Advertisment

ଅଗ୍ନିବୀରଙ୍କ ପାଇଁ ପୁଲିସ ଓ ମାଇନିଂ ଗାର୍ଡରେ ୧୦ ପ୍ରତିଶତ ସଂରକ୍ଷଣ ରଖିଲେ ଏହି ସରକାର

ଅଗ୍ନିପଥ ଯୋଜନାରେ କାର୍ଯ୍ୟ କରିଥିବା ଅଗ୍ନିବୀରମାନଙ୍କୁ ପୁଲିସ ଏବଂ ମାଇନିଂ ଗାର୍ଡ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ।

author-image
Debibandita Barick
Jawan

Jawan

ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି ହରିଆଣା ସରକାର। ଅଗ୍ନିପଥ ଯୋଜନାରେ କାର୍ଯ୍ୟ କରିଥିବା ଅଗ୍ନିବୀରମାନଙ୍କୁ ପୁଲିସ ଏବଂ ମାଇନିଂ ଗାର୍ଡ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ଏହି ଯୋଜନାକୁ ଚାଲିଥିବା ବିବାଦ ମଧ୍ୟରେ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି।  

Advertisment

୨୦୨୨ ଜୁନରେ କେନ୍ଦ୍ର ସରକାର ପ୍ରଥମ କରି ସେନାରେ ଅଗ୍ନିପଥ ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ନିଯୁକ୍ତି ମାଧ୍ୟମରେ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସର ପିଲା ସେନାରେ ନିୟୋଜିତ ହୋଇ ପାରୁଛନ୍ତି। ଅଗ୍ନିପଥ ଯୋଜନାରେ ସାମିଲ ହେଉଥିବା ଯବାନଙ୍କ କାର୍ଯ୍ୟକାଳ ୪ ବର୍ଷ ରଖାଯାଇଛି।

ନିଯୁକ୍ତ ଅଗ୍ନବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଯବାନଙ୍କ ଚାକିରି କାଳ ଆଉ ୧୫ ବର୍ଷ ପାଇଁ ବଢ଼ାଯିବାର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୫ ପ୍ରତିଶତ ଯବାନଙ୍କୁ କ୍ଷତିପୂରଣ ସହ ଅବସର ଦିଆଯିବାର ବ୍ୟବସ୍ଥା ରହିଛି। ଏହାକୁ ନେଇ ବିରୋଧୀ କେନ୍ଦ୍ରର ବିଜେପି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଆସିଛନ୍ତି।

Advertisment

ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅନେକ ଥର ଅଗ୍ନିପଥ ଯୋଜନାକୁ ସଂସଦରେ ବିରୋଧ କରିଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ସରକାର ନିକଟରେ CISF, BSF ଓ RPF କନେଷ୍ଟବଳ ପୋଷ୍ଟ ଲାଗି ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ।

ବର୍ତ୍ତମାନ ହରିଆଣା ସରକାର ପୁଲିସ ଏବଂ ମାଇନିଂ ଗାର୍ଡରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି କହିଛନ୍ତି ଯେ, ଅଗ୍ନିପଥ ଯୋଜନାକୁ ନେଇ କଂଗ୍ରେସ ବିଭ୍ରାନ୍ତିକର ପ୍ରଚାର କରୁଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଖୁବ୍ ଭଲ ଯୋଜନା, କାରଣ ଏହି ଯୋଜନା ଯୁବକମାନଙ୍କୁ କୁଶଳୀ କରାଇଥାଏ। 

Reservation Agniveer Haryana Govt