ଓଡ଼ିଶା ହାଇକୋର୍ଟରେ ପୂରଣ ହେବ ୧୪୭ଟି ASO ପଦ; ୨୦ରୁ ଆବେଦନ, ଦରମା ୩୫ ହଜାରରୁ ୧ ଲକ୍ଷ

୧୪୭ଟି ପଦବୀରୁ ୪୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ଓଡ଼ିଶା ହାଇକୋର୍ଟ

  • Published: Tuesday, 14 May 2024
  • , Updated: 14 May 2024, 05:12 PM IST

ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀରେ ନିଯୁକ୍ତି ଦିଆଯିବା ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଅନ୍‌ଲାଇନ୍ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧୮ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

ସଂରକ୍ଷଣ

୧୪୭ଟି ASO ପଦବୀରୁ ୭୦ଟି ଅଣସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ଏସ୍‌ଟିଙ୍କ ପାଇଁ ୫୭ ଓ ଏସ୍‌ସିଙ୍କ ପାଇଁ ୧୫ଟି ପଦ ସଂରକ୍ଷିତ ରହିଛି। ସେହିପରି ୧୪୭ଟି ପଦବୀରୁ ୪୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅଣସଂରକ୍ଷିତ ବର୍ଗରେ ୭୦ଟି ପଦବୀ ରହିଥିବା ବେଳେ ସେଥିରୁ ୨୩ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଏସ୍‌ଇବିସିର ୫ଟି ପଦରୁ ୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏସ୍‌ଟି ବର୍ଗର ୫୭ଟି ପଦରୁ ୧୯ଟି ଓ ଏସ୍‌ସିଙ୍କ ପାଇଁ ଥିବା ୧୫ଟି ପଦରୁ ୫ଟି ସଂପୃକ୍ତ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ବୟସ ସୀମା

ପ୍ରାର୍ଥୀଙ୍କ ବୟସ ୧୪.୦୫.୨୦୨୪ ସୁଦ୍ଧା ୨୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଓ ୩୨ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ଅର୍ଥାତ୍ ପ୍ରାର୍ଥୀ ୧୩.୦୫.୨୦୦୩ ଦିନ ଅବା ତା’ପୂର୍ବରୁ ଓ ୧୫.୦୫.୧୯୯୨ ଦିନ ଅବା ତା’ ପରେ ଜନ୍ମ ଗ୍ରହଣ କରିଥିବେ। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି ଓ ମହିଳାଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ ୫ ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଷୟରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ତାଙ୍କର କଂପ୍ୟୁଟର ଆପ୍ଲିକେସନ୍ ଉପରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ।

ପରୀକ୍ଷା ଫି’

ପ୍ରାର୍ଥୀଙ୍କୁ ପରୀକ୍ଷା ଫି’ ବାବଦକୁ ୫୦୦ ଟଙ୍କା ଦେବାକୁ ପଡ଼ିବ। ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। ପ୍ରାର୍ଥୀ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ନେଟ୍ ବ୍ୟାଙ୍କିଂ ଯୋଗେ ଏହି ଫି’ ଜମା କରିପାରିବେ।

ପରୀକ୍ଷା ପ୍ରକ୍ରିୟା

ପ୍ରଥମେ ୧୫୦ ମାର୍କର ପ୍ରିଲିମିନାରୀ ପରୀକ୍ଷା ହେବ। ଏଥିରେ ଏକାଧିକ ଉତ୍ତର ବିକଳ୍ପ ଥାଇ ଅବଜେକ୍ଟିଭ୍ ପ୍ରଶ୍ନ ଦିଆଯିବ। ଏହା ପରେ ୩୦୦ ମାର୍କର ମେନ୍ ପରୀକ୍ଷା ହେବ। ଏଥିରେ ୧୦୦ ମାର୍କର ଇଂରାଜୀ, ୧୦୦ ମାର୍କର ଗଣିତ ଓ ୧୦୦ ମାର୍କର ସାଧାରଣ ଜ୍ଞାନ ଏବଂ ରିଜୋନିଂ ପରୀକ୍ଷା କରାଯିବ। ତା’ପରେ ୧୦୦ ମାର୍କର କଂପ୍ୟୁଟର ଆପ୍ଲିକେସନ ଟେଷ୍ଟ ହେବ। ଶେଷରେ ୪୦ ମାର୍କର Viva-Voce ଟେଷ୍ଟ ହେବ।

ଦରମା

ଗ୍ରୁପ୍-ବିରେ ଆସୁଥିବା ଏହି ଏଏସ୍‌ଓମାନଙ୍କ ପେ’ ସ୍କେଲ୍ ୩୫,୪୦୦ରୁ ୧ଲକ୍ଷ ୧୨ ହଜାର ୪୦୦ ଟଙ୍କା ରହିଛି।

ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ ହାଇକୋର୍ଟରେ ଅଫିସିଆଲକୁ ଯାଇ Important Noticesକୁ କ୍ଲିକ୍ କରନ୍ତୁ। ଅଥବା ଏଠାରେ କ୍ଲିକ୍ କରନ୍ତୁ। 

Related story