ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ବାତ୍ୟା ‘ଦାନା’ ଯୋଗୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆସନ୍ତା ଡିସେମ୍ବର ୧୫ତାରିଖରେ ପ୍ରିଲିମିନାରୀ ପରୀକ୍ଷା କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ଆୟୋଗଙ୍କ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ଆୟୋଗଙ୍କ ସଚିବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ସିଭିଲ୍ ସର୍ଭିସ(ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ଡିସେମ୍ବର ୧୫ତାରିଖ ରବିବାର କରିବା ପାଇଁ ଆପାତତଃ ସ୍ଥିର ହୋଇଛି । ଆୟୋଗଙ୍କ ଦ