ ରୁମ ଗୁଡ଼ିକର କ୍ଷତି କରିଛନ୍ତି। କାରଣ ଇସ୍ରାଏଲ ସହ ଏହି ଶୋ’ ରୁମ ଗୁଡ଼ିକର କୌଣସି ଲିଙ୍କ ନାହିଁ।

ବାଟାର ପ୍ରତିକ୍ରିୟା

ଜୋତା ବ୍ୟବସାୟ କରୁଥିବା ବାଟା ଗୋଟିଏ ଚେକ ଗଣରାଜ୍ୟ କମ୍ପାନୀ। ଦୂର ଦୂର ଯାଏ ଏହାର ଲିଙ୍କ ଇସ୍ରାଏଲ ସହ ନାହିଁ। ୧୯୬୨ରେ ବାଟା ତା’ର ପ୍ରଥମ ଆଉଟ ଲେଟ ବାଂଲାଦେଶରେ ଖୋଲିଥିଲା। କମ୍ପାନୀ ପକ୍ଷରୁ ବାଂଲାଦେଶୀଙ୍କ ଉତ୍ପାତ୍ତକୁ ନିନ୍ଦା କରାଯାଇଛି। ଇସ୍ରାଏଲ ଓ ଗାଜାରେ ଚାଲିଥିବା ରାଜନୀତିକ ବିବାଦ ସହ ବାଟାର କୌଣସି ସମ୍ପର୍କ ନାହିଁ ବୋଲି କମ୍ପାନୀ କହିଛି।

ବାଟା କହିଛି ଯେ “ବାଟା ଗୋଟିଏ ଇସ୍ରାଏଲ ଭିତ୍ତିକ କମ୍ପାନୀ ଓ ଇସ୍ରାଏଲ –ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହାର ଲିଙ୍କ ଥିବା ଅମୂଳକ ଦାବି ସମ୍ପର୍କରେ ଆମେ ଅବଗତ ରହିଛୁ। ବାଟା ଗୋଟିଏ ଘରୋଇ କମ୍ପାନୀ ଓ ଏହା ଚେକ ଗଣରାଜ୍ୟରେ ରହୁଥିବା ପରିବାର ଦ୍ୱାରା ପରିଚାଳିତ। ବାଂଲାଦେଶରେ ଥିବା ଆମର ଏକାଧିକ ଆଉଟଲେଟକୁ ଭଙ୍ଗାରୁଜା କରାଯିବା ଦୁଃଖର ବିଷୟ। ମିଥ୍ୟାକୁ ଆଧାର କରି ଏପରି ଭଙ୍ଗାରୁଜା ନିନ୍ଦନୀୟ।”

ପୁମା ଆଉଟ ଲେଟକୁ ମଧ୍ୟ ଟାର୍ଗେଟ କରାଯାଇଥିଲା

ବାଟା ଭଳି ପୁମା ହେଉଛି ଗୋଟିଏ ଜର୍ମାନୀ ମଲ୍ଟିନ୍ୟାଶନାଲ କମ୍ପାନୀ। ୨୦୧୮ରେ ଇସ୍ରାଏଲ ଫୁଟବଲ ଟିମର ପ୍ରାୟୋଜକ ପୁମା ସାଜିଥିବାରୁ ଏହାକୁ ପ୍ରଥମେ ସୋଶାଲ ମିଡିଆରେ ଟାର୍ଗେଟ କରାଯାଇଥିଲା। ୨୦୨୪ରେ ଇସ୍ରାଏଲ ଫୁଟବଲ ଟିମ ସହ ପୁମା ସବୁ ସମ୍ପର୍କଚ୍ଛିନ୍ନ କରିଛି। ତଥାପି ବାଂଲାଦେଶୀ ଏହାର ଶୋ’ ରୁମରେ ଭଙ୍ଗାରୁଜା କରିଛନ୍ତି।

ଡୋମିନୋସ ହେଉଛି ଏକ ଆମେରିକୀୟ କମ୍ପାନୀ। କିନ୍ତୁ ବାଂଲାଦେଶରେ ଥିବା କମ୍ପାନୀର ଆଉଟ ଲେଟର ମାଲିକ ଭାରତର ଜୁବିଲାଣ୍ଟ ଫୁଡୱାର୍କସ ଲିଃ। ତେବେ ଏହି ପିଜା ଫର୍ମାର ଇସ୍ରାଏଲ ଫ୍ରାଞ୍ଚାଇଜ ଗତବର୍ଷ ସମାଲୋଚନାର ଶିକାର ହୋଇଥିଲା। କାରଣ ଏହି ପ୍ରାଞ୍ଚାଇଜ ଇସ୍ରାଏଲ ଡିଫେନ୍ସ ଫୋର୍ସକୁ ସମର୍ଥନ କରିଥିଲା। ଡୋମିନୋସର କର୍ମଚାରୀ ଇସ୍ରାଏଲ ସୈନ୍ୟଙ୍କୁ ଖାଦ୍ୟ ଦେଉଥିବା ଭିଡିଓକୁ ଦେଖି ବିକ୍ଷୋଭକାରୀ ବାଂଲାଦେଶରେ ଥିବା ଡୋମିନୋସ ଆଉଟଲେଟକୁ ନଷ୍ଟ କରିଛନ୍ତି।

କେଏଫସି ମଧ୍ୟ ଗୋଟିଏ ଆମେରିକୀୟ କମ୍ପାନୀ। ଏହାର ଆଉଟ ଲେଟ ମଧ୍ୟ ଇସ୍ରାଏଲରେ ରହିଛି। ୨୦୨୧ରେ ଏହି କମ୍ପାନୀ ଇସ୍ରାଏଲ ଭିତ୍ତିକ ଟିକଟୁକ ଟେକ୍ନୋଲୋଜିର ମାଲିକାନା ହାସଲ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ବାଂଲାଦେଶରେ ଏହାର ଆଉଟ ଲେଟକୁ ନଷ୍ଟ କରି ଦିଆଯାଇଛି।

Related story