Advertisment

ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ଅନ୍‌ଲାଇନ୍ ଆବେଦନ

ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

High Court

ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୭ ରହିଛି। ୧୭ ତାରିଖ ରାତି ୧୧ଟା ୫୯ମିନିଟ୍ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ।

Advertisment

କେଉଁ ବର୍ଗ ପାଇଁ କେତେ ପଦବୀ?

୨୩ଟି ଅନୁବାଦକ ପଦବୀ ମଧ୍ୟରୁ ୮ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ୧୨ଟି ପଦବୀ ଅସଂରକ୍ଷିତ ବର୍ଗଙ୍କ ପାଇଁ ରହିଥିବା ବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ରହିଛି। ଏସ୍‌ଇବିସିଙ୍କ ପାଇଁ ୩ଟି ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଏସ୍‌ଟି ବର୍ଗ ପାଇଁ ୫ଟି ପଦ ସଂରକ୍ଷିତ ଥିବା ବେଳେ ସେଥିରୁ ୨ଟି ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଏସ୍‌ସି ବର୍ଗ ପାଇଁ ୩ଟି ପଦ ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ସେହି ବର୍ଗର ମହାଳାଙ୍କ ପାଇଁ ରହିଛି। ଯେଉଁ ବର୍ଗରେ ଯୋଗ୍ୟ/ଉପଯୁକ୍ତ ମହିଳା ପ୍ରାର୍ଥୀ ମିଳିବେ ନାହିଁ, ସେଥିରେ ସେହି ବର୍ଗର ଯୋଗ୍ୟ/ଉପଯୁକ୍ତ ପୁରୁଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଏହି ୨୩ଟି ପଦବୀରୁ ଗୋଟିଏ ଲେଖାଏଁ ଦିବ୍ୟାଙ୍ଗ ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସଂରକ୍ଷିତ ରହିଛି। 

ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଦରମା

୨୩ଟି ଅନୁବାଦକ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ବୟସ ୨୦୨୪ ଫେବ୍ରୁଆରୀ ୨୯ ତାରିଖ ସୁଦ୍ଧା ୨୧ରୁ ଅଧିକ ହୋଇଥିବା ଆବଶ୍ୟକ ତଥା ୩୨ରୁ କମ୍ ହୋଇଥିବା ଉଚିତ୍। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।

Advertisment

ପ୍ରାର୍ଥୀମାନେ ଇଂରାଜୀ ବା ଓଡ଼ିଆ ଅନର୍ସ ରଖି ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ବା ସେହିଭଳି ଅନ୍ୟ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଥିବେ। ତା’ ସହିତ ସେମାନଙ୍କର କମ୍ପ୍ୟୁଟର ଆପ୍ଲିକେସନ୍‌ରେ ଆବଶ୍ୟକ ଜ୍ଞାନ ଥିବ।

ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ରହିଛି।

କେମିତି ହେବ ଚୟନ?

ଏହି ୨୩ଟି ପଦବୀରେ ନିଯୁକ୍ତି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ପ୍ରଥମେ ପ୍ରିଲିମନାରୀ ପରୀକ୍ଷା ବା ଟେଷ୍ଟ ହେବ। ତା’ପରେ ମୁଖ୍ୟ ଲିଖିତ ପରୀକ୍ଷା ହେବ। ତା’ ପରେ କମ୍ପ୍ୟୁଟର ଟେଷ୍ଟ ଓ ମୌଖିକ ପରୀକ୍ଷା ହେବ।

ଅଧିକ ସୂଚନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ୱେବସାଇଟ୍‌ www.orissahighcourt.nic.in. କୁ ଯାଆନ୍ତୁ।

Odisha Highcourt Job Vacancy