Iran
ଇସ୍ରାଏଲ ଓ ଆମେରିକା ସହ ଲଢ଼େଇ ମଧ୍ୟରେ ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ କରିବା ପାଇଁ ଇରାନର ସଂସଦ ପ୍ରସ୍ତାବ ଦେଇଛି। ଇରାନ ସଂସଦର ଏହି ପ୍ରସ୍ତାବ ପରେ ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳର ଦାମ ୫ ମାସ ମଧ୍ୟରେ ସବୁଠାରୁ ଅଧିକରେ ପହଞ୍ଚି ଯାଇଛି। ଇରାନ ସଂସଦ କେବଳ ପ୍ରସ୍ତାବ ଦେଇଥିବା ବେଳେ ଷ୍ଟ୍ରେଟ ଅଫ ହରମୁଜ ବନ୍ଦ ହେବ କି ନାହିଁ, ତା’ର ନିଷ୍ପତ୍ତି ଇରାନୀ ସୁପ୍ରିମ ନ୍ୟାଶନାଲ ସିକ୍ୟୁରିଟୀ କାଉନସିଲ ନେବ। ଯଦି ଇରାନ ବିଧିବଦ୍ଧ ଭାବେ ହରମୁଜ ପ୍ରଣାଳୀକୁ ବନ୍ଦ କରି ଦେବ, ତା’ହେଲେ ପୂରା ବିଶ୍ୱ ଏହା ଦ୍ୱାରା ପ୍ରଭାବିତ ହେବ।
କାରଣ ହରମୁଜ ପ୍ରଣାଳୀ ବନ୍ଦ ପାଇଁ ଇରାନର ସଂସଦ କେବଳ ପ୍ରସ୍ତାବ ଦେବା ପରେ ବିଶ୍ୱ ବଜାରରେ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ହରମୁଜ୍ ପ୍ରଣାଳୀ ପରସିଆନ ଗଲ୍ଫକୁ ଆରବ ସାଗର ଓ ଭାରତ ମହାସାଗରକୁ ସଂଯୋଗ କରେ। ଏହା ବିଶ୍ୱର ସବୁଠାରୁ ବ୍ୟସ୍ତ ଓ ସମ୍ବେଦନଶୀଳ ତୈଳ ମାର୍ଗ ମଧ୍ୟରୁ ଗୋଟିଏ। ସାଉଦି ଆରବ, କୁଏତ, ଇରାକ, ୟୁଏଇ ଓ କତର ଭଳି ଦେଶଗୁଡ଼ିକର ଅଧିକାଂଶ ତୈଳ ରପ୍ତାନୀ ଏହି ମାର୍ଗ ଦେଇ ହୋଇଥାଏ।
ଏହି ରାସ୍ତା ଦେଇ ବିଶ୍ୱର ପ୍ରାୟ ୨୦% ତୈଳ ରପ୍ତାନୀ ଜାହାଜ ଅତିକ୍ରମ କରିଥାଏ। ଇରାନର ବନ୍ଦ ପ୍ରସ୍ତରବ ପରେ ବିଶ୍ୱ ତୈଳ ବଜାର ଓ ରଣନୀତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ମତରେ ହରମୁଜ ପ୍ରଣାଳୀ ବନ୍ଦ ହେଲେ ତେଲ ବ୍ୟାରେଲ ପିଛା ୧୨୫ରୁ ୧୩୦ ଡଲାରକୁ ବୃଦ୍ଧି ପାଇପାରେ। ଏପରି ହେଲେ ବିଶ୍ୱର ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ। ଭାରତରେ ମଧ୍ୟ ତୈଳ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଆମେରିକା ସେନା ଇରାନ ଉପରେ ଆକ୍ରମଣ କରିବା କ୍ଷଣି ଦୁଇ ସୁପର ଟ୍ୟାଙ୍କର Coswisdom Lake and South Loyalty ଷ୍ଟ୍ରେଟ ଅଫ ହରମୁଜ ପାର କରୁଥିବା ବେଳେ ୟୁଟର୍ଣ୍ଣ ମାରିଛନ୍ତି। ଏକାଧିକ ଜାହାଜ ଚଳାଚଳ ସଂସ୍ଥା ଏବେ ହରମୁଜ ପ୍ରଣାଳୀରେ ଯାତାୟାତ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ସେମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଷ୍ଟ୍ରେଟ ଅଫ ହରମୁଜର ବିକଳ୍ପ ସମୁଦ୍ର ପଥ ବର୍ତ୍ତମାନ ସୁଦ୍ଧା ନାହିଁ। ଅବଶ୍ୟ ସାଉଦି ଓ ୟୁଏଇ ଭଳି ଦେଶ ପାଖରେ ତୈଳ ପାଇପ ଲାଇନ ଥିବାରୁ ସେମାନେ ହରମୁଜ ପ୍ରଣାଳୀକୁ ବାଇପାସ କରିପାରିବେ। କିନ୍ତୁ ଦୁଇ ଦେଶର ପାଇପ ଲାଇନରେ ଦୈନିକ ରପ୍ତାନୀ କ୍ଷମତା ହେଲା ୬.୮ ମିଲିୟନ ବ୍ୟାରେଲର। ହରମୁଜ ପ୍ରାଣାଳୀରେ ଦୈନିକ ୨୦ ମିଲିୟନ ବ୍ୟାରେଲ ତୈଳ ଯାଇଥାଏ। ତେଣୁ ପାଇପ ଲାଇନର କ୍ଷମତା ଏହା ଠାରୁ ଯଥେଷ୍ଟ କମ। ତେଣୁ ପୂରା ବିଶ୍ୱରେ ତୈଳ ରପ୍ତାନୀରେ ବିଶୃଙ୍ଖଳା ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି।
କେମିତି ତୈଳ ଦରକୁ ପ୍ରଭାବିତ କରିବ?
ଯଦି ଇରାନ ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ କରିଦିଏ, ତା’ହେଲେ ପୂରା ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବ। ସୋମବାର ଠାରୁ ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ଦେଖାଯାଇଛି। ଏଥିପାଇଁ ଅଶୋଧିତ ତୈଳ ଦାମ ବଢ଼ିଛି। ଗୋଲ୍ଡ ମ୍ୟାନ ସାଚ୍ସର ରିପୋର୍ଟ ଅନୁସାରେ, ଯଦି ଷ୍ଟ୍ରେଟ ଅଫ ହରମୁଜରେ ପୂର୍ବ ତୁଳନାରେ ମାସକ ପାଇଁ ଅଧା ତୈଳ ବୋଝେଇ ଜାହାଜ ଯାତାୟାତ କରିବ ଓ ଆଉ ୧୧ ମାସ ରପ୍ତାନୀ ୧୦% କମ ରହିବ, ତା’ହେଲେ ବିଶ୍ୱ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୧୦ ଡଲାରରେ ପହଞ୍ଚି ଯିବ।
ଯଦି ଇରାନର ତୈଳ ରପ୍ତାନୀ ଦୈନିକ ୧.୭୫ ମିଲିୟନ ବ୍ୟାରେଲକୁ ହ୍ରାସ ପାଇବ, ତା’ହେଲେ ଅଶୋଧିତ ତୈଳର ବ୍ୟାରେଲି ପିଛା ୯୦ ଡଲାର ରହିବ। ୨୦୨୬ ସୁଦ୍ଧା ଯୋଗାଣରେ ସ୍ଥିରତା ଆସିବା ବେଳକୁ ଏହା ୬୦ କିମ୍ବା ୭୦ ଡଲାର ବ୍ୟାରେଲ ପିଛା ରହିଥିବ।
ଭାରତ ଉପରେ ପ୍ରଭାବ
ଭାରତ ଭଳି ଦେଶ ନିଜର ଆବଶ୍ୟକତା ପୂରଣ ପାଇଁ ୮୦% ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭର କରନ୍ତି। ଏପରି ସ୍ଥିତିରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଗୋଟିଏ ଚିନ୍ତାର ବିଷୟ। ଅଶୋଧିତ ତୈଳ ଦର ବୃଦ୍ଧି ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିବ। ଏହାଦ୍ୱାରା ମହଙ୍ଗା ମାଡ଼ର ସ୍ଥିତି ଦେଖାଯିବ। ସରକାରଙ୍କ ବଜେଟକୁ ଏହା ପ୍ରଭାବିତ କରିବ ଓ ଆମଦାନୀ ବିଲ ମହଙ୍ଗା ହେବ।
ଷ୍ଟ୍ରେଟ ଅଫ ହରମୁଜ ବନ୍ଦ ହେଲେ ଭାରତର ପରିବହନ, ଏୟାର ଲାଇନ୍ସ ଓ ଉତ୍ପାଦନ ଶିଳ୍ପ ଉପରେ ଏହାର ପ୍ରଭାବ ପଡ଼ିବ। କମ୍ପାନୀଗୁଡ଼ିକ ବିଭିନ୍ନ ଜିନିଷର ଦାମ ବୃଦ୍ଧି କରିବେ। ବିଭିନ୍ନ ଜିନିଷ ଏବଂ ସେବା ପାଇଁ ସାଧାରଣ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।
ହରମୁଜ ପ୍ରଣାଳୀକୁ ସହଜରେ ବନ୍ଦ କରିପାରିବନି ଇରାନ!
ଇରାନର ସଂସଦ ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ଏହାକୁ ପ୍ରକୃତରେ ବନ୍ଦ କରିବା ତେହରାନ ପାଇଁ ସହଜ ନୁହେଁ। ପୂର୍ବରୁ ଅନେକ ବିବାଦ ସମୟରେ ଇରାନ ଏହାକୁ ବନ୍ଦ କରି ନଥିଲା। କାରଣ ଏହି ପ୍ରଣାଳୀରେ ଇରାନ ମଧ୍ୟ ନିଜର ତୈଳକୁ ରପ୍ତାନୀ କରିଥାଏ।
ଏହି ପ୍ରଣାଳୀରେ ବିଭ୍ରାଟ ଇରାନର ଅର୍ଥନୀତିକୁ ପ୍ରଭାବିତ କରିବ। ସେହିପରି ଇରାନ ଠାରୁ ସବୁ ଠାରୁ ଅଧିକ ତୈଳ କିଣୁଥିବା ବନ୍ଧୁ ଚାଇନାକୁ ମଧ୍ୟ ହରମୁଜ ପ୍ରଣାଳୀ ବନ୍ଦ ହେବେ ସବୁଠାରୁ ଅଧିକ ଘାଟା ସହିବାକୁ ପଡ଼ିବ।
ଅନ୍ୟପକ୍ଷରେ ପ୍ରଣାଳୀକୁ ବନ୍ଦ ହେଲେ ସାମରିକ ତିକ୍ତତା ତୀବ୍ର ହେବ। ପୂରା ବିଶ୍ୱ ଷ୍ଟ୍ରେଟ ଅଫ ହରମୁଜ ଉପରେ ନିର୍ଭର କରୁଥିବାରୁ ଇରାନ ପାଇଁ ବିବାଦକୁ ମୁକାବିଲା କରିବା ସହଜ ହେବନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Iran__1750669248.jpg)