/odisha-reporter/media/media_files/2025/11/05/zohran-mamdani-2025-11-05-14-34-51.jpg)
ଜୋହରାନ ମମଦାନି
ଆମେରିକା(USA)ରେ ଇତିହାସ ରଚିଛନ୍ତି ଜୋହରାନ ମମଦାନି। ସେ ପ୍ରଥମେ ଭାରତୀୟ ବଂଶୋଦ୍ଭବ ତଥା ମୁସଲିମ ଯିଏ ଆମେରିକାର ସବୁଠାରୁ ବଡ଼ ସହର ନ୍ୟୁୟର୍କ ମେୟର ନିର୍ବାଚନରେ ବାଜିମାତ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବା ପରେ ଏହା ଥିଲା ସବୁଠାରୁ ବଡ଼ ନିର୍ବାଚନ। ଆଉ ଏହି ନିର୍ବାଚନରେ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। କାରଣ ମେୟର ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଦମଦାର ପ୍ରଦର୍ଶନ କରି ବିଜୟ ବାନା ଉଡ଼ାଇଛି।
ନ୍ୟୁୟର୍କ(New York)ର ମେୟର ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋହରାନ ମମଦାନି ତାଙ୍କ ପ୍ରତିପକ୍ଷ ଆଣ୍ଡ୍ର୍ୟୁ କୟୁମୋଙ୍କୁ ହରାଇ ଐତହାସିକ ବିଜୟ ହାସଲ କରିଛନ୍ତି। ନିଜର ବିଜୟ ଭାଷଣରେ ସେ ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଉଦାହରଣ ଦେଇଛନ୍ତି। ମମଦାନି ନିଜ ଭାଷଣରେ ନେହରୁଙ୍କ ଉକ୍ତିକୁ ବ୍ୟବହାର କରିଛନ୍ତି। ସେ କହିଛନ୍ତି, “ଆଜି ରାତିରେ ଆମେ ପୁରୁଣା ଯୁଗରୁ ନୂଆ ଯୁଗରେ ପାଦ ବଢ଼ାଉଛୁ।”
ଜୋହରାନ ମମଦାନି ନିଜ ଭାଷଣରେ କହିଛନ୍ତି, “ମୁଁ ଜବାହରଲାଲ ନେହରୁଙ୍କ ଶବ୍ଦ ସମ୍ପର୍କରେ ଭାବୁଛି। ଇତିହାସରେ ଏମିତି କ୍ଷଣ ବହୁତ କମ ଆସେ ଯେଉଁଠାରେ ଆମେ ପୁରୁଣାରୁ ନୂଆ ଦିଗରେ ପାଦ ବଢ଼ାଇ ଥାଉ। ଯେତେବେଳେ ଗୋଟିଏ ଯୁଗର ଅନ୍ତ ହୋଇଥାଏ ଓ ଗୋଟିଏ ରାଷ୍ଟ୍ରର ଆତ୍ମାକୁ ବାକ ସ୍ୱାଧୀନତା ମିଳଥାଏ। ଆଜି ରାତିରେ ଆମେ ପୁରୁଣାରୁ ନୂଆ ଦିଗରେ ପାଦ ବଢ଼ାଉଛୁ।”
ମମଦାନି ନ୍ୟୁୟର୍କର ପ୍ରଥମ ମୁସଲିମ ଓ ଭାରତୀୟ ବଂଶୋଦ୍ଭବ ମେୟର। ୨୦୨୪ ନିର୍ବାଚନରେ ନ୍ୟୁୟର୍କ ଟ୍ରମ୍ପଙ୍କୁ ସମର୍ଥନ କରିଥିଲା। କିନ୍ତୁ ଏବେ ନ୍ୟୁୟର୍କ ପୁଣି ଡେମୋକ୍ରାଟିକ ମମଦାନିଙ୍କୁ ସମର୍ଥନ ଦେଇଛି।
ଉଗାଣ୍ଡାରେ ଜନ୍ମିତ ମମଦାନି ମାତ୍ର ୭ ବର୍ଷ ବୟସରେ ପରିବାର ସହ ନ୍ୟୁୟର୍କ ଚାଲି ଆସିଥିଲେ। ସେ ହେଉଛନ୍ତି ପ୍ରଖ୍ୟାତ ବଲିଉଡ ଫିଲ୍ମ ନିର୍ମାତା ମୀରା ନାଏରଙ୍କ ପୁଅ। ସିରିୟାର ମଡେଲଙ୍କୁ ମମଦାନି ବିବାହ କରିଛନ୍ତି। ମେୟର ନିର୍ବାଚନ ଜିତିବା ପରେ ମମଦାନି ସିଧାସଳଖ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ ମୋତେ ଶୁଣନ୍ତୁ। ନ୍ୟୁୟର୍କରେ ନୂଆ ସକାଳ ଆସିଛି। ଯେଉଁ ସହର ଆପଣଙ୍କୁ ଜିତାଇଥିଲା ସେହି ସହର ଆପଣଙ୍କୁ ହରାଇ ପାରିବ। ଡୋନାଲ୍ଡ ଟ୍ରମ୍ପ(Donald Trump) ମୁଁ ଜାଣିଛି ଆପଣ ମୋତେ ଦେଖୁଛନ୍ତି। ମୁଁ ଆପଣଙ୍କ ପାଇଁ ୪ଟି ଶବ୍ଦ କହୁଛି। ସାଉଣ୍ଡ ବଢ଼ାଇ ଦିଅନ୍ତୁ ବା ଟର୍ଣ୍ଣ ଦ ଭଲ୍ୟୁମ ଅପ୍।” ମମଦାନିଙ୍କ କଥା ଅନୁସାରେ ଟ୍ରମ୍ପ ମଧ୍ୟ ସବୁ କିଛି ଦେଖିଛନ୍ତି। ଟ୍ରମ୍ପ ସୋଶାଲ ମିଡିଆରେ କହିଛନ୍ତି, “ଏହା ଆରମ୍ଭ ହେଲା।”
ମମଦାନି କହିଛନ୍ତି, “ମୁଁ ଜଣେ ଯୁବକ। ମୁଁ ଜଣେ ମୁସଲିମ। ମୁଁ ଜଣେ ଗଣତାନ୍ତ୍ରିକ ସମାଜବାଦୀ। ଏହି ସବୁ ପାଇଁ ମୁଁ କ୍ଷମା ମାଗିବାକୁ ମନା କରୁଛି। ମୁଁ କେବେ ହେଲେ କ୍ଷମା ମାଗିବି ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
