ଡୋନାଲ୍ଡ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ବିଶ୍ୱର ବିଭିନ୍ନ ଦେଶ ଉପରେ ଲାଗୁ କରିଥିବା ଟାରିଫ ବ୍ୟବସ୍ଥାକୁ ଶୁକ୍ରବାର ଅଗ୍ରାହ୍ୟ କରି ଦେଇଛନ୍ତି ଦେଶର ସୁପ୍ରିମକୋର୍ଟ। ଆମେରିକା ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଭାରତୀୟ ରପ୍ତାନୀ ଉପରେ ଲାଗୁ ହେଉଥିବା ଶୁଳ୍କ ବା ଟାରିଫକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଏହି ରାୟକୁ ନେଇ ଅଧିକ ପ୍ରଶ୍ନ ଓ କମ ଉତ୍ତର ସ୍ଥିତି ଦେଖିବାକୁ ମିଳିଛି।
ଭାରତରୁ ରପ୍ତାନୀ କରୁଥିବା ବ୍ୟବସାୟୀଙ୍କୁ ବଦଳୁଥିବା ସ୍ଥିତି ଅନୁସାରେ ନିଜର ଲକ୍ଷ୍ୟକୁ ପୂରଣ କରିବାକୁ ପଡ଼ିବ। ଭାରତ ଓ ଆମେରିକା ବାଣିଜ୍ୟ ଡିଲ ଯୋଗୁ ନୂଆଦିଲ୍ଲୀ ଉପରେ ଲାଗୁ ହେଉଥିବା ଟାରିଫ ୫୦%ରୁ ୧୮%କୁ ଖସି ଥିଲା। ତଥାପି ଏଯାଏ ଏହି ଡିଲ ସ୍ୱାକ୍ଷରିତ ହୋଇନାହିଁ। ଏସବୁ ଭିତରେ ଆମେରିକା ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ଭାରତ ଉପରେ ୧୮%, ୧୦%, ୫୦% ନା ୧୩.୫% ଟାରିଫ ଲାଗିବ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି।
ବର୍ତ୍ତମାନ ସୁଦ୍ଧା ଅନ୍ତରୀଣ ବାଣିଜ୍ୟ ଡିଲ ଅନୁସାରେ ଭାରତୀୟ ଦ୍ରବ୍ୟ ଉପରେ ୧୮% ଟାରିଫ ଲାଗୁ ହେବା କଥା। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୁଝାମଣା ହୋଇଥିବା ବେଳେ ମାର୍ଚ୍ଚ ମଧ୍ୟଭାଗରେ ଚୁକ୍ତି ସ୍ୱାକ୍ଷରିତ ହେବ। ଆମେରିକା ପକ୍ଷରୁ ଭାରତ ଉପରେ ଲାଗୁଥିବା ପାରସ୍ପରିକ ଟାରିଫ ୧୮% ଖସିବ ଓ ଅତିରିକ୍ତ ଭାବେ ରୁଷ ଠାରୁ ତେଲ କିଣିବା ପାଇଁ ଲାଗୁ ହେଉଥିବା ୨୫% ଟାରିଫ ମଧ୍ୟ ଶୂନ ହୋଇଯିବ।
କିନ୍ତୁ ଶୁକ୍ରବାର ଆମେରିକା ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି ଯେ ଟ୍ରମ୍ପ ୫୦ ବର୍ଷ ପୁରୁଣା International Emergency Economic Powers Act (IEEPA)କୁ ବ୍ୟବହାର କରି କାହା ଉପରେ ଟାରିଫ ଲାଗୁ କରିପାରିବେ ନାହିଁ। ଏହାର ଅର୍ଥ ଭାରତ ଉପରେ ଲାଗୁ ହେଉଥିବା ୧୮% ପାରସ୍ପରିକ ଟାରିଫକୁ ଆମେରିକା ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି।
