Advertisment

US-Iran Conflict: ଇରାନ ଉପରେ ଆକ୍ରମଣ କରିବ କି ଆମେରିକା? ମଧ୍ୟପ୍ରାଚ୍ୟକୁ ପଠାଇଲା ‌ଅସ୍ତ୍ରଶସ୍ତ୍ର, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ

ଆମେରିକା ପକ୍ଷରୁ ୧୨ଟି ଏଫ-୧୫ଇ ଇଗଲ ଷ୍ଟ୍ରାଇକ ଜେଟକୁ ବ୍ରିଟେନରୁ ଜୋର୍ଡାନ ସ୍ଥିତ ଏୟାରବେସକୁ ଅଣାଯାଇଛି। ଏହା ସହିତ କେସି-୧୩୫ ଓ ସି-୧୩୦ କାର୍ଗୋ ଏୟାରକ୍ରାଫ୍ଟକୁ ମଧ୍ୟ ମୁତୟନ କରାଯାଇଛି। କେସି-୧୩୫ ଜରିଆରେ ଆକାଶ ପଥରେ ହିଁ ଯୁଦ୍ଧ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇ ପାରିବ।

USA1

ଆମେରିକାର ଯୁଦ୍ଧ ଜାହାଜ

Advertisment

ଆମେରିକା(USA) ପୁଣିଥରେ ମଧ୍ୟପ୍ରାଚ୍ୟକୁ ନିଜର ସାମରିକ ସରଞ୍ଜାମ ପୁଣି ପଠାଇବା ଆରମ୍ଭ କରିଛି। ଏହା ମଧ୍ୟରେ ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ଇତ୍ୟାଦି ରହିଛି। ଇରାନରେ ସରକାରୀ ବିରୋଧୀ ବିକ୍ଷୋଭ ବଢ଼ୁଥିବା ବେଳେ ହଜାର ହଜାର ଆନ୍ଦୋଳନକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଆମେରିକା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

Advertisment

ଆମେରିକା ଅସ୍ତ୍ରଶସ୍ତ୍ର ପଠାଉଥିବା ବେଳେ ଇସ୍ରାଏଲ( Israel) ମଧ୍ୟ ଗୋଟିଏ ହଠାତ୍ ଆରମ୍ଭ ହେବାକୁ ଥିବା ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ ଇରାନ(Iran) ଉପରେ ଯେକୌଣସି ଆକ୍ରମଣ ପୂରା ଅଞ୍ଚଳରେ ବ୍ୟାପକ ସାମରିକ ବିବାଦ ସୃଷ୍ଟି କରିବ ବୋଲି ଚେତାଇ ଦେଇଛି ତେହରାନ।

ଏକାଧିକ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟ ଅଭିଯାନର ଦେଖାଶୁଣା କରୁଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM)କୁ ଆହୁରି ଅଧିକ ମଜବୁତ କରିବାରେ ଲାଗିଛି ୱାଶିଂଟନ। ଏଥିପାଇଁ ଏଫ-୧୫ଇ ଷ୍ଟ୍ରାଇକ ଇଗଲ ଜେଟ ଓ ବିମାନବାହକ ଜାହାଜ ୟୁଏସଏସ ଅବ୍ରାହମ ଲିକୋଲନକୁ ଇରାନ ସୀମା ନିକଟକୁ ପଠାଯାଇଛି। ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟରେ ନିଜର ଏୟାର ଓ ମିସାଇଲ ଡିଫେନ୍ସ ସିଷ୍ଟମକୁ ମଧ୍ୟ ପୂର୍ବାପେକ୍ଷା ଅଧିକ ମଜବୁତ କରୁଛି। 

Advertisment

ଗୁରୁବାର ଟ୍ରମ୍ପ ନିଶ୍ଚିତ କରିଥିଲେ ଯେ ଗୋଟିଏ ବଡ଼ ଫୋର୍ସ ଇରାନ ଆଡ଼କୁ ଯାଉଛି। ସେ କହିଥିଲେ, “ସେହି ଦିଗରେ ଗୋଟିଏ  ବଡ଼ କଥା ଘଟୁଛି। କ’ଣ ହେଉଛି ଆମେ ସମସ୍ତେ ଦେଖିବା। ଆମ ପାଖରେ ଥିବା ଗୋଟିଏ ବଡ଼ ଫୋର୍ସ ଇରାନ ଆଡ଼କୁ ଯାଉଛି। ସେଠାରେ କିଛି ଘଟୁ ବୋଲି ମୁଁ ଚାହୁଁନାହିଁ। କିନ୍ତୁ ଆମେ ତାଙ୍କୁ(ଇରାନ) ବେଶ ତୀକ୍ଷ୍ଣ ଭାବେ ଦେଖୁଛୁ।” 

ବୁଧବାର ବିଶ୍ୱ ଅର୍ଥନୀତିକ ଫୋରମ ଅବସରରେ ଟ୍ରମ୍ପ ସିବିଏସ୍‌କୁ କହିଥିଲେ ଯେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ପଡ଼ିବ ନାହିଁ ବୋଲି ସେ ଆଶା କରୁଛନ୍ତି। ସେ ଦାବି କରିଥିଲେ ଯେ ତାଙ୍କ ଧମକ ଯୋଗୁ ଇରାନ ୮୩୭ ଜଣ ବିକ୍ଷୋଭକାରୀଙ୍କ ଫାଶୀଦଣ୍ଡର କାର୍ଯ୍ୟକାରୀ ଉପରେ ରୋକ ଲଗାଇ ଦେଇଥିଲା। ଏହି ରୋକ ସ୍ଥାୟୀ ବୋଲି ଟ୍ରମ୍ପ ଆଶା କରିଥିଲେ। 

ତେବେ ଇରାନରେ ଇଣ୍ଟରନେଟ ବ୍ଲାକଆଉଟ ଜାରି ରହିଥିବା ବେଳେ ସରକାରଙ୍କ ଦମନଲୀଳା ବନ୍ଦ ହୋଇ ନଥିବା ଖବର ଆସୁଛି। ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ୨୦ ହଜାରରୁ ଅଧିକ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ଇରାନ ସରକାର ଭୟଙ୍କର ନିର୍ଯାତନା ଦେଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟ ବିଶେଷ କରି ଇରାନ ସୀମାନ୍ତକୁ ଅଧିକ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ବିମାନ ପଠା ଯାଇଛି। 

ଆମେରିକା ପକ୍ଷରୁ ୧୨ଟି ଏଫ-୧୫ଇ ଇଗଲ ଷ୍ଟ୍ରାଇକ ଜେଟକୁ ବ୍ରିଟେନରୁ ଜୋର୍ଡାନ ସ୍ଥିତ ଏୟାରବେସକୁ ଅଣାଯାଇଛି। ଏହା ସହିତ କେସି-୧୩୫ ଓ ସି-୧୩୦ କାର୍ଗୋ ଏୟାରକ୍ରାଫ୍ଟକୁ ମଧ୍ୟ ମୁତୟନ କରାଯାଇଛି। କେସି-୧୩୫ ଜରିଆରେ ଆକାଶ ପଥରେ ହିଁ ଯୁଦ୍ଧ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇ ପାରିବ। ସେହିପରି ଏଫ-୧୫ଇ ହେଉଛି ବହୁମୁଖୀ ଯୁଦ୍ଧ ବିମାନ। ଗତବର୍ଷ ଇରାନ ସହ ୧୨ ଦିନିଆ ସାମରିକ ଲଢ଼େଇ ବେଳେ ସମସ୍ତ ପ୍ରକାରର ଡ୍ରୋନ ଆଟାକାକୁ ଅକାମୀ କରିବାକୁ ଉଭୟ ଆମେରିକା ଓ ଇସ୍ରାଏଲ ଏହାର ବ୍ୟବହାର କରିଥିଲେ। 

ଆମେରିକା ଅସ୍ତ୍ରଶସ୍ତ୍ର ପଠାଉଥିବା ବେଳେ ଇସ୍ରାଏଲକୁ ଇରାନ ପକ୍ଷରୁ ଆକ୍ରମଣ ଭୟ ଘାରିଛି। ଏଥିପାଇଁ ଇସ୍ରାଏଲ ମଧ୍ୟ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୂଚନା ନ ଦେଇ ଆମେରିକା ପକ୍ଷରୁ ଇରାନରେ ଆକ୍ରମଣ କରାଯାଇ ପାରେ। ଏହାପରେ ଇରାନ ପାଲଟା ଆକ୍ରମଣ କରିବାର ଆଶଙ୍କା ରହିଛି।

ତେଣୁ ପୂର୍ବରୁ ଏଥିପ୍ରତି ସତର୍କ ରହିବାକୁ ଇସ୍ରାଏଲ ନିଜ ଦେଶର ସୁରକ୍ଷାକର୍ମୀଙ୍କୁ କହିଛି। ସେନା ବାହିନୀ ସହ ପୁଲିସ୍‌, ଅଗ୍ନିଶମ ବିଭାଗ ଓ ଜରୁରୀ ସେବାରେ ନିୟୋଜିତ ଏଜେନ୍ସିମାନେ ସବୁ ପ୍ରକାରର ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। 

USA Israel Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe