Advertisment

୧୧୭ ଡ୍ରୋନ ଓ ୧୮ ମାସର ଯୋଜନା: ୟୁକ୍ରେନର ପ୍ରଚଣ୍ଡ ହମଲା ପରେ ରୁଷ ଥରହର

ରୁଷ ଭିତରେ ପଶି ୟୁକ୍ରେନ ବେଶ ସଫଳତାର ସହ ଯୁଦ୍ଧ ବିମାନଗୁଡ଼ିକୁ ଧ୍ୱଂସ କରିଥିବାରୁ ଏହାକୁ ଜେଲେନସ୍କି ଚମତ୍କାର ଅପରେସନ ବୋଲି କହିଛନ୍ତି।

author-image
Hemant Lenka
Russia

Russia

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ରବିବାର ଆହୁରି ଭୟଙ୍କର ହୋଇଛି। ଦୀର୍ଘ ବର୍ଷ ଧରି ଚାଲିଥିବା ଯୁଦ୍ଧ ସମୟରେ ସବୁଠାରୁ ବଡ଼ ଡ୍ରୋନ ଆଟାକୁ ଦେଖିଛି ବିଶ୍ୱ। ୟୁକ୍ରେନର ଡ୍ରୋନ ଆଟାକରେ ବ୍ୟାପକ କ୍ଷତି ସହିଛି ରୁଷ। ୟୁକ୍ରେନ ଡ୍ରୋନ ରୁଷ ଭିତରେ ପଶି ତାଣ୍ଡବ ରଚିଛି। ୫ଟି ଏୟାର ବେସ୍‌ ଧ୍ୱଂସ ହୋଇଥିବାରୁ ରୁଷ ୪୦ଟି ଯୁଦ୍ଧ ବିମାନ ହରାଇଛି।

Advertisment

ସୋମବାର ରୁଷ ସହ ଶାନ୍ତି ଆଲୋଚନା ପାଇଁ ୟୁକ୍ରେନର ଗୋଟିଏ ପ୍ରତିନିଧି ମଣ୍ଡଳୀ ତୁର୍କୀର ଇସ୍ତାନବୁଲ ଯିବେ ବୋଲି ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଘୋଷଣା କରିବାର କିଛି ଘଣ୍ଟା ପରେ ଏପରି ହମଲା ହୋଇଛି। ରୁଷ ଭିତରେ ପଶି ୟୁକ୍ରେନ ବେଶ ସଫଳତାର ସହ ଯୁଦ୍ଧ ବିମାନଗୁଡ଼ିକୁ ଧ୍ୱଂସ କରିଥିବାରୁ ଏହାକୁ ଜେଲେନସ୍କି ଚମତ୍କାର ଅପରେସନ ବୋଲି କହିଛନ୍ତି। ଅପରେସନ ପାଇଁ ୧୮ ମାସ ହେଲା ଯୋଜନା ଚାଲିଥିଲା ଓ ୧୧୭ଟି ଡ୍ରୋନର ବ୍ୟବହାର କରାଯାଇଥିବା ସେ ପୂରା ବିଶ୍ୱକୁ ଜଣାଇଛନ୍ତି।

ରବିବାର ବିଳମ୍ବିତ ରାତିରେ ଜେଲନସ୍କି କହିଛନ୍ତି, “ଗୋଟିଏ ଚମତ୍କାର ଅପରେସନ ଶତ୍ରୁ ପକ୍ଷର ଅଞ୍ଚଳରେ କରାଯାଇଛି। ଅପରେସନ ବେଳେ କେବଳ ସାମରିକ ଜିନିଷକୁ ଟାର୍ଗେଟ କରାଯାଇଥିଲା। ୟୁକ୍ରେନରେ ଷ୍ଟ୍ରାଇକ କରିବା ପାଇଁ ବ୍ୟବହାର କରାଯାଉଥିବା ସମାଗ୍ରୀଗୁଡ଼ିକୁ ଧ୍ୱଂସ କରାଯାଇଛି। ରୁଷ ବ୍ୟାପକ କ୍ଷତି ସହିଛି। ଏହା ଯର୍ଥାର୍ଥ ଓ ରୁଷ ଏହା ହିଁ ସାମ୍ନା କରିବାକୁ ଯୋଗ୍ୟ। ପ୍ରସ୍ତୁତି ୧୮ ମାସ ଧରି ଚାଲିଥିଲା। ଯୋଜନା ଠାରୁ ଆରମ୍ଭ କରି ଏହାର କାର୍ଯ୍ୟକାରିତା ବେଶ ସଫଳ ହୋଇଛି। ଏହା ବିଶ୍ୱାସ ବୃଦ୍ଧି କରିଛି ଓ ଏହା ନିଶ୍ଚିତ ଭାବେ ଗୋଟିଏ ବିରଳ ତଥା ସ୍ୱତନ୍ତ୍ର ଅପରେସନ।”

Advertisment

ଗୋଟିଏ ବିସ୍ତୃତ ବିବୃତିରେ ଜେଲେନସ୍କି ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସନ୍ତୋଷ ଆଣି ଦେବା ଭଳି କଥା ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ଚାପ ସୃଷ୍ଟି କରାଯିବାର ଆବଶ୍ୟକ ଥିଲା। ରୁଷ ଉପରେ ଚାପ ପକାଇ ତା’କୁ ବାସ୍ତବତାକୁ ବୁଝାଇବାକୁ ଚେଷ୍ଟା କରାଯାଇଛି। କଟକଣା ଦ୍ୱାରା ଚାପ। ଆମ ସଶସ୍ତ୍ର ବଳ ଦ୍ୱାରା ଚାପ। କୂଟନୀତିକ ସ୍ତରରେ ଚାପ। ସବୁ କିଛି ଏକାଠି ହେବା ଦରକାର।”

ୟୁକ୍ରେନ ରାଷ୍ଟ୍ରପତି ଦାବି କରିଛନ୍ତି ଯେ ରୁଷର ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସି ନିକଟରେ ଥିବା ଗୋଟିଏ ଅଫିସରୁ ଅପରେସନକୁ ବାସ୍ତବ ରୂପ ଦିଆଯାଇଥିଲା। ସେ କହିଛନ୍ତି, “ଅପରେସନରେ ମୋଟ ୧୧୭ଟି ଡ୍ରୋନର ବ୍ୟବହାର କରାଯାଇଥିଲା। ଏୟାର ବେସ୍‌ରେ କ୍ରୁଜ ମିସାଇଲ ବହନ କରିପାରୁଥିବା ୩୪% ଯୁଦ୍ଧ ବିମାନକୁ ହିଟ କରାଯାଇଛି। ଆମ ଲୋକମାନେ ରୁଷର ବିଭିନ୍ନ ଅଞ୍ଚଳରେ ରହି କାମ କରୁଥିଲେ। ୩ଟି ଭିନ୍ନ ଟାଇମ ଜୋନରେ ସେମାନେ ସବୁ ଯୋଜନା କରିଥିଲେ। ଆମକୁ ସହଯୋଗ କରିଥିବା ଲୋକଙ୍କୁ ଅପରେସନ ପୂର୍ବରୁ ହିଁ ରୁଷରୁ ଅପସାରଣ କରି ନିଆଯାଇଥିଲା। ଏବେ ସେମାନେ ପୂରା ସୁରକ୍ଷିତ।”

ୟୁକ୍ରେନ ଆକ୍ରମଣ ପୂର୍ବରୁ ରୁଷ ପୁଣିଥରେ କିଭରେ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିଥିଲା। ତେଣୁ ଏହାର ଜବାବ ଦିଆଯାଇଛି। ଆମ ଲୋକମାନେ ମଧ୍ୟ ଏୟାର ରେଡ ଆଲର୍ଟକୁ ବୁଝିବା ଦରକାର ବୋଲି ଜେଲେନସ୍କି କହିଛନ୍ତି।

ୟୁକ୍ରେନ୍‌ ରବିବାର ରୁଷ୍‌ର ଓଲେନିଆ ଓ ବେଲିଆ ଉପରେ ଡ୍ରୋନ ଆଟାକ କରିଥିଲା। ରଣନୀତିକ ଦୃଷ୍ଟିରୁ ଉଭୟ ଘାଟି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ୟୁକ୍ରେନ୍‌ ଉପରେ ବୋମା ମାଡ଼ କରିବା ପାଇଁ ଏହାର ସର୍ବାଧିକ ବ୍ୟବହାର ହେଉଥିଲା। ଶନିବାର ରାତିରେ ରୁଷ୍‌ ୟୁକ୍ରେନ୍‌ର ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ୍‌ କରି ୪ ଶହରୁ ଅଧିକ ଡ୍ରୋନ୍‌ ଓ ୭ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହାର ଜବାବରେ ରବିବାର ୟୁକ୍ରେନ୍‌ ଡ୍ରୋନ ଦ୍ୱାରା ରୁଷ୍‌ର ୪ଟି ବାୟୁସେନା ଘାଟିକୁ ଟାର୍ଗେଟ୍‌ କରି ଆକ୍ରମଣ କରିଥିଲା। ୟୁକ୍ରେନ ଡ୍ରୋନ୍ ରୁଷର ଟିୟୁ-୯୫, ଟିୟୁ-୨୨ ଏବଂ ଏ-୫୦ ଗୁପ୍ତଚର ବିମାନ ଭଳି ବଡ଼ ବଡ଼ ବୋମାବର୍ଷୀ ବିମାନକୁ କ୍ଷତି ପହଞ୍ଚାଇବାରେ ସକ୍ଷମ ହୋଇଛି। ରୁଷ୍‌ ଉପରେ ଏଭଳି ଭୟାନକ ଆକ୍ରମଣ ପାଇଁ ୟୁକ୍ରେନ୍‌ର ଏହି ଅପରେସନକୁ ଅତ୍ୟନ୍ତ ଗୁପ୍ତ ରଖିଥିଲା ଓ ଏହାର ନାଁ ‘ଅପରେସନ୍‌ ସ୍ପାଇଡର୍ ୱେବ୍’ ରଖିଥିଲା।

ରୁଷ୍‌ର ଆଭ୍ୟନ୍ତରୀଣ ଅଂଚଳରେ ଥିବା ୪ଟି ଏୟାରବେସ୍‌କୁ ଟାର୍ଗେଟ କରିବା ପାଇଁ ଶତାଧିକ ଡ୍ରୋନ୍‌କୁ ଟ୍ରକ୍‌ ମାଧ୍ୟମରେ ପଠାଯାଇଥିଲା ଏବଂ ରୁଷୀୟ ଗୁଇନ୍ଦା ସଂସ୍ଥା ଏହାର ଟେର୍‌ ପାଇନଥିଲା। ଡ୍ରୋନ୍‌ ବାହକ ଟ୍ରକ୍‌ଗୁଡ଼ିକୁ ଟାର୍ଗେଟ୍‌ କରାଯାଇଥିବା ବାୟୁସେନା ଘାଟିର ଅତି ନିକଟରେ ପହଞ୍ଚାଇବାକୁ ୟୁକ୍ରେନ୍‌ ସକ୍ଷମ ହୋଇଥିଲା। ପରେ ରିମୋଟ୍‌ରେ ଏହାକୁ ସକ୍ରିୟ କରାଯାଇ ବିଭିନ୍ନ ବାୟୁସେନା ଘାଟିରେ ଆକ୍ରମଣ କରାଯାଇଥିଲା।

ଏହି କାରଣରୁ ରୁଷ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଠାବ କରିପାରି ନଥିଲା। ଏହି ଆକ୍ରମଣକୁ ରୁଷ୍‌ ସ୍ୱୀକାର କରିଛି ଏବଂ ମୋଟ ୫ଟି ଅଂଚଳରେ ୪ଟି ଏୟାରବେସ୍‌ କ୍ଷତିଗ୍ରସ୍ତ ହୋଇଥିବା କହିଛି।

Russia-Ukraine War Russia Volodymyr Zelenskyy