Advertisment

ଆଜିଠୁ ଆରମ୍ଭ ହେଲା ଠିକା ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ, ପାରିଶ୍ରମିକ ୧୧ ହଜାର ୧୦୦ ଟଙ୍କା

ରାଜ୍ୟ ସରକାର ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ୫ଜଣିଆ ସବକମିଟି ଗଠନ କରିଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକମାନେ ଜିଦରେ ଅଟଳ ରହିଛନ୍ତି ।

Teacher

Teacher

Advertisment

ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ଗତ ୫ଦିନ ଧରି ରାଜ୍ୟର ପ୍ରାୟ ୫୬ ହଜାର ପ୍ରାଥମିକ ସ୍କୁଲଗୁଡ଼ିକରେ ତାଲା ଝୁଲିବା ସହ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ ହୋଇଥିବାବେଳେ ଆଜିଠୁ ୨୦ହଜାର ଜୁନିୟର ଟିଚର୍ସ (ସ୍କିମେଟିକ) ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରୁ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ସରକାରଙ୍କ ଦ୍ୱାରା ଠିକା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଠିକାରେ ନିଯୁକ୍ତି ପାଇବାକୁ ଥିବା ଶିକ୍ଷକମାନଙ୍କୁ ପ୍ରଥମ ୩ବର୍ଷ ପାଇଁ ମାସିକ ପାରିଶ୍ରମିକ ୧୧୧୦୦ ଟଙ୍କା, ପରବର୍ତ୍ତୀ ୩ ବର୍ଷ ୧୩୮୦୦ ଟଙ୍କା ପାରିଶ୍ରମିକ ଓ ଏହାପରେ ମାସିକ ୨୩୬୦୦ ଟଙ୍କା ଦରମା ଓ ଅନ୍ୟାନ୍ୟ ଭତ୍ତା ମିଳିବ ବୋଲି ଓପେସା ପକ୍ଷରୁ ସୋମବାର ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଜିଲ୍ଲା ପରିଷଦ ଦ୍ୱାରା ଏହି ପାରିଶ୍ରମିକ ସମ୍ପୃକ୍ତ ଜିଲ୍ଲାର ଶିକ୍ଷକମାନଙ୍କୁ ପ୍ରଦାନ କରାଯିବ ।

Advertisment

ସମାନ କାମକୁ ସମାନ ଦରମା, ଗ୍ରେଡ୍ ପେ ହାର ବୃଦ୍ଧି, ପୁରୁଣା ପେନସନ ଓ ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ପ୍ରାଥମିକ ଶିକ୍ଷକମାନେ ଗତ ୪ଦିନ ଧରି ଆନ୍ଦୋଳନରେ ବସିଛନ୍ତି । ରାଜ୍ୟ ସରକାର ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ୫ଜଣିଆ ସବକମିଟି ଗଠନ କରିଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକମାନେ ଜିଦରେ ଅଟଳ ରହିଛନ୍ତି । ପ୍ରାଥମିକ ଶିକ୍ଷକ ମିଳିତ ମଂଚ ଡାକରାରେ ରାଜ୍ୟର ପ୍ରାୟ ୧.୩୦ଲକ୍ଷ ଶିକ୍ଷକ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରାଜ୍ୟର ପ୍ରାୟ ୫୬ହଜାର ପ୍ରାଥମିକ ସ୍କୁଲରେ ତାଲା ପଡ଼ିବା ସହ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ ହୋଇଛି । ଆଉ ଏପଟେ ରାଜ୍ୟ ସରକାର ୨୦ହଜାର ଠିକା ଶିକ୍ଷକ ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ କରିଛନ୍ତି । ପ୍ରଥମରୁ ପଂଚମ ଶ୍ରେଣୀ ପାଇଁ ୩ହଜାର ଆର୍ଟସ, ୬ହଜାର ସାଇନ୍ସ, ୧୬୦ଟି ଉର୍ଦ୍ଧ୍ୱୁ, ୧୮ଟି ତେଲଗୁ ଓ ୨୨ଟି ବେଙ୍ଗଲୀ ଭାଷା ଶିକ୍ଷକ ପଦବୀ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ୩୮୩୫ଟି ଆର୍ଟସ, ୬ହଜାର ସାଇନ୍ସ, ୧୧୫ ଉର୍ଦ୍ଧ୍ୱୁ, ୧୨ଟି ତେଲଗୁ ଓ ୩୮ଟି ବେଙ୍ଗଲୀ ଭାଷା ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୫୬, କେନ୍ଦୁଝରରେ ୧୫୪୬ଟି, ବଲାଙ୍ଗିରରେ ୧୩୩୪ଟି, କେନ୍ଦ୍ରାପଡ଼ାରେ ୧୨୬୫ଟି, କୋରାପୁଟରେ ୧୧୮୮ଟି,  ନବରଙ୍ଗପୁରରେ ୧୧୧୭ଟି, କଟକରେ ୧୧୧୪ଟି, କଳାହାଣ୍ଡିରେ ୧୦୭୯ଟି ଓ ଖୋର୍ଦ୍ଧା ଜିଲ୍ଲାରେ ୯୪୭ଟି ଠିକା ଜୁନିୟର ଶିକ୍ଷକ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେସା) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନିଯୁକ୍ତି ପାଇବାକୁ ଥିବା ଜୁନିୟର ଟିଚର(ସ୍କିମେଟିକ)ମାନଙ୍କୁ ପ୍ରଥମ ୩ବର୍ଷ ପାଇଁ ମାସିକ ୧୧୧୦୦ଟଙ୍କା ପାରିଶ୍ରମିକ ମିଳିବ। ଏଥିରେ ସମ୍ପୃକ୍ତ ଶିକ୍ଷକମାନଙ୍କ ଇପିଏଫ ଅଂଶଧନ ସାମିଲ ନାହିଁ । ସେହିପରି ଯେଉଁ ଜୁନିୟର ଟିଚର(ସ୍କିମେଟିକ)ଙ୍କର ୩ବର୍ଷ ଧରି ପ୍ରଦର୍ଶନ ଭଲ ରହିବ ସେମାନଙ୍କୁ ଜୁନିୟର ଟିଚର ବିବେଚନା କରାଯିବ ଓ ସେମାନଙ୍କୁ ପରବର୍ତ୍ତୀ ୩ବର୍ଷ ପାଇଁ ୧୩୮୦୦ଟଙ୍କା ଲେଖାଏଁ ମାସିକ ପାରିଶ୍ରମିକ ମିଳିବ। ଏହାପରେ ସମ୍ପୃକ୍ତ ଜୁନିୟର ଟିଚର(କନିଷ୍ଠ ଶିକ୍ଷକ)ଙ୍କୁ ଏଲିମେଂଟାରୀ କ୍ୟାଡ଼ରରେ ନିୟମିତ ଏଲିମେଣ୍ଟାରୀ ଟିଚର ଭାବେ ସାମିଲ କରାଯିବ ଓ ସେ ମାସିକ ୨୩୬୦୦ଟଙ୍କା ଦରମା ବ୍ୟତୀତ ଅନ୍ୟାନ୍ୟ ଭତ୍ତା ପାଇବାକୁ ହକଦାର ହେବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଗତ ସୋମବାର ଏହି ଶିକ୍ଷକ ପଦବୀ ନିମନ୍ତେ ପାରିଶ୍ରମିକ ଓପେସା ପକ୍ଷରୁ ନିର୍ଦ୍ଧାରଣ କରାଯାଇଛି ।

Advertisment

ସୂଚନାଯୋଗ୍ୟ, ୨୦୨୩ ଅଗଷ୍ଟ ୨୨ତାରିଖରେ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଜିଲ୍ଲା ପରିଷଦ ଚୟନ କମିଟି ଗଠନ କରାଯିବ। ନିଯୁକ୍ତି ପାଇବାକୁ ଥିବାଜୁନିୟର ଟିଚର୍ସ(ସ୍କିମେଟିକ)ମାନଙ୍କୁ ଜିଲ୍ଲାପାଳଙ୍କ ସହ ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିବ । ଯାହାକି ପ୍ରତିବର୍ଷ ନବୀକରଣ କରାଯିବ। ସମ୍ପୃକ୍ତ ଶିକ୍ଷକମାନଙ୍କ ପ୍ରଦର୍ଶନ ଆଧାରରେ ସେମାନଙ୍କର ଚୁକ୍ତି ନବୀକରଣ ହେବ। ଏଥିପାଇଁ ସମ୍ପୃକ୍ତ ଶିକ୍ଷକଙ୍କୁ ସେ ମୁତୟନ ହୋଇଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କଠୁ ଏକ ପ୍ରମାଣପତ୍ର ମଧ୍ୟ ଆଣିବାକୁ ପଡ଼ିବ। କୌଣସି ସର୍ତ୍ତ ଉଲ୍ଲଘଂନ କଲେ ୩୦ଦିନ ନୋଟିସ୍ ଦେଇ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବାହାର କରାଯାଇପାରିବ। ଯେଉଁ ଜୁନିୟର ଟିଚର୍ସ(ସ୍କିମେଟିକ) କ୍ରମାଗତ ଭାବେ ୩ବର୍ଷ କାର୍ଯ୍ୟ କରିଥିବେ ତାଙ୍କୁ ଜୁନିୟର ଟିଚର୍ସ ଭାବେ ବିବେଚନା କରାଯିବ। ଏହାପରେ ୬ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବା ପରେ ସେ ରେଗୁଲାର ଟିଚର୍ସ(ନିୟମିତ ଶିକ୍ଷକ) ହେବେ। ଏହି ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଦ୍ୱାରା ପାରିଶ୍ରମିକ ଦିଆଯିବ, ଯାହା ସରକାର ନିର୍ଦ୍ଧାରଣ କରିବେ ବୋଲି ସୂଚନା ଦିଆଯାଇଥିଲା।

Odisha Education Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe