Advertisment

ଘନଉଛି କି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା?

ଇସ୍ରାଏଲ ଉପରେ ଇରାନର ପାଖାପାଖି ୨୦୦ କ୍ଷେପଣାସ୍ତ୍ର ମାଡ଼ ପରେ ସମଗ୍ର ବିଶ୍ୱ ଏବେ ଆଶଙ୍କାରେ। ଅନେକଙ୍କ ମନରେ ପ୍ରଶ୍ନ, ଏହା କ’ଣ ତୃତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ? ଏକ୍ସ (ପୂର୍ବର ଟୁଇଟର) ପରି ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ନାନାଦି ଚର୍ଚ୍ଚା। ଏହା ଏବେ ଟ୍ରେଣ୍ଡିଂ କରୁଛି।

ଅଦ୍ୟତନ ହୋଇଛି
Iran's Missile Attack On Israel

Iran's Missile Attack On Israel

Advertisment

ଇସ୍ରାଏଲ ଉପରେ ଇରାନର ପାଖାପାଖି ୨୦୦ କ୍ଷେପଣାସ୍ତ୍ର ମାଡ଼ ପରେ ସମଗ୍ର ବିଶ୍ୱ ଏବେ ଆଶଙ୍କାରେ। ଅନେକଙ୍କ ମନରେ ପ୍ରଶ୍ନ, ଏହା କ’ଣ ତୃତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ? ଏକ୍ସ (ପୂର୍ବର ଟୁଇଟର) ପରି ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ନାନାଦି ଚର୍ଚ୍ଚା। ଏହା ଏବେ ଟ୍ରେଣ୍ଡିଂ କରୁଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଆଶଙ୍କା କରିଛନ୍ତି ଓ ସେଥିପାଇଁ ତାଙ୍କର ପ୍ରତିପକ୍ଷ ମାର୍କିନ ରାଷ୍ଟ୍ରପତି ଜୋ ବିଡେନ୍‌ ଏବଂ ତାଙ୍କର ସହଯୋଗୀ କମଳା ହାରିସ୍‌ଙ୍କୁ ଦାୟୀ କରିଛନ୍ତି।

Advertisment

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ଼ସ କର୍ପ୍ସ (ଆଇଆରଜିସି) କମାଣ୍ଡର ଆବ୍ବାସ ନିଲଫୋରୋଷନ, ହମାସ ନେତା ଇସମାଇଲ ହାନିୟେହ୍‌ ଏବଂ ଲେବାନନରେ ହେଜବୁଲ୍ଲା ନେତା ହସନ ନସ୍ରଲ୍ଲାଙ୍କ ହତ୍ୟାର ଜବାବ ଦେବାକୁ ଯାଇ ଅକ୍ଟୋବର ପହିଲା ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ୧୮୧ଟି କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ। ଏହାର ପରିଣାମ ବଡ଼ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ଇସ୍ରାଏଲ। ଇରାନର ଏପରି ଆକ୍ରମଣକୁ ନିନ୍ଦା କରି ନଥିବାରୁ ଜାତିସଂଘ ମହାସଚିବଙ୍କ ଇସ୍ରାଏଲ ଗସ୍ତ ନିଷିଦ୍ଧ କରିଛି ନେତାନ୍ୟାହୁ ପ୍ରଶାସନ। ତେଣେ ଗାଜାରେ ପାଲେଷ୍ଟିନୀୟଙ୍କ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ହୋଇନାହିଁ। ଲେବାନନର ହେଜବୁଲ୍ଲା ଗୋଷ୍ଠୀ ଅଞ୍ଚଳରେ ଆକ୍ରମଣ ଅବ୍ୟାହତ ରଖିଛି ଇସ୍ରାଏଲ। ଆଜି ବି ଲେବାନନର ୨୪ ଗାଁର ଲୋକମାନଙ୍କୁ ତୁରନ୍ତ ଜାଗା ଛାଡ଼ି ପଳାଇବାକୁ ଧମକ ଦେଇଛି। ତେଣେ ସିରିଆ କହିଛି ଯେ ଇସ୍ରାଏଲ ଆକ୍ରମଣରେ ତାହାର ୩ ଜଣ ନାଗରିକ ନିହତ ହୋଇଛନ୍ତି। ସେହିପରି ୟେମେନରେ ରହି ଆତଙ୍କବାଦୀ କାର୍ଯ୍ୟ ଚଳାଇଥିବା ହାଉଦି ବିଦ୍ରୋହୀମାନେ ମଧ୍ୟ ଆଦେନ ଉପସାଗର ଓ ଲୋହିତ ସାଗର ଅଞ୍ଚଳରେ ଇସ୍ରାଏଲ ସମର୍ଥକ ଦେଶର ଜାହାଜ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଏସବୁ ଘଟଣାକୁ ନେଇ ମଧ୍ୟ ପ୍ରାଚ୍ୟରେ ସୃଷ୍ଟି ହୋଇଛି ଆଶଙ୍କା ଓ ଅସ୍ଥିରତାର ବାତାବରଣ।

ମଧ୍ୟ ପ୍ରାଚ୍ୟରେ ଇରାନ ଓ ସାଉଦି ଆରବ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି। ସାଉଦି ଆରବ ହେଉଛି ସଂଖ୍ୟାବହୁଳ ସୁନ୍ନି ମୁସଲମାନଙ୍କ ଦେଶ। ଇରାନ ହେଉଛି ସଂଖ୍ୟାବହୁଳ ଶିଆ ମୁସିଲିମ ରାଷ୍ଟ୍ର। ସାଉଦି ଆରବ ସପକ୍ଷରେ ଅଛନ୍ତି ଆମେରିକା ଓ ତାହାର ବନ୍ଧୁରାଷ୍ଟ୍ର ସମୂହ, ନାଟୋ ସାମରିକ ମେଣ୍ଟ। ଇରାନ ସପକ୍ଷରେ ଅଛନ୍ତି ରୁଷିଆ, ଚୀନ ଓ ଉତ୍ତର କୋରିଆ। ଏ ଚାରିଟି ଯାକ ରାଷ୍ଟ୍ର ହେଉଛନ୍ତି ଆଣବିକ ଶକ୍ତି ସଂପନ୍ନ।

Advertisment

ମଧ୍ୟ ପ୍ରାଚ୍ୟର ଏହି ଭୂରାଜନୀତିକ ଅସ୍ଥିରତା ମଧ୍ୟରେ ଇସ୍ରାଏଲର ପାଲେଷ୍ଟାଇନ, ଲେବାନନ, ସିରିଆ ଓ ଇରାନ ଉପରେ ପ୍ରଚ୍ଛଦ ଆକ୍ରମଣ ଅଧିକ ଜଟିଳ ସମସ୍ୟା ସୃଷ୍ଟି କରିଛି। ଗାଜାର ହମାସ, ଲେବାନନର ହେଜବୁଲ୍ଲା ଓ ୟେମେନର ହାଉଦି ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲକ୍ଷ୍ୟରେ ଆକ୍ରମଣ ଚଳାଇଥିବା ଇସ୍ରାଏଲ ଏବେ ଏହିସବୁ ଦେଶର ଶତ୍ରୁ ଭାବରେ ଉଭା ହୋଇଛି। ଇସ୍ରାଏଲ ଆକ୍ରମଣରେ ଏହିସବୁ ଦେଶର ହଜାର ହଜାର ଶିଶୁ ଓ ମହିଳାଙ୍କ ସମେତ ବେସାମରିକ ନାଗରିକ ନିହତ ହୋଇଥିଲେ ମଧ୍ୟ ଆମେରିକା ଓ ତାହାର ମିତ୍ର ରାଷ୍ଟ୍ରଗୁଡ଼ିକ ତାହାକୁ ଅଣଦେଖା କରୁଛନ୍ତି। ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି ଇସ୍ରାଏଲ। ଲେବାନନରେ ପେଜର ଓ ୱାକିଟକି ବିସ୍ଫୋରଣ ଘଟାଇ ଦୁଇ ଶତାଧିକ ଲୋକଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ ଲେବାନନ ବିରୋଧରେ ସ୍ଥଳଯୁଦ୍ଧ ଆରମ୍ଭ କରିଛି। ଏହାର ଶହଶହ ଟ୍ୟାଙ୍କ ଏବେ ଲେବାନନର ସୀମାନ୍ତ ଅଞ୍ଚଳରେ ଯୁଦ୍ଧ ବିଭୀଷିକା ସୃଷ୍ଟି କରିଛି।

ମଧ୍ୟ ପ୍ରାଚ୍ୟରେ ଏହିଭଳି ଉତ୍ତେଜନା ଲାଗି ରହିଥିଲାବେଳେ ଦୂରପ୍ରାଚ୍ୟରେ ମଧ୍ୟ ଯୁଦ୍ଧ ଉନ୍ମାଦନା ଥମି ନାହିଁ। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ତୃତୀୟ ବର୍ଷରେ ପଦାର୍ପଣ କରିଛି। ସେଠାରେ ଆମେରିକା ଓ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଚାଲିଛନ୍ତି। ଏବେ ଆମେରିକା ମଧ୍ୟ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଏହି ଉତ୍ତେଜନା ଏତିକିରେ ସୀମିତ ନରହିଲେ ଆଗକୁ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି। ଆମେରିକା ଓ ନାଟୋ ଯଦି ଇସ୍ରାଏଲ ସପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରନ୍ତି ରୁଷ, ଚୀନ ଓ ଉତ୍ତର କୋରିଆ ଇରାନ ସପକ୍ଷରେ ବାହାରିବାର ସମ୍ଭାବନା ରହିଛି। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅନେକ କ୍ଷତି ହୋଇସାରିଛି। ଏବେ ମଧ୍ୟ ପ୍ରାଚ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳ ବଜାର ମଧ୍ୟ ଗରମ ହୋଇଯାଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଦରବୃଦ୍ଧି ଓ ଅଶାନ୍ତି ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଯଦି ବିଶ୍ୱର ବୃହତ ଶକ୍ତିଗୁଡ଼ିକ ଏହି ସମୟରେ ପକ୍ଷଭୁକ୍ତ ହୋଇଯାନ୍ତି ଓ ସାମରିକ ଅଭିଯାନ ଆରମ୍ଭ କରନ୍ତି ତେବେ ତାହା ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଅମୂଳକ ନୁହେଁ।

Russia-Ukraine War Israel Declares War Hamas Israel-Palestine War Hezbollah Israel-Hezbollah War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe