ଏଏସଓ ପରୀକ୍ଷାରେ ୭୮୭ ଜଣ କୃତକାର୍ଯ୍ୟ

ଓପିଏସସି ପକ୍ଷରୁ ଜାରି ପରୀକ୍ଷା ଫଳ ତାଲିକା ଅନୁସାରେ ଏଏସଓ ପରୀକ୍ଷାରେ ସମୀର ପାତ୍ର ଟପ୍ପର ହୋଇଥିବାବେଳେ ଜାଗୃତି ସାହୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ମାତ୍ର ଜଣେ ଝିଅ ଅଛନ୍ତି ।

OPSC ପ୍ରବେଶ ପଥ

  • Published: Saturday, 30 December 2023
  • , Updated: 31 December 2023, 12:15 PM IST

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ନିକଟରେ ହାଇକୋର୍ଟ ଏହି ପରୀକ୍ଷାର ମେରିଟ୍ ଲିଷ୍ଟକୁ କାଏମ ରଖିବା ପରେ ଆଜି ଓପିଏସସିଙ୍କ ଦ୍ୱାରା ପରୀକ୍ଷା ଫଳ ଜାରି ହୋଇଛି ।

ଓପିଏସସି ପକ୍ଷରୁ ଜାରି ପରୀକ୍ଷା ଫଳ ତାଲିକା ଅନୁସାରେ ଏଏସଓ ପରୀକ୍ଷାରେ ସମୀର ପାତ୍ର ଟପ୍ପର ହୋଇଥିବାବେଳେ ଜାଗୃତି ସାହୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ମାତ୍ର ଜଣେ ଝିଅ ଅଛନ୍ତି । ସେହିପରି ପୁପୁନ ପାଣିଗ୍ରାହୀ ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କ ତଳକୁ ଅଭିଳାଷ ରାୟଗୁରୁ, ସୌଭାଗ୍ୟ ଚନ୍ଦ୍ରଶେଖର, ଅଭିଷେକ ପାତ୍ର, ମଳୟ ନାୟକ, ପ୍ରିୟଦର୍ଶନ ପଟ୍ଟନାୟକ, ସୌମ୍ୟଜିତ୍ ପ୍ରଧାନ, ସ୍ମୃତିରଞ୍ଜନ ଭୂୟାଁ ଆଦି ରହିଛନ୍ତି । ଏହି ସେକ୍ସନ ଅଫିସରମାନଙ୍କୁ ରାଜ୍ୟ ସରକାର ମୁଖ୍ୟତଃ ରାଜ୍ୟ ସଚିବାଳୟ ଓ ଭୁବନେଶ୍ୱରରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ ନିଯୁକ୍ତି ଦେଇଥାନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୨୨ ଅଗଷ୍ଟ ୨୭ତାରିଖରେ ୭୯୬ଟି ଏଏସଓ ପଦବୀ ନିମନ୍ତେ ଓପିଏସସି କର୍ତ୍ତୃପକ୍ଷ ଲିଖିତ ପରୀକ୍ଷା କରିଥିଲେ । ଏଥିରେ ୧ଲକ୍ଷ ୪୮ହଜାର ୮୮୮ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧୧୦୪ଜଣଙ୍କୁ ସ୍କିଲ ଟେଷ୍ଟ ଓ ଚୂଡ଼ାନ୍ତ ଦସ୍ତାବିଜ ଯାଂଚ ନିମନ୍ତେ ଡକାଯାଇଥିଲା ।

ତେବେ ଗତ ସପ୍ତାହରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପୂର୍ବରୁ ଜଣକିଆ ଖଣ୍ଡପୀଠ ଦେଇଥିବା ରାୟକୁ ଖାରଜ କରି ଓପିଏସସିଙ୍କ ଦ୍ୱାରା ପ୍ରକାଶିତ ମେରିଟ୍ ଲିଷ୍ଟକୁ କାଏମ ରଖିଥିଲେ ।

Related story