ଅତିରିକ୍ତ ଟଙ୍କା ଆୟ କରିବା ପାଇଁ ଭାରତୀୟ ଶିକ୍ଷାର୍ଥୀମାନେ ଆମେରିକାରେ ପାର୍ଟ ଟାଇମ ଚାକିରି କରନ୍ତି। କଲେଜ ଟାଇମ ପରେ ସେମାନେ ନିଜର ବ୍ୟକ୍ତିଗତ ଖର୍ଚ୍ଚକୁ ତୁଲାଇବା ପାଇଁ ବିଭିନ୍ନ ସଂସ୍ଥାରେ କାମ କରିଥାଆନ୍ତେ। ହେଲେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବା ପରେ ଆମେରିକାରେ ପାଠପଢ଼ିବା ସହ ପାର୍ଟ ଟାଇମ ଚାକିରି କରୁଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ଚିନ୍ତା ବଢ଼ି ଯାଇଛି। ଟ୍ରମ୍ପ କଠୋର ନିର୍ବାସନ ଯୋଜନା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆମେରିକାରେ ପାର୍ଟ ଟାଇମ ଚାକିରି କରୁଥିବା ଭାରତୀୟମାନେ ଏହାକୁ ଛାଡ଼ିବାରେ ଲାଗିଛନ୍ତି।
ପାଠପଢ଼ା ଭିସାରେ ଆସି ପାର୍ଟ ଟାଇମ ଚାକିରି କଲେ କାଳେ ଟ୍ରମ୍ପ ସେମାନଙ୍କୁ ଅଣସ୍ୱୀକୃତି ପ୍ରାପ୍ତ କର୍ମଚାରୀ ଭାବେ ବିବେଚନା କରି ଆମେରିବାକୁ ବିଦା କରି ଦେବେ, ସେହି ଭୟରେ ଭାରତୀୟମାନେ ପାର୍ଟ ଟାଇମ ଜବ ଛାଡ଼ିବାରେ ଲାଗିଥିବା ଜଣାପଡ଼ିଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ରିପୋର୍ଟରେ ଶିକ୍ଷାର୍ଥୀମାନଙ୍କ କହିବା କଥା ଯେ ଆମେରିକାରେ ରହିବାକୁ ହେଲେ ସେମାନଙ୍କ ପାଇଁ ଏପରି ପାର୍ଟ ଟାଇମ ଚାକିରିର ମୂଲ୍ୟ ଢେର ଅଧିକ।
ହେଲେ ଏପରି ଚାକିରି ପାଇଁ ସେମାନଙ୍କ ମନରେ ନିର୍ବାସନର ଭୟ ମଧ୍ୟ ରହୁଛି। ତେଣୁ ସେମାନେ ନିଜର ଶିକ୍ଷାଗତ ଭବିଷ୍ୟତ ପାଇଁ ଏହି ପାର୍ଟ ଟାଇମ ଜବର ରିସ୍କ ନେଇ ପାରିବେ ନାହିଁ। କାରଣ ଆମେରିକାରେ ପାଠ ପଢ଼ିବା ପାଇଁ ସେମାନେ ଲକ୍ଷାଧିକ ଟଙ୍କାର ଋଣ କରି ଆମେରିକା କଲେଜରେ ସିଟ ପାଇଛନ୍ତି। ଯଦି ପାର୍ଟ ଟାଇମ ଜବ ପାଇଁ ସେମାନଙ୍କୁ ନିର୍ବାସନ କରି ଦିଆଯାଏ, ତା’ହେଲେ ପାଠପଢ଼ା ପାଇଁ ସେମାନେ ଆଣିଥିବା ଋଣ ସୁଝିବାକୁ ସକ୍ଷମ ହେବେ ନାହିଁ।
ଆମେରିକାରେ ପ୍ରଚଳିତ ନିୟମ ଅନୁୟାୟୀ, ଅନ୍ତର୍ଜାତୀୟ ଶିକ୍ଷାର୍ଥୀମାନେ ଆମେରିକାରେ ଏଫ-୧ ଭିସା ବଳରେ କ୍ୟାମ୍ପସ ମଧ୍ୟରେ ସପ୍ତାହକୁ ୨୦ ଘଣ୍ଟା କାମ କରିପାରିବେ। କିନ୍ତୁ ଅନେକ ଶିକ୍ଷାର୍ଥୀ କ୍ୟାମ୍ପସ ବାହାରେ ଥିବା ରେଷ୍ଟୁରାଣ୍ଟ, ଗ୍ୟାସ ଷ୍ଟେସନ, ରିଟେଲ ଷ୍ଟୋର ଓ ଅନ୍ୟ ସ୍ଥାନ ଗୁଡ଼ିକରେ ସେମାନଙ୍କର ଅତିରିକ୍ତ ଖର୍ଚ୍ଚକୁ ବହନ କରିବା ପାଇଁ କାମ କରୁଛନ୍ତି। ଏବେ କିନ୍ତୁ ଶିକ୍ଷାର୍ଥୀମାନେ ଆମେରିକାରେ ନିଜ ଭବିଷ୍ୟତର ସୁରକ୍ଷା ପାଇଁ କ୍ୟାମ୍ପସ ବାହାରେ କରୁଥିବା ପାର୍ଟ ଟାଇମ ଜବକୁ ଛାଡ଼ିବା ଆରମ୍ଭ କରିଛନ୍ତି।
ଆମେରିକାରେ ଗ୍ରାଜ୍ୟୁଏସନ କରୁଥିବା ଅର୍ଜୁନ ନାମକ ଜଣେ ଭାରତୀୟ ଛାତ୍ର କହିଛନ୍ତି, “କଲେଜ ପରେ ମୁଁ ମୋର ମାସିକ ଖର୍ଚ୍ଚ ବହନ କରିବା ପାଇଁ ଗୋଟିଏ ଛୋଟ କାଫେରେ କାମ କରୁଥିଲି। ମୁଁ ସେଠାରେ ଘଣ୍ଟାକୁ ୭ ଡଲାର ପାଉଥିବା ବେଳେ ୬ ଘଣ୍ଟା କାମ କରେ। ଏହା ମୋତେ ଆମେରିକାରେ ରହିବାରେ ସହାୟତା କରୁଥିଲେ। କିନ୍ତୁ ମୁଁ ଗତ ସପ୍ତାହରେ ଉକ୍ତ ଚାକିରିକୁ ଛାଡ଼ି ଦେଇଛି। କାରଣ ଶୁଣିବାକୁ ମିଳୁଛି ଯେ ଇମିଗ୍ରେସନ ଅଧିକାରୀମାନେ ଅଣସ୍ୱୀକୃତି ପ୍ରାପ୍ତ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେଣୁ ମୁଁ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହିଁ। ଏଠାରେ ପାଠ ପଢ଼ିବା ପାଇଁ ୫୦ ହଜାର ଡଲାର ବା ୪୨.୫ ଲକ୍ଷ ଟଙ୍କାର ମୁଁ ଋଣ କରିଛି। କାମ ପାଇଁ ମୁଁ ନିର୍ବାସନ ହେବାକୁ ଚାହୁଁନି।”
ନ୍ୟୁୟର୍କର ମାଷ୍ଟର ଡିଗ୍ରୀ ଛାତ୍ରୀ ନେହା ମଧ୍ୟ ସମାନ ଚିନ୍ତାରେ ରହିଛନ୍ତି। ସେ କହିଛନ୍ତି, “ଆମେ ଶୁଣିବାକୁ ପାଇଛୁ ଯେ କର୍ମ କ୍ଷେତ୍ରରେ ଅଚାନକ ଯାଞ୍ଚ ହେବ। ତେଣୁ ମୁଁ ଓ ମୋ ବନ୍ଧୁ ଏବେ ଠାରୁ ଆଉ କାମ ନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଆମ ପାଇଁ କଷ୍ଟଦାୟକ। କିନ୍ତୁ ଆମେ ନିର୍ବାସନ ହେବା କିମ୍ବା ଷ୍ଟୁଡେଣ୍ଟ ଭିସା ମାନ୍ୟତା ହରାଇବା ଘଟଣାରେ ରିସ୍କ ନେବାକୁ ଚାହୁଁ ନାହୁଁ। ମୋତେ ଏଠାକୁ ପଠାଇବା ପାଇଁ ମୋ ପରିବାର ଅନେକ ପ୍ରକାରର ବଳିଦାନ ଦେଇଛନ୍ତି। ”
ଶିକ୍ଷାର୍ଥୀମାନେ କହିଛନ୍ତି ଯେ ସେମାନେ ଏବେ ଟ୍ରମ୍ପ ପ୍ରଶାସନର ନୀତିକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ। ସ୍ଥିତିକୁ ଭଲ ଭାବେ ଜାଣିବା ପରେ ପାର୍ଟ ଟାଇମ ଜବ ପୁଣି ଆରମ୍ଭ କରିବେ କି ନାହିଁ, ତା’ର ନିଷ୍ପତ୍ତି ନେବେ। ସେ ଯାଏ ଆମେରିକାରେ ସେମାନଙ୍କୁ ନିଜର ସେଭିଂ, ଉଧାର କିମ୍ବା ଭାରତରେ ରହୁଥିବା ପରିବାର ବର୍ଗଙ୍କ ଟଙ୍କା ଉପରେ ନିର୍ଭର କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ଟ୍ରମ୍ପଙ୍କ ନିର୍ବାସନ ନୀତିକୁ ଦୃଷ୍ଟିରେ ରଖି ଭାରତ ସରକାର ବଡ଼ ବୟାନ ଦେଇଛନ୍ତି। ଆମେରିକା ବିଦା କରିବାକୁ ଥିବା ଅଣସ୍ୱୀକୃତି ପ୍ରାପ୍ତ ଭାରତୀୟଙ୍କୁ ସ୍ୱଦେଶ ଆଣିବା ପାଇଁ ଭାରତ ସରକାର ରାଜି ଥିବା କହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ନିଶ୍ଚିତ କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।