“ରାଜା ଆପଣ ଫେରି ଆସନ୍ତୁ, ଦେଶକୁ ରକ୍ଷା କରନ୍ତୁ। ଆମେ ଚାହୁଁଛୁ ରାଜତନ୍ତ୍ର। ରାଜାଙ୍କ ପାଇଁ ରାଜ ମହଲ ଖାଲି କର। ରାଜା ଆସୁଛନ୍ତି।” ନେପାଳର ରାଜଧାନୀ କାଠମାଣ୍ଡୁରେ ଏପରି ନାରା ପ୍ରକମ୍ପିତ ହୋଇଛି। ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିବା ହଜାର ହଜାର ଲୋକ ଏପରି ନାରା ଦେଇଛନ୍ତି।
ଏହାପରେ କାଠମାଣ୍ଡୁରେ ହଜାର ହଜାର ଲୋକ ବାଇକ ରାଲି କରି ନେପାଳକୁ ପୁଣିଥରେ ହିନ୍ଦୁ ରାଜତନ୍ତ୍ର ବା ରାଜା ଶାସନ ଫେରାଇ ଅଣାଯାଉ ବୋଲି ଦାବି କରିଛନ୍ତି। ଜ୍ଞାନେନ୍ଦ୍ର ୨ ମାସ ପରେ ନେପାଳର ରାଜଧାନୀ କାଠମାଣ୍ଡକୁ ଫେରିଛନ୍ତି। ସେ ପୋଖାରାରେ ରହିଥିଲେ ଓ ବିଭିନ୍ନ ପବିତ୍ର ଧର୍ମପୀଠ ବୁଲୁଥିଲେ। ରାଜତନ୍ତ୍ର ଫେରାଇ ଆଣିବା ସପକ୍ଷରେ ଥିବା ବ୍ୟକ୍ତିବିଶେଷ ଓ ଆକାଉଣ୍ଟ ଗୁଡ଼ିକ ଦାବି କରିଛନ୍ତି ଯେ ପୂର୍ବତନ ରାଜା ଜ୍ଞାନେନ୍ଦ୍ରଙ୍କୁ ସ୍ୱାଗତ କରିବା ପାଇଁ ୪ ଲକ୍ଷ ଲୋକ ଏକାଠି ହୋଇଥିଲେ। କିନ୍ତୁ ଗଣମାଧ୍ୟମ ରିପୋର୍ଟ କରିଛି ଯେ କାଠମାଣ୍ଡୁରେ ୧୦ ହଜାର ଲୋକ ଏକାଠି ହୋଇ ଜ୍ଞାନେନ୍ଦ୍ରଙ୍କୁ ସ୍ୱାଗତ କରିଛନ୍ତି।
୭୨ ବର୍ଷୀୟ ଥିର ବାହାଦୂର ଭଣ୍ଡାରୀ କହିଛନ୍ତି, “ଆମେ ଏଠାରେ ରାଜାଙ୍କୁ ପୂରା ସମର୍ଥନ ଦେବାକୁ ଉପସ୍ଥିତ ରହିଛୁ। ଆମେ ତାଙ୍କୁ ରାଜ ଗାଦିରେ ବାଇବା ପାଇଁ ତାଙ୍କ ପଛରେ ରାଲି କରିଛୁ।” ସାମ୍ବିଧାନିକ ରାଜତନ୍ତ୍ରର ବିରୋଧ କରୁଥିବା ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ଶ୍ୟାମଲ କ୍ରିଷ୍ଣା ଶ୍ରେଷ୍ଠ କହିଛନ୍ତି, “ମୁଁ ପରିବର୍ତ୍ତନ ହାୱାକୁ ଅନୁଭବ କରିପାରୁଛି। ନେପାଳରୁ ସଂଘୀୟ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଓ ହିନ୍ଦୁ ରାଜତନ୍ତ୍ରକୁ ପୁନଃ ସ୍ଥାପିତ କରିବା ପାଇଁ ତୃତୀୟ ଜନ ଆନ୍ଦୋଳନ ଆରମ୍ଭ ହୋଇଯାଇଛି।” ନେପାଳ ଥିଲା ଶେଷ ହିନ୍ଦୁ ରାଜତନ୍ତ୍ର ଯେଉଁଠାରେ ରାଜା ମହା ଶିବରାତ୍ରୀ ଦିନ ଆର୍ମିର ଯାଞ୍ଚ କରନ୍ତି। ଇନ୍ଦ୍ରା ଯାତ୍ରା ଦିନ ମା’ କୁମାରୀଙ୍କ ଆଶୀର୍ବାଦ ନିଅନ୍ତି।
୨୦୦୬ ଯାଏ ନେପାଳରେ ହିନ୍ଦୁ ରାଜତନ୍ତ୍ର ଚାଲିଥିଲା। ଏହାର ଶାସନ ଭାର ରାଜା ଜ୍ଞାନେନ୍ଦ୍ରଙ୍କ ହାତରେ ରହିଥିଲା। କିନ୍ତୁ କୁହାଯାଏ ଯେ ଚାଇନାର ହସ୍ତକ୍ଷେପ ଯୋଗୁ ଜ୍ଞାନେନ୍ଦ୍ର ଶାସନ ଗାଦିରୁ ହଟିଥିଲେ। ନେପାଳ ୨୪୦ ବର୍ଷ ଧରି ହିନ୍ଦୁ ରାଜତନ୍ତ୍ରର ଆଖ୍ୟା ପାଇ ଚାଲିଥିଲା।
ଏବେ ଲୋକମାନେ ପୁଣି ହିନ୍ଦୁ ରାଜତନ୍ତ୍ର ପ୍ରତିଷ୍ଠା ପାଇଁ ଦାବି କରିବାର କାରଣ ହେଲା ନେପାଳରେ ଦେଖାଯାଉଥିବା ବ୍ୟାପକ ଦୁର୍ନୀତି ଓ ଅର୍ଥନୀତିକ ଅସ୍ଥିରତା। ୨୦୦୮ରେ ନେପାଳ ଗଣତନ୍ତ୍ରରେ ପରିଣତ ହୋଇଥିଲା। ସେବେଠାରୁ ଦେଶ ୧୩ଟି ସରକାର ଦେଖି ସାରିଲାଣି। ଏବେ ପୁଣି ହିନ୍ଦୁ ରାଜତନ୍ତ୍ର ଦାବି ଉଠୁଥିବା ବେଳେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସମେତ ନେପାଳର ସବୁ ରାଜନୀତିକ ଦଳର ନେତା ଏହାର ସମ୍ଭାବନାକୁ ଅଗ୍ରାହ୍ୟ କରିଛନ୍ତି। ଓଲି କହିଛନ୍ତି, “କିଛି ଲୋକ ଏବେ ରାଜତନ୍ତ୍ର ପ୍ରତିଷ୍ଠା ପାଇଁ ଦାବି କରୁଛନ୍ତି। କିନ୍ତୁ ଏହା ଆଦୌ ସମ୍ଭବ ନୁହେଁ।”
କେମିତି ନେପାଳ ହିନ୍ଦୁ ରାଜତନ୍ତ୍ରରେ ପରିଣତ ହୋଇଥିଲା?
ଏବେ ଯେଉଁ ଅଞ୍ଚଳ ନେପାଳ ଭାବେ ପରିଚିତ ଏକଦା ତାହା ଗୋଟିଏ ଛୋଟିଆ ପାହାଡ଼ିଆ ଅଞ୍ଚଳ ଭାବେ ପଡ଼ି ରହିଥିଲା। ରାଜା ପୃଥ୍ୱୀ ନାରାୟଣ ଶାହ ଉକ୍ତ ଅଞ୍ଚଳକୁ ଠାବ କରିବା ସହ ୧୭୬୮ ମସିହାରେ ଏଠାରେ ନେପାଳ ସାମ୍ରାଜ୍ୟ ଆରମ୍ଭ କରିଥିଲେ। ୧୮୦୦ ମସିହା ବେଳକୁ ଏହି ରାଜ୍ୟକୁ ରାଜ ପ୍ରତିନିଧି ଓ ଆତ୍ମ ନିଯୁକ୍ତ ପ୍ରଧାନମନ୍ତ୍ରୀମାନେ ଶାସନ କରିବା ଆରମ୍ଭ କରିଥିଲେ। ରାଜା ପୃଥ୍ୱୀ ନାରାୟଣ ଶାହଙ୍କ ବଂଶଜ ନାଁରେ ସେମାନେ ଏଠାରେ ଶାସନ କରିଥିଲେ।
୧୯୫୦ରେ ତ୍ରିଭୂବନ ଶାହ ତାଙ୍କ ପୂର୍ବଜଙ୍କ ଭଳି ଶାସନ ଦଖଲ କରିବା ସହ ରାଜନୀତିକ ଭୂମିକା ସମ୍ପର୍କରେ ଦାବି କରିଥିଲେ। ସେବେଠାରୁ ଶାହ ବଂଶଜମାନେ ନେପାଳର ରାଜନୀତିକ କ୍ଷମତା ଦଖଲ କରି ଚାଲିଥିଲେ। ୨୦୦୬ ଯାଏ ଏପରି ପରମ୍ପରା ଲାଗି ରହିଥିଲା। ତ୍ରିଭୂବନ ଶାହଙ୍କ ପୁଅ ମହେନ୍ଦ୍ର ଶାହ କେବଳ ନେପାଳକୁ ଆଧୁନିକତାର ସ୍ପର୍ଶ ଦେଇ ନଥିଲେ ବରଂ ହିନ୍ଦୁ ରାଜତନ୍ତ୍ରକୁ ବିକଶିତ କରିଥିଲେ।
ପ୍ରଫେସର ଆନ୍ନେ ଟି ମୋକୋ ତାଙ୍କ ବହିରେ ଲେଖିଛନ୍ତି, “ବିବିଧତା ପୂର୍ଣ୍ଣ ନେପାଳକୁ ଗୋଟିଏ ପରିଚୟ ଦେବା ପାଇଁ ମହେନ୍ଦ୍ର ଶାହ ଜାତୀୟସ୍ତରର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେ ନିଜକୁ ମଧ୍ୟ ଏଥରେ ସାମିଲ କରିଥିଲେ। ଗୋଟିଏ ରାଜା, ଗୋଟିଏ ବେଶ, ଗୋଟିଏ ଭାଷା ନାରା ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।” ମହେନ୍ଦ୍ର ଶାହଙ୍କ ଦେହାନ୍ତ ପରେ ତାଙ୍କ ପ୍ରଭୃତ୍ୱ ବଡ଼ ପୁଅ ବୀରେନ୍ଦ୍ରଙ୍କ ପାଖକୁ ଚାଲି ଯାଇଥିଲା।
ପ୍ରାସାଦ ନରସଂହାର ପରେ କେମିତି ସମ୍ରାଟ ବନିଥିଲେ ଜ୍ଞାନେନ୍ଦ୍ର?
୧୯୯୦ରେ କ୍ରମାଗତ ବିଶାଳ ବିକ୍ଷୋଭ ଯୋଗୁ ରାଜା ବୀରେନ୍ଦ୍ର ନେପାଳରେ ପ୍ରଚଳିତ ସଂପୂର୍ଣ୍ଣ ରାଜତନ୍ତ୍ରକୁ ସାମ୍ବିଧାନିକ ରାଜତନ୍ତ୍ରରେ ପରିଣତ କରିବାକୁ ରାଜି ହୋଇଥିଲେ। ନିଜର କ୍ଷମତାକୁ ନିର୍ବାଚିତ ସଂସଦ ସହ ଭାଗ କରିବାକୁ ରାଜି ଥିବା ଘୋଷଣା କରିଥିଲେ। ସାମ୍ବିଧାନିକ ରାଜତନ୍ତ୍ରର ଅର୍ଥ ଦେଶର କ୍ଷମତା ରାଜାଙ୍କ ହାତରେ ରହିବ। କିନ୍ତୁ ଲୋକମାନେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଶାସନ ଅଧିକାରୀଙ୍କୁ ସାମ୍ବିଧାନିକ ଉପାୟରେ ଚୟନ କରିପାରିବେ। ବ୍ରିଟେନରେ ଥିବା ଶାସନ ବ୍ୟବସ୍ଥା ମଧ୍ୟ ଏକପ୍ରକାରର ସାମ୍ବିଧାନିକ ରାଜତନ୍ତ୍ର।
ରାଜା ବୀରେନ୍ଦ୍ର ବୁଝାମଣା କରିଥିଲେ ହେଁ ଲୋକଙ୍କ ମନରୁ ସନ୍ଦେହ ଦୂର ହୋଇ ନଥିଲା। ୯୦ ଦଶକର ମଧ୍ୟ ଭାଗରେ ନେପାଳରେ ମାଓବାଦୀଙ୍କ ଦବଦବା ସୃଷ୍ଟି ହୋଇଥିଲା। ଏହି ନକ୍ସଲ ଅଭିଯାନର ପ୍ରମୁଖ ନେତା ହେଉଛନ୍ତି ପୁଷ୍କପକମଲ ଦହଲ ଓରଫ ପ୍ରଚଣ୍ଡ। ସେ ପରବର୍ତ୍ତୀ ସମୟରେ ନେପାଳର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ।
ନକ୍ସଲଙ୍କ ଦବଦବା ଓ ଜନ ଆନ୍ଦୋଳନ ମଧ୍ୟ ଦେଇ ଗତି କରୁଥିବା ରାଜା ବୀରେନ୍ଦ୍ର ପାରିବାରିକ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥିଲେ। ୨୦୦୧ ଜୁନ ୧ ତାରିଖ ରାଜା ପ୍ରାସାଦ ନରସଂହାର ଘଟଣାରେ ରାଜା ବୀରେନ୍ଦ୍ର, ରାଣୀ ଐଶ୍ୱର୍ଯ୍ୟା, ସେମାନଙ୍କ ପିଲା ଓ ରାଜ ପରିବାରର ଅନ୍ୟ ୮ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
କ୍ରାଉନ ପ୍ରିନ୍ସ ବା ବୀରେନ୍ଦ୍ରଙ୍କ ପୁଅ ଦୀପେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଏପରି କରିଥିଲେ। ପ୍ରକୃତରେ ଦୀପେନ୍ଦ୍ର ଗ୍ୱାଲିୟର ରାଜ ପରିବାରର ଜଣେ ରାଜ କୁମାରୀଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ଦେଖା ଇଂଲଣ୍ଡରେ ପଢ଼ିବା ବେଳେ ହୋଇଥିଲା। ଦୀପେନ୍ଦ୍ର ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଜାତିଗତ କାରଣରୁ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ। ତେଣୁ ଦୀପେନ୍ଦ୍ର ୨୦୦୧ ଜୁନ ୧ରେ ପୂରା ପରିବାରକୁ ଗୁଳି କରି ମାରି ଦେଇଥିଲେ। ସେ ନିଜକୁ ମଧ୍ୟ ଗୁଳି କରିଥିଲେ। ଏଥିପାଇଁ ତାଙ୍କୁ ୩ ଦିନ କୋମାରେ ରହିବାକୁ ପଡ଼ିଥିଲା। ଏପରି ଅବସ୍ଥାରେ ସେ ନେପାଳର ରାଜା ହୋଇଥିଲେ। ତେବେ ୩ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ବୀରେନ୍ଦ୍ରଙ୍କ ପରିବାରର ସମସ୍ତେ ପ୍ରାଣ ହରାଇ ସାରିଥିବାରୁ ତାଙ୍କ ସାନ ଭାଇ ଜ୍ଞାନେନ୍ଦ୍ର ନେପାଳର ନୂଆ ରାଜା ହୋଇଥିଲେ। ତାଙ୍କ ଶାସନ କାଳ ମଧ୍ୟ ଖୁବକମ ସମୟ ଯାଏ ଚାଲିଥିଲା। ସରକାର ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପାଇଁ ସେ ୨୦୦୫ରେ ଏମର୍ଜେନ୍ସି ଲାଗୁ କରିଥିଲେ। ତେବେ ଏପ୍ରିଲ ୨୦୦୬ରୁ ୭ ରାଜନୀତିକ ଦଳ ଏକାଠି ହୋଇ ଜନ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ। ରାଜାଙ୍କ ପ୍ରତ୍ୟକ୍ଷ ଶାସନକୁ ଶେଷ କରିବା ପାଇଁ ସେମାନେ ଦାବି କରିଥିଲେ।
ଜ୍ଞାନେନ୍ଦ୍ର ଏହି ଚାପ ଆଗରେ ମୁଣ୍ଡ ନୂଆଁଇ ଥିଲେ ଓ ୨୦୦୭ରେ ପୁଣି ସଂସଦ ସହ କ୍ଷମତା ଭାଗ କରିଥିଲେ। ୨୦୦୮ରେ ରାଜତନ୍ତ୍ରକୁ ଶେଷ କରିବା ପାଇଁ ଲୋକମାନେ ଭୋଟ ଦେଇଥିଲେ। ୨୦୦୮ ମସିହା ମେ’ ୨୮ରେ ନେପାଳ ବିଧିବଦ୍ଧ ଭାବେ ଗୋଟିଏ ସଂଘୀୟ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଥିଲା। ରାଜା ଜ୍ଞାନେନ୍ଦ୍ର ବାଧ୍ୟ ହୋଇ ନାରାୟଣହିତି ପ୍ୟାଲେସକୁ ଖାଲି କରିଥିଲେ। ଶେଷ ହିନ୍ଦୁ ସାମ୍ରାଜ୍ୟ ନେପାଳ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲା। ନାରାୟଣହିତି ପ୍ୟାଲେସନ ସଂଗ୍ରହାଳୟ ଘୋଷଣା କରାଯାଇଥିଲା।
ନେପାଳରେ ଶୁଭିଲାଣି ରାଜ ପ୍ରାସାଦ ଖାଲି କରିବାର ନାରା
ନାରାୟଣହିତି ପ୍ୟାଲେସକୁ ପୁଣି ଜ୍ଞାନେନ୍ଦ୍ର ରାଜା ଭାବେ ଫେରନ୍ତୁ ବୋଲି ଲୋକମାନେ ଦାବି କରୁଛନ୍ତି। ନାରାୟଣହିତି ଖାଲି ଗାରା, ହାମାରା ରାଜା ଆଉଦିଆ ଚାନ ଅର୍ଥ ରାଜ ପ୍ରାସାଦ ଖାଲି କର, ଆମେ ଆମ ରାଜାଙ୍କୁ ଫେରାଇ ଆଣିବୁ ବୋଲି ବାଇକ ରାଲିରେ ଲୋକମାନେ ନାରା ଦେଇଛନ୍ତି।
ତେବେ ରାଜନୀତିକ ଦଳଗୁଡ଼ିକର ନେତାମାନେ କହିଛନ୍ତି ଯେ ରାଜତନ୍ତ୍ର ଏମିତି ଏକ ଆକଳନ ଯାହା ଏବେ ନେପାଳରେ ଇତିହାସ। ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କହିଛନ୍ତି, “ଯଦି ପୂର୍ବତନ ରାଜା ଜ୍ଞାନେନ୍ଦ୍ର କିଛି ରାଜତନ୍ତ୍ର ଫେରାଇ ଆଣିବା ନାଁରେ କିଛି ମୁର୍ଖଙ୍କ ଭଳି କାମ କରନ୍ତି, ତା’ହେଲେ ଏହା ତାଙ୍କୁ ମହଙ୍ଗା ପଡ଼ିବ।”
କିନ୍ତୁ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି(ଆରପିପି) ପକ୍ଷରୁ ନେପାଳର ବିଭିନ୍ନ ପ୍ରାନ୍ତରେ ହିନ୍ଦୁ ରାଜତନ୍ତ୍ର ଫେରାଇ ଆଣିବା ପାଇଁ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା କରାଯାଉଛି। ସେହିପରି ଅନଲାଇନ ଓ ଅଫଲାଇନରେ ଜ୍ଞାନେନ୍ଦ୍ରଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ରାଜନୀତିକ ଦଳଗୁଡ଼ିକ ନେପାଳ ଭୋଗୁଥିବା ଅସ୍ଥିରତାକୁ ଦୂର କରିବାରେ ବିଫଳ ହୋଇଛନ୍ତି।
ଲୋକାମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏବେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନର ହାୱା ବହିବା ଆରମ୍ଭ ହୋଇଛି। ଖାସ ଏହି କାରଣ ପାଇଁ ସେମାନେ ନେପାଳରେ ହିନ୍ଦୁ ରାଜତନ୍ତ୍ର ପୁଣି ଲାଗୁ କରିବାକୁ ଚାହୁଁଛନ୍ତି।