/odisha-reporter/media/post_attachments/uploadimage/library/16_9/16_9_0/IMAGE_1739270310.jpg)
Racheal Kaur
ପ୍ରତିଦିନ ଅଗଣିତ ଲୋକ ବାଇକ୍, ଅଟୋ, କାର, ବସ୍, ଟ୍ରେନ୍ ଓ ଟ୍ୟାକ୍ସି ଯୋଗେ ନିଜ ନିଜ କର୍ମକ୍ଷେତ୍ରକୁ ଯାଆନ୍ତି। କିନ୍ତୁ ଏଠାରେ ଆମେ ଏମିତି ଜଣେ ମହିଳାଙ୍କ ସଂପର୍କରେ କହିବାକୁ ଯାଉଛୁ, ଯିଏ ପ୍ରତିଦିନ ଉଡ଼ାଜାହାଜରେ ଅଫିସ୍ ଯାଆନ୍ତି। ତାଙ୍କ ନାଁ ରାଚେଲ କୌର। ସେ ଜଣେ ଭାରତୀୟ ବଂଶୋଦ୍ଭବ। ସେ ମାଲେସିଆର ପେନାଙ୍ଗରେ ରହନ୍ତି। ମାଲେସିଆରେ ଏୟାର ଏସିଆର ଫାଇନାନ୍ସ ଅପରେସନ ବିଭାଗରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରନ୍ତି ରାଚେଲ କୌର। ତାଙ୍କ ଅଫିସଟି ଅଛି ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ। ସେଥିପାଇଁ ସେ ପ୍ରତିଦିନ ସକାଳେ ବିମାନରେ ପେନାଙ୍ଗରୁ କୁଆଲାଲମ୍ପୁର ଯାଆନ୍ତି ଓ ସନ୍ଧ୍ୟାରେ ପୁଣି ବିମାନରେ ଫେରି ଆସନ୍ତି।
ରାଚେଲ କୌର ପ୍ରଥମେ କୁଆଲାଲମ୍ପରୁରେ ଏକ ଘର ଭଡ଼ା ନେଇ ରହୁଥିଲେ। ସପ୍ତାହରେ ଦିନେ ସେ ପେନାଙ୍ଗ ସ୍ଥିତ ତାଙ୍କ ଘରକୁ ଆସୁଥିଲେ ଓ ପରିବାର ଲୋକଙ୍କ ସହିତ ରହୁଥିଲେ। କିନ୍ତୁ ଛୁଆମାନଙ୍କଠାରୁ ଦୂରରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲା। ସେ ତାଙ୍କ ଅଫିସ କାମ ଓ ପାରିବାରିକ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରି ନଥିଲେ। ତେଣୁ ଦିନେ ସେ ଏକ ବଡ଼ ନିଷ୍ପତ୍ତି ନେଲେ। ପ୍ରତିଦିନ ସେ ବିମାନରେ ପେନାଙ୍ଗରୁ କୁଆଲାଲମ୍ପୁର ଯା’ଆସ କରିବେ ବୋଲି ନିଷ୍ପତ୍ତି ନେଲେ, ଯାହା ପ୍ରଥମେ ପ୍ରଥମେ ସମସ୍ତଙ୍କୁ ଅସମ୍ଭବ ଲାଗିଥିଲା। କିନ୍ତୁ ରାଚେଲ କୌର ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ।
୨୦୨୪ ପ୍ରାରମ୍ଭରୁ ସେ ବିମାନରେ ପେନାଙ୍ଗରୁ କୁଆଲାଲମ୍ପୁରକୁ ଯା’ଆସ ଆରମ୍ଭ କଲେ। ଆଉ ଆଶ୍ଚର୍ଯ୍ୟଜନକ ଭାବେ ସେ ଏଥିରେ ଅଭ୍ୟସ୍ତ ହୋଇଗଲେ। କ୍ରମଶଃ ଦୈନନ୍ଦିନର ବିମାନ ଯାତ୍ରା ତାଙ୍କୁ କଷ୍ଟକର ମନେ ହେଲା ନାହିଁ। ବରଂ ଏବେ ସେ ଅଫିସ୍ କାମ ଠିକ୍ରେ କରିବା ସହିତ ପରିବାର ଲୋକଙ୍କ ସହିତ ସମୟ କାଟି ପାରୁଛନ୍ତି ଓ ଘର ଦାୟିତ୍ୱ ତୁଲାଇ ପାରୁଛନ୍ତି ବୋଲି ଚ୍ୟାନେଲ ନ୍ୟୁଜ୍ ଏସିଆ (ସିଏନ୍ଏ)କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି।
ରାଚେଲ କୌର କହିଛନ୍ତି, ମୋର ଦୁଇଟି ଛୁଆ। ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଅକୁ ୧୨ ବର୍ଷ ଓ ଝିଅକୁ ୧୧ ବର୍ଷ। ସେମାନେ ଧୀରେ ଧୀରେ ବଡ଼ ହେଉଥିବା ଯୋଗୁ ମା’ ହିସାବରେ ମୁଁ ସେମାନଙ୍କ ପାଖେ ପାଖେ ରହିବା ଉଚିତ ବୋଲି ମୁଁ ଅନୁଭବ କଲି। ସେଥିପାଇଁ ପ୍ରତିଦିନ ପେନାଙ୍ଗରୁ କୁଆଲାଲମ୍ପୁର ଯିବାଆସିବା କରିବାକୁ ନିଷ୍ପତ୍ତି ନେଇଥିଲି। ଏବେ ମୁଁ ପ୍ରତିଦିନ ଅଫିସ ଯାଉଛି ଓ ସନ୍ଧ୍ୟାରେ ଫେରି ଛୁଆମାନଙ୍କ ସହିତ ସମୟ ବିତାଇ ପାରୁଛି।
ସେ ସପ୍ତାହରେ ୫ ଦିନ ଅଫିସ ଯାଆନ୍ତି। ସେ ପ୍ରତିଦିନ ଭୋର ୪ଟାରେ ଉଠନ୍ତି ଓ ନିତ୍ୟକର୍ମ ସାରି ୫ଟା ସୁଦ୍ଧା ବିମାନ ବନ୍ଦର ଅଭିମୁଖେ ବାହାରି ଯାଆନ୍ତି। ପେନାଙ୍ଗ ବିମାନ ବନ୍ଦରରୁ ସେ ସକାଳ ସାଢ଼େ ୬ଟାରେ ବିମାନରେ ବସି କୁଆଲାଲମ୍ପୁର ଅଭିମୁଖେ ଯାତ୍ରା କରନ୍ତି। ସକାଳ ୭ଟା ୪୫ ସୁଦ୍ଧା ସେ କୁଆଲାଲମ୍ପୁର ସ୍ଥିତ ତାଙ୍କ ଅଫିସ୍ରେ ପହଞ୍ଚି ଯାଆନ୍ତି। କୁଆଲାଲମ୍ପୁର ବିମାନବନ୍ଦରଠାରୁ ତାଙ୍କ ଅଫିସ୍କୁ ଚାଲି ଚାଲି ଗଲେ ମାତ୍ର ୫ରୁ ୧୦ ମିନିଟ୍ ଲାଗେ। ସନ୍ଧ୍ୟା ପ୍ରାୟ ୮ଟା ବେଳକୁ ସେ ପୁଣି ପେନାଙ୍ଗ ସ୍ଥିତ ତାଙ୍କ ଘରେ ପହଞ୍ଚି ଯାଆନ୍ତି।
ଗୁଗଲ ମ୍ୟାପ୍ ଅନୁଯାୟୀ, ରାଚେଲ କୌର ପ୍ରତିଦିନ ବିମାନରେ ୭୦୦ କିଲୋମିଟର ଯା’ଆସ କରନ୍ତି। ତଥାପି ତାଙ୍କ ଖର୍ଚ୍ଚ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ରାଚେଲ କହିଛନ୍ତି ଯେ ସେ କୁଆଲାଲମ୍ପୁରରେ ରହିବା ବେଳେ ଘର ଭଡ଼ା ସହିତ ତାଙ୍କର ଅନ୍ୟାନ୍ୟ ମାସିକ ଖର୍ଚ୍ଚ ୪୧ ହଜାର ଟଙ୍କା ଥିଲା। କିନ୍ତୁ ଏବେ ବିମାନରେ ଯା’ଆସ କରୁଥିବାରୁ ତାଙ୍କର ମାସିକ ଖର୍ଚ୍ଚ ୨୭ ହଜାରକୁ ଖସି ଯାଇଛି। ବିମାନରେ ମୁଁ ନିଜ ପାଇଁ କିଛି ସମୟ ବିତାଇପାରେ। ଯାତ୍ରା ସମୟରେ ମୁଁ ଗୀତ ଶୁଣିବାକୁ ପସନ୍ଦ କରେ। ପ୍ରକୃତିକୁ ସବୁ ଦିନେ ଆକାଶରୁ ଦେଖି ଉପଭୋଗ କରେ।
ପ୍ରତିଦିନ ବିମାନରେ ଯା’ଆସ କରୁଥିବା ରାଚେଲ କୌରଙ୍କୁ କେବଳ ଭୋର ୪ଟାରୁ ଉଠିବାରେ ଟିକେ କଷ୍ଟ ହୁଏ। କିନ୍ତୁ ଅଫିସ୍ରୁ ଘରକୁ ଫେରିବା ପରେ ଛୁଆଙ୍କ ମୁହଁ ଦେଖିଦେଲେ ସବୁ କଷ୍ଟ ଦୂର ହୋଇଯାଏ ବୋଲି ସେ କହିଛନ୍ତି। ସେହିପରି ସେ ‘ୱାର୍କ ଫ୍ରମ ହୋମ୍’କୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ କେବେ ଘରେ ରହି ଅଫିସ୍ କାର୍ଯ୍ୟ କରିବା କଥା ଚିନ୍ତା କରି ନାହାନ୍ତି। ରାଚେଲ କହନ୍ତି, ଅଫିସରେ ସହକର୍ମୀଙ୍କ ଗହଣରେ କାମ କରିବାରେ ଯେଉଁ ମଜା ଥାଏ, ଘରେ ସେହି କାମ କରିବାରେ ମଜା ନଥାଏ। ଅଫିସ୍ରେ ଅନ୍ୟମାନଙ୍କ ଗହଣରେ କାମଗୁଡ଼ିକ ସହଜ ଲାଗେ। ଅଫିସ୍ରେ ଥିବା ବେଳେ ମୁଁ ପୂରା କାର୍ଯ୍ୟ ବ୍ୟସ୍ତ ରହେ। ତେବେ ଘରକୁ ଫେରିବା ପରେ ମୁଁ ପୂରା ସମୟ ପରିବାର ପାଇଁ ଦିଏ।
ରାଚେଲ କୌରଙ୍କ ଏହି ଦୈନନ୍ଦିନର ରୁଟିନ୍ ଏତେ ସହଜ ନୁହେଁ। ତଥାପି ପ୍ରାୟ ବର୍ଷେ ହେଲାଣି ସେ ଏହି ଯାତ୍ରା ବଜାୟ ରଖିଛନ୍ତି। ସେଥିପାଇଁ ତାଙ୍କୁ ସୁପର କମ୍ୟୁଟର ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
