Advertisment

ଟ୍ୟାଙ୍କ ଓ ଟ୍ରାକ୍ଟର ଧରି ଲଣ୍ଡନ ରାଜରାସ୍ତାରେ ଚାଷୀ

ଦିଲ୍ଲୀର ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ଦେଖିବାକୁ ମିଳିଥିଲା। ହଜାର ହଜାର ଚାଷୀ ନିଜ ନିଜ ଟ୍ରାକ୍ଟର ଧରି କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ କରିଥିଲେ।

London

London

Advertisment

ଚାଷୀ ଆନ୍ଦୋଳନ ୨୦୨୦-୨୧ ବେଳେ ଭାରତର ରାଜଧାନୀ ଦିଲ୍ଲୀର ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ଦେଖିବାକୁ ମିଳିଥିଲା। ହଜାର ହଜାର ଚାଷୀ ନିଜ ନିଜ ଟ୍ରାକ୍ଟର ଧରି କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ କରିଥିଲେ। ଚାଷୀଙ୍କ ବିକ୍ଷୋଭ ଯୋଗୁ କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ। ଏଇଟା ଥିଲା ଭାରତର କଥା।

Advertisment

ଏବେ ସମାନ ସ୍ଥିତି ଲଣ୍ଡନରେ ଦେଖିବାକୁ ମିଳିଛି। ଦେଶର ଶହଶହ ଚାଷୀ ସେମାନଙ୍କ ଟ୍ରାକ୍ଟର ଧରି ବ୍ରିଟିଶର ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। କିନ୍ତୁ ଏଥିରେ ଗୋଟିଏ ଟ୍ୱିଷ୍ଟ ରହିଛି। ଆନ୍ଦୋଳନରେ କେବଳ ଶହଶହ ଚାଷୀ ସାମିଲ ହୋଇ ନାହାନ୍ତି, ବରଂ ଗୋଟିଏ ଟ୍ୟାଙ୍କ ମଧ୍ୟ ଲଣ୍ଡନ ଅଭିମୁଖେ ଚାଲିଛି। ଏଥିରେ ବ୍ରିଟେନର ପତାକା ଲାଗିଛି। ଚାଷୀଙ୍କ ଆନ୍ଦୋଳନରେ ଟ୍ୟାଙ୍କ ସାମିଲ ହେବା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ବ୍ରିଟେନ ସରକାର ନୂଆ ଉତ୍ତରାଧିକାର ଟିକସ ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବାରୁ ଏହା ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ କେର ଷ୍ଟାରମରଙ୍କ ଲେବର ସରକାର ଦେଶରେ ଉତ୍ତରାଧିକାର ଟିକସ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଗୋଟିଏ ମିଲିୟନ ପାଉଣ୍ଡରୁ ଅଧିକ ମୂଲ୍ୟର ଫାର୍ମଗୁଡ଼ିକୁ ନୂଆ ବ୍ୟବସ୍ଥା ଅନୁସାରେ ୨୦% ଉତ୍ତରାଧିକାର ଟିକସ ଦେବାକୁ ପଡ଼ିବ।

Advertisment

ଏହା ବିରୋଧରେ ଚାଷୀମାନେ ଟ୍ରାକ୍ଟର ଧରି କେନ୍ଦ୍ରୀୟ ଲଣ୍ଡନରେ ଥିବା ପାର୍ଲାମେଣ୍ଟ ସ୍କୋୟେରାରେ ପହଞ୍ଚିଛନ୍ତି। ଚାଷୀଙ୍କ ସମର୍ଥନରେ ଗୋଟିଏ ସାମରିକ ଟ୍ୟାଙ୍କ ଏଥିରେ ସାମିଲ ହୋଇଛି। ଟ୍ୟାଙ୍କରେ ଲାଗିଥିବା ପ୍ଲାକ କାର୍ଡରେ “ଆମ ଚାଷୀଙ୍କ ସହ ରହିଛୁ” ବୋଲି ଉଲ୍ଲେଖ କରାଯାଇଛି। ପ୍ରାୟ ବର୍ଷକ ତଳେ ବ୍ରିଟେନରେ ସମାନ ଧରଣର ଟ୍ରାକ୍ଟର ରାଲି ଦେଖିବାକୁ ମିଳିଥିଲା। ବ୍ରିଟେନ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ସ୍ପେନ, ଇଟାଲୀ ଓ ପୋଲାଣ୍ଡରେ ମଧ୍ୟ ଚାଷୀଙ୍କ ଟ୍ରାକ୍ଟର ଆନ୍ଦୋଳନ ହଇଚଇ ସୃଷ୍ଟି କରିଥିଲା।

ଉତ୍ତରାଧିକାର ଟିକସ ବ୍ୟବସ୍ଥା ବିରୋଧରେ ଚାଷୀଙ୍କ ଆନ୍ଦୋଳନ

ଲେବର ସରକାର ଉତ୍ତରାଧିକାର ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି। ନୂଆ ନୀତି ଅନୁସାରେ ଉତ୍ତାଧିକାର ଟିକସ ବାବଦରେ ୧ ମିଲିୟନ ପାଉଣ୍ଡରୁ ଅଧିକ ମୂଲ୍ୟର ଫାର୍ମଗୁଡ଼ିକ ୨୦% ଟିକସ ଦେବାକୁ ପଡ଼ିବ। ବାସ୍‌ ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି। ଏଥିପାଇଁ ସୋମବାର ଶତାଧିକ ଟ୍ରାକ୍ଟର ଲଣ୍ଡନ ରାସ୍ତାରେ ଗଡ଼ିଥିବା ବେଳେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ପ୍ରସ୍ତାବିତ ଟିକସ ବ୍ୟବସ୍ଥା ୨୦୨୬ ଏପ୍ରିଲ ମାସରୁ ଲାଗୁ ହେବାର ଯୋଜନା ରହିଛି।

ଲଣ୍ଡନରେ ହୋଇଥିବା ଶୋଭାଯାତ୍ରାର ଆୟୋଜନ ସେଭ ବ୍ରିଟିଶ ମୁଭମେଣ୍ଟ ପକ୍ଷରୁ କରାଯାଇଛି। ଚାଷୀମାନେ ଦାବି କରିଛନ୍ତି ଯେ ବର୍ଦ୍ଧିତ ଟିକସ ବ୍ୟବସ୍ଥା ସେମାନଙ୍କ ପରିବାରର ଫାର୍ମଗୁଡ଼ିକୁ ଧ୍ୱଂସ କରିଦେବ। କାରଣ ଏହି ଫାର୍ମଗୁଡ଼ିକରୁ ବହୁତ କମ ଲାଭ ମିଳୁଛି। ଚାଷୀମାନେ ଆଶଙ୍କା କରୁଛନ୍ତି ଯେ ନୂଆ ନୀତି ଦ୍ୱାରା ପିଢ଼ି ପରେ ପିଢ଼ି କାମ କରୁଥିବା ଫାର୍ମଗୁଡ଼ିକ ଭାଗଭାଗ ହୋଇଯିବ। ଟିକସ ପୈଠ ପାଇଁ ପରିବାର ଲୋକଙ୍କୁ ନିଜର ଜମି ବିକିବାକୁ ପଡ଼ିବ।

କେନ୍ଦ୍ରୀୟ ଲଣ୍ଡନର ହ୍ୱାଇଟ ହଲ ଠାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ତ୍ରାଫଲଗା ସ୍କୋୟେର ଯାଏ ଲମ୍ବିଛି। ଜାତୀୟ ପତାକା ଉଡ଼ାଇ ଓ ବ୍ୟାନର ଲଗାଇ ଚାଷୀମାନେ ସରକାରଙ୍କୁ ନିଜ ନୀତିର ପୁନର୍ବିଚାର କରିବାକୁ ଦାବି କରିଛନ୍ତି।

ଆନ୍ଦୋଳନରେ ସାମିଲ ଥିବା ଲିଜ ୱେବଷଟର କହିଛନ୍ତି ଯେ ସରକାରଙ୍କ ନୀରବତା ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ। ନୂଆ ନୀତି ଦ୍ୱାରା କେହି ବି କୃଷି କ୍ଷେତ୍ରରେ ଅଧିକ ନବେଶ କରିବାକୁ ଆଗ୍ରହ ଦେଖାଇବେ ନାହିଁ। ସରକାର ଖାଦ୍ୟ ସଙ୍କଟ ମଧ୍ୟକୁ ଦେଶକୁ ଠେଲି ଦେବାକୁ ଚାହୁଁଛନ୍ତି। ବିକ୍ଷୋଭ ସତ୍ତ୍ୱେ ଲେବର ସରକାର ନିଜ ନିଜରେ ରହିଛନ୍ତି। ସାଧାରଣ ସେବା ପାଇଁ ଏପରି ନୀତିର ଆବଶ୍ୟକତା ରହିଥିବା ସରକାର କହିବା ଆଶ୍ଚର୍ଯ୍ୟଜନକ। ନୂଆ ଟିକସ ବ୍ୟବସ୍ଥା ଲାଗୁ ହେଲେ ବ୍ରିଟେନକୁ ଖାଦ୍ୟ ପାଇଁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ। ଏହାଦ୍ୱାରା ଖାଦ୍ୟ ସୁରକ୍ଷା ଉପରେ ବିପଦ ମଧ୍ୟକୁ ଠେଲି ହୋଇଯିବ। ସରକାର ବିଶ୍ୱରେ ଘଟୁଥିବା ଘଟଣା ଓ ରାଜନୀତିକ ଅସ୍ଥିରତାକୁ ମଧ୍ୟ ବୁଝିବା ଦରକାର ବୋଲି ୱେବଷ୍ଟର ମତ ରଖିଛନ୍ତି।

ଚାଷୀଙ୍କ ଆନ୍ଦୋଳନରେ ହାଇପ୍ରୋଫାଇଲ ରାଜନେତା ମଧ୍ୟ ସାମିଲ ହେବାକୁ ଚେଷ୍ଟା କରିଛନ୍ତି। ସେହିପରି ୧,୪୮,୦୦୦ ଲୋକ ଗୋଟିଏ ପିଟିସନରେ ଦସ୍ତଖତ କରି ଚାଷ କ୍ଷେତ୍ରରେ ଲାଗୁ ହେଉଥିବା ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରଖିବାକୁ କହିଛନ୍ତି। ସରକାର ଚାଷୀ ଆନ୍ଦୋଳନକୁ ରାଜନୀତିକ ରୂପ ଦେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଚାଷୀମାନେ ନିଜକୁ ରାଜନୀତି ଠାରୁ ଦୂରେଇ ରଖିଛନ୍ତି।

Farmer Protest London
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe