ଆସନ୍ତା ୫ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦିଆଯିବ । ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି । ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି ମୂଳପଦବୀ ଖାଲି ପଡ଼ିଛି । ଏହି ସମସ୍ତ ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ନିଯୁକ୍ତି ଆୟୋଗଗୁଡ଼ିକୁ ପ୍ରସ୍ତାବ ପଠାଇବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୩ଟି ନିଯୁକ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହ କରିଥିବା ଏକ ସମୀକ୍ଷା ବୈଠକରୁ ଏହି ତଥ୍ୟ ମିଳିଛି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଅଭୟ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଲଳିତ ଦାସଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ଉଦ୍ଦିଷ୍ଟ ପଦବୀକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଣିକି ଗ୍ରୁପ-ବି ବର୍ଗର ପଦବୀଗୁଡ଼ିକ ପୂରଣ ପାଇଁ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଚନ୍ତି । ଭିନ୍ନକ୍ଷମ ବର୍ଗର ନିଯୁକ୍ତି କ୍ଷେତ୍ରରେ ଯାଂଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା କ୍ଷମତାପ୍ରାପ୍ତ କମିଟିର ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ।
ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଣିକି କୋରାପୁଟର ଜୟପୁରଠାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର ଖୋଲାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏବେ ଲୋକସେବା ଆୟୋଗର ୫ଟି ପରୀକ୍ଷା କେନ୍ଦ୍ର ରହିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଲୋକବଳ ବଢ଼ିଲେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେଇହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଆଜିର ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।