Advertisment

ରୁଷ ସହ ସମ୍ପର୍କ, ଆମେରିକା ଆକ୍ରୋଶର ଶିକାର ହେବେ କି ଭାରତ ଓ ଚାଇନା?

ଯଦି ୫୦ ଦିନ ମଧ୍ୟରେ ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ କରୁଥିବା ଯୁଦ୍ଧକୁ ବନ୍ଦ ନ କରିବେ, ତା’ହେଲେ ଆମେରିକା ବାଧ୍ୟ ହୋଇ ମସ୍କୋ ଉପରେ ୧୦୦% ସେକେଣ୍ଡାରୀ ଟାରିଫ ଲଗାଇବ।

author-image
Hemant Lenka
Russia

Russia

ରୁଷ ସହ ବ୍ୟବସାୟ କରୁଥିବା ଭାରତ ଓ ଚାଇନା ଭଳି ଦେଶକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି ଆମେରିକା। ଯଦି ଭାରତ, ଚାଇନା ଓ ବ୍ରାଜିଲ ଭଳି ବ୍ରିକ୍ସ ଦେଶଗୁଡ଼ିକ ରୁଷ ସହ ବ୍ୟବସାୟିକ ସମ୍ପର୍କ ଜାରି ରଖନ୍ତି, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଆମେରିକାର ଦୁଇ ଜଣ ସାଂସଦ ଲିଣ୍ଡସେ ଗ୍ରାହାମ ଓ ରିଚାର୍ଡ ବ୍ଲୁମେନ୍ଥାଲ ଚେତାବାନୀ ଦେଇଛନ୍ତି। ରୁଷ ସହ ଯଦି ବ୍ରିକ୍ସ ଦେଶଗୁଡ଼ିକ ବ୍ୟବସାୟ ଜାରି ରଖିବେ, ତା’ହେଲେ ସେମାନଙ୍କୁ ଆର୍ଥିକ କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଉଭୟ ସାଂସଦ କହିଛନ୍ତି।

Advertisment

ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଧମକ ଦେଇଥିଲେ। ଯଦି ୫୦ ଦିନ ମଧ୍ୟରେ ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ କରୁଥିବା ଯୁଦ୍ଧକୁ ବନ୍ଦ ନ କରିବେ, ତା’ହେଲେ ଆମେରିକା ବାଧ୍ୟ ହୋଇ ମସ୍କୋ ଉପରେ ୧୦୦% ସେକେଣ୍ଡାରୀ ଟାରିଫ ଲଗାଇବ। କେବଳ ରୁଷ ନୁହେଁ, ବରଂ ରୁଷ ସହ ବ୍ୟବସାୟ କରୁଥିବା ଭାରତ ଓ ଚାଇନା ଭଳି ଦେଶ ମଧ୍ୟ ଆମେରିକା ଟାରିଫର ସମ୍ମୁଖୀନ ହେବେ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପଙ୍କ ଏପରି ଚେତାବାନୀ ପରେ ଆମେରିକାର ଦୁଇ ବରିଷ୍ଠ ସାଂସଦ ଭାରତ, ଚାଇନା ଓ ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି।

ଗ୍ରାହାମ ଓ ରିଚାର୍ଡ ଦୁଇ ଭିନ୍ନ ରାଜନୀତିକ ଦଳର ସାଂସଦ ହୋଇଥିଲେ ହେଁ ମିଳିତ ଭାବେ ରୁଷ ବିରୋଧରେ ଗୋଟିଏ ବିଲକୁ ଆମେରିକା କଂଗ୍ରେସ ବା ସଂସଦରେ ଉପସ୍ଥାପନ କରିଥିଲେ। ରୁଷ ଉପରେ କଟକଣା ଲଗାଇବା ପାଇଁ ଆସିଥିବା ବିଲକୁ ଅନ୍ୟ ୮୫ ଜଣ ସାଂସଦ ସମର୍ଥନ କରିଥିଲେ ଓ ଏହା ପାରିତ ମଧ୍ୟ ହୋଇଥିଲା। ସେମାନେ କହିଥିଲେ ଯେ ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନଙ୍କ ଉପରେ ଚାପ ପ୍ରୟୋଗ ଉଦ୍ଦେଶ୍ୟରେ ଏପରି ବିଲ ଗୋଟିଏ ପ୍ରତୀକାତ୍ମକ ପଦକ୍ଷେପ।

Advertisment

ଏବେ ଦୁଇ ସାଂସଦ ମିଳିତ ଭାବେ ଗୋଟିଏ ବିବୃତି ଜାରି କରିବା ସହ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ସେମାନେ କହିଛନ୍ତି, ଭାରତ, ଚାଇନା ଓ ବ୍ରାଜିଲ ଭଳି ଦେଶଗୁଡ଼ିକ ରୁଷ ଠାରୁ ଶସ୍ତାରେ ତୈଳ ଓ ଗ୍ୟାସ କିଣୁଛନ୍ତି। ସେମାନେ ଏପରି କରି ରୁଷର ସହାୟତା କରୁଛନ୍ତି। ଏହି ସହାୟତା ବଳରେ ପୁଟିନ ଯୁଦ୍ଧ ଜାରି ରଖିଛନ୍ତି। ଏପରି ଢଙ୍ଗରେ ରୁଷକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ୫୦୦%ର ଟାରିଫ ବା ଶୁଳ୍କ ଲାଗୁ କରାଯିବା ଦରକାର।

ସୋମବାର ନାଟୋର ସେକ୍ରେଟାରୀ ଜେନାରାଲଙ୍କ ସହ ଟ୍ରମ୍ପ ବୈଠକ କରିଥିଲେ। ଏହି ସମୟରେ ସେ ରୁଷ ଉପରେ ସେକେଣ୍ଡାରୀ ଟାରିଫ ଲଗାଇବା କଥା ଘୋଷଣା କରିଥିଲେ। ଟ୍ରମ୍ପଙ୍କ ଏପରି ଆଭିମୁଖ୍ୟକୁ ସାଂସଦ ରିଚାର୍ଡ ପ୍ରଶଂସା କରିବା ସହ ଏହା ଗୋଟିଏ ଚମତ୍କାର ପଦକ୍ଷେପ ବୋଲି ମତ ରଖିଛନ୍ତି। ଟ୍ରମ୍ପଙ୍କ ସେକେଣ୍ଡାରୀ ଟାରିଫ ନୀତି ଶାନ୍ତି ଆଲୋଚନା ପାଇଁ ଆଗେଇ ଆସିବା ଦିଗରେ ଗୋଟିଏ ବଡ଼ ପଦକ୍ଷେପ।

ଭାରତ, ଚାଇନା ଓ ବ୍ରାଜିଲ ଭଳି ଦେଶ ଶସ୍ତାରେ ତେଲ ଓ ଗ୍ୟାସ କିଣି ପୁଟିନଙ୍କ ଯୁଦ୍ଧ ମେସିନକୁ ପରିପୂର୍ଣ୍ଣ କରୁଛନ୍ତି। ଯୁଦ୍ଧକୁ ଶେଷ କରିବାକୁ ହେଲେ ରୁଷକୁ ସହାୟତା କରୁଥିବା ଦେଶଗୁଡ଼ିକ ଉପରେ ମଧ୍ୟ କଠୋର ଟାରିଫ ଲାଗୁ କରିବାକୁ ହେବ। ଏହାଦ୍ୱାରା ପୁଟିନ ବାଧ୍ୟ ହୋଇ ଶାନ୍ତି ଆଲୋଚନା କରିବାକୁ ଆଗେଇ ଆସିବେ।

ଏହାପୂର୍ବରୁ ପ୍ରଥମେ ରୁଷକୁ ସହାୟତା କରୁଥିବା ଦେଶଗୁଡ଼ିକ ଉପରେ ଟାରିଫ ପ୍ରହାର କରିବାକୁ ହେବ। ଟାରିଫ ପ୍ରହାର ହେଲେ ରୁଷ ଯୁଦ୍ଧ ବନ୍ଦ କରି ଶାନ୍ତି ଆଲୋଚନାକୁ ଆଗେଇ ଆସିବ ବୋଲି ଉଭୟ ସାଂସଦ କହିଛନ୍ତି।

Russia-Ukraine War USA