Advertisment

ଭାରତ ଓ ଅନ୍ୟ ୧୩ ଦେଶ ପାଇଁ କାହିଁକି ଭିସା ବ୍ୟାନ କଲା ସାଉଦି ଆରବ ?

ସାଉଦିର ଏପରି ଭିସା ବ୍ୟାନ ନିଷ୍ପତ୍ତି ଭାରତ, ପାକିସ୍ତାନ, ବାଂଲାଦେଶ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ, ନାଇଜେରିଆ, ଜୋର୍ଡାନ, ଆଲଜେରିଆ, ସୁଦାନ, ଇଥିଓପିଆ, ତୁନିସିଆ, ୟେମେନ ଓ ମୋରୋକୋର ଲୋକମାନେ ପ୍ରଭାବିତ ହେବେ।

author-image
Hemant Lenka
ଅଦ୍ୟତନ ହୋଇଛି
Hajj

Hajj

ପବିତ୍ର ହଜ୍‌ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ବଡ଼ ପଦକ୍ଷେପ ନେଇଛି ସାଉଦି ଆରବ। ଦେଶ ପକ୍ଷରୁ ଭିସା ପ୍ରଦାନ ବ୍ୟବସ୍ଥାକୁ ନେଇ ବଡ଼ ଘୋଷଣା କରାଯାଇଛି। ଭାରତ, ପାକିସ୍ତାନ, ବାଂଲାଦେଶ ସମେତ ୧୪ଟି ଦେଶ ପାଇଁ ସାଉଦି ପକ୍ଷରୁ ଭିସା ପ୍ରଦାନକୁ ବ୍ୟାନ କରାଯାଇଛି। ବିଭିନ୍ନ ରାଷ୍ଟ୍ରରୁ ଲୋକମାନେ ଉମରା, ବ୍ୟବସାୟ ଓ ପାରିବାରିକ ଭ୍ରମଣର କାରଣ ଦେଖାଇ ସାଉଦି ଆରବ ଯିବାକୁ ଭିସା ହାସଲ କରନ୍ତି। ହେଲେ ଏବେ ସମସ୍ତ ପ୍ରକାରର ଭିସା ଉପରେ ଜୁନ ମଧ୍ୟ ଭାଗ ଯାଏ ବ୍ୟାନ ଲଗାଯାଇଛି।

Advertisment

ମକ୍କାକୁ ଯାତ୍ରା ଶେଷ ହେବା ପରେ ଏହି ବ୍ୟାନ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବ। ସାଉଦିର ଏପରି ଭିସା ବ୍ୟାନ ନିଷ୍ପତ୍ତି ଭାରତ, ପାକିସ୍ତାନ, ବାଂଲାଦେଶ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ, ନାଇଜେରିଆ, ଜୋର୍ଡାନ, ଆଲଜେରିଆ, ସୁଦାନ, ଇଥିଓପିଆ, ତୁନିସିଆ, ୟେମେନ ଓ ମୋରୋକୋର ଲୋକମାନେ ପ୍ରଭାବିତ ହେବେ।

ହଜ ଯାତ୍ରା ପାଇଁ ସାଉଦି ପକ୍ଷରୁ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନେକ ସମୟରେ ଉପଯୁକ୍ତ ପଞ୍ଜୀକରଣ ବିନା ଶହଶହ ଲୋକ ହଜ ଯାତ୍ରା କରିବାକୁ ଉଦ୍ୟମ କରନ୍ତି। ଏପରି ଉଦ୍ୟମ କରୁଥିବା ଲୋକଙ୍କୁ ହଜ ଯାତ୍ରାରୁ ଦୂରେଇ ରଖିବା ପାଇଁ ସାଉଦି ପକ୍ଷରୁ ଭିସା ବ୍ୟାନ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଯେଉଁମାନଙ୍କ ପାଖରେ ପୂର୍ବରୁ ଉମରା ଭିସା ରହିଛି, ସେମାନେ ଏପ୍ରିଲ ୧୩ ଯାଏ ସାଉଦି ଆରବରେ ପ୍ରବେଶ କରିପାରିବେ।

Advertisment

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ସାଉଦି ଆରବ ପାଇଁ ଏପରି ଭିସା ବ୍ୟାନ ନିଷ୍ପତ୍ତି ଆବଶ୍ୟକ ଥିଲା। କାରଣ ପୂର୍ବରୁ ଅନେକ ବିଦେଶୀ ନାଗରିକ ଉମରା ଓ ପର୍ଯ୍ୟଟନ ଭିସାରେ ସାଉଦିରେ ପ୍ରବେଶ କରିବାର ନଜିର ରହିଛି। ସେମାନେ ପ୍ରଥମେ ଉମରା ଓ ଅନ୍ୟ ଭିସା ବଳରେ ସାଉଦିରେ ପ୍ରବେଶ କରୁଥିଲେ ଓ ସେମାନେ ବେଆଇନ ଭାବେ ଅଧିକ ଦିନ ରହି ବିନା ପଞ୍ଜୀକରଣରେ ହଜ ଯାତ୍ରା କରୁଥିଲେ।

ଏଥିଯୋଗୁ ଧାର୍ଯ୍ୟ କ୍ଷମତା ଠାରୁ ପ୍ରବଳ ଭିଡ଼ ହୋଇଥାଏ। ସେହିପରି ପ୍ରବଳ ଖରା ସମୟରେ ଏପରି ଭିଡ଼ ଲୋକଙ୍କ ଜୀବନ ମଧ୍ୟ ନେଇଥାଏ। ପ୍ରବଳ ଭିଡ଼ ଓ ଖରା ଯୋଗୁ ୨୦୨୪ ହଜ ଯାତ୍ରା ବେଳେ ପ୍ରାୟ ୧୨୦୦ ମୁସଲିମ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା। ସାଉଦି ଆରବରେ ପବିତ୍ର ହଜ ଯାତ୍ରା ପାଇଁ କୋଟା ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁସାରେ କେଉଁ ଦେଶରୁ କେତେ ଲୋକ ହଜ ଯାତ୍ରାରେ ଆସି ପାରିବେ, ତା’ର ନିୟମ ରହିଛି। ହେଲେ ବିଭିନ୍ନ ଦେଶର ଲୋକ ଏହି ନିୟମକୁ ବାଇପାସ କରି ବେଆଇନ ଭାବେ ହଜ ଯାତ୍ରାରେ ସାମିଲ ହେଉଛନ୍ତି। ସେଥିପାଇଁ ହଜ ଯାତ୍ରା ଶେଷ ହେବା ଯାଏ ସାଉଦି ଆରବ ପକ୍ଷରୁ ଭାରତ ସମେତ ୧୪ ଦେଶ ଉପରେ ଭିସା ବ୍ୟାନ ଲଗା ଯାଇଛି।

ଭିସା ବ୍ୟାନ ପଛର ଆଉ ଏକ କାରଣ ହେଲା ବେଆଇନ ନିଯୁକ୍ତି। ପାରିବାରିକ କିମ୍ବା ବ୍ୟବସାୟ ଭିସା ଧରି ବିଦେଶୀମାନେ ସାଉଦି ଆରବରେ ପ୍ରବେଶ କରୁଛନ୍ତି। ଏହାପରେ ସେଠାରେ ସେମାନେ ଅଣସ୍ୱୀକୃତି ପ୍ରାପ୍ତ କାମରେ ଲିପ୍ତ ହେଉଛନ୍ତି। ସେମାନେ ଭିସା ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ଓ ଶ୍ରମ ବଜାରରେ ବିଭ୍ରାଟ ମଧ୍ୟ ସୃଷ୍ଟି କରୁଥିବା ସାଉଦି ପକ୍ଷରୁ ସୂଚନା ଦିଆଯାଇଛି। 

ସାଉଦିର ହଜ ଓ ଉମାର ମନ୍ତ୍ରଣାଳୟ କହିଛି ଯେ ଏପରି ନିଷ୍ପତ୍ତି କୂଟନୀତିକ ସମ୍ପର୍କକୁ ଆଦୌ ପ୍ରଭାବିତ କରିବ ନାହିଁ। ସୁରକ୍ଷିତ ଓ ଉତ୍ତମ ହଜ ଯାତ୍ରା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସମସ୍ତ ରାଷ୍ଟ୍ର ଏହାକୁ ବୁଝିବାକୁ ସକ୍ଷମ ବୋଲି ମନ୍ତ୍ରଣାଳୟ କହିଛି।

ସାଉଦି ପକ୍ଷରୁ ଏପରି ବ୍ୟାନ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କୁ ନୂଆ ନିୟମ ପାଳନ କରିବାକୁ କୁହାଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ତାଙ୍କ ଉପରେ ୫ ବର୍ଷର କଟକଣା ବି ଲାଗି ପାରେ। ସାଉଦି ଆରବ ନୂଆ ଭିସା ନୀତି କରିଥିଲେ ହେଁ କୂଟନୀତିକ ଭିସା, ଆବାସିକ ଅନୁମତି ଓ ହଜ ପାଇଁ ନିର୍ଦ୍ଦିଷ୍ଟ ଭିସା ଧାରୀ ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ। ୨୦୨୫ ହଜ ଯାତ୍ରା ଜୁନ ୪ରୁ ୯ ଯାଏ ଚାଲିବ।

Saudi Arabia Hajj Pilgrim Hajj