ଆଇନଗତ ନିର୍ଦ୍ଦେଶ ଯୋଗୁ ଟ୍ରମ୍ପଙ୍କ ପୂର୍ବରୁ ଥିବା ବ୍ୟବସ୍ଥା ଅନୁସାରେ ଭାରତ ଏବେ ୩.୫% ଟାରିଫ ଦେବା କଥା। କାରଣ ଆମେରିକାର ସବୁଠାରୁ ପସନ୍ଦର ଦେଶ (ଏମଏଫଏନ) ମାନ୍ୟତା ଅନୁସାରେ ଏପରି ଟାରିଫ ଭାରତ ଉପରେ ଲାଗିବା କଥା। ହେଲେ ସୁପ୍ରିମ ଝଟକା ଯୋଗୁ ରାଗି ଯାଇଥିବା ଟ୍ରମ୍ପ ଆଉ ଏକ ପ୍ରଦକ୍ଷେପ ଶନିବାର ନେଇଛନ୍ତି।
ସେ ଗୋଟିଏ ନିର୍ଦ୍ଦେଶନାମାରେ ଦସ୍ତଖତ କରି ସବୁ ଦେଶ ଉପରେ ବାଧ୍ୟତାମୂଳକ ଭାବେ ୧୦% ଟାରିଫ ଲଗାଇଛନ୍ତି। ଏହା ମଧ୍ୟରେ ଭାରତ ମଧ୍ୟ ରହିଛି। ଅର୍ଥାତ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୧୦% ଟାରିଫ ଲାଗୁ ହେବ।
ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପୂର୍ବରୁ କେବେ ବ୍ୟବହାର ହୋଇ ନଥିବା ଧାରା ୧୨୨କୁ ମଧ୍ୟ ସେ ବ୍ୟବହାର କରିଛନ୍ତି। ଏହି ଧାରାର ବ୍ୟବସ୍ଥା ଅନୁସାରେ ଆମେରିକାର ଯେକୌଣସି ରାଷ୍ଟ୍ରପତି ୧୫୦ ଦିନ ଯାଏ ବିଶ୍ୱର ସମସ୍ତ ରାଷ୍ଟ୍ର ଉପରେ ୧୫% ଯାଏ ଟାରିଫ ଲାଗୁ କରିପାରିବେ। ଏହାପରେ ଏହି ନିଷ୍ପତ୍ତିକୁ ଆମେରିକା ସଂସଦ ବା କଂଗ୍ରେସର ଅନୁମତି ଆବଶ୍ୟକ ପଡ଼ିବ। ଯଦି ସଂସଦ ଅନୁମତି ଦେଲା, ତା’ହେଲେ ରାଷ୍ଟ୍ରପତି ନେଇଥିବା ଟାରିଫ ବ୍ୟବସ୍ଥା ବଳବତ୍ତର ରହିବ। ଟ୍ରମ୍ପ ସେହି ଅନୁସାରେ ୧୦% ଟାରିଫ ଲଗାଇଛନ୍ତି। ଏହି ନିର୍ଦ୍ଦେଶ ଫେବୃଆରୀ ୨୪ରୁ କାର୍ଯ୍ୟକାରୀ ହେବ।
ତେବେ ଟ୍ରମ୍ପଙ୍କୁ ଭାରତ ଉପରେ ଲାଗୁଥିବା ଟାରିଫ ସମ୍ପର୍କରେ ସ୍ପଷ୍ଟତା ମଗା ଯିବାରୁ ସେ ପୂର୍ବଭଳି ୧୮% ଲାଗୁ ହେବ ବୋଲି କହି ପୁଣି ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ହ୍ୱାଇଟ ହାଉସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହ୍ୱାଇଟ ହାଉସ କହିଛି ଯେ ବିଶ୍ୱର ସମସ୍ତ ଦେଶ ଉପରେ ୧୦% ଟାରିଫ ଲାଗୁ ହେବ। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା।
ନୂଆ ନିର୍ଦ୍ଦେଶକୁ ହିସାବ କଳେ ଭାରତ ଉପରେ ୧୩.୫% ଟାରିଫ ଲାଗୁ ହେବ। କାରଣ ଆମେରିକାର ସବୁଠାରୁ ପସନ୍ଦର ଦେଶ(ଏମଏଫଏନ) ମାନ୍ୟତା ଅନୁସାରେ ଭାରତ ୩.୫% ଟାରିଫ ଦେବ। ସେହିପରି ଟ୍ରମ୍ପଙ୍କ ୧୨୨ ଧାରାର କ୍ଷମତା ଅନୁସାରେ ଜାରି ନିର୍ଦ୍ଦେଶ ଅନୁସାରେ ଆଉ ୧୦% ଟାରିଫ ଦେବାକୁ ହେବ ବୋଲି କୁହାଯାଉଛି। କିନ୍ତୁ ହ୍ୱାଇଟ ହାଉସ ସ୍ପଷ୍ଟ ଭାବେ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/21/trump-2026-02-21-13-19-45.jpg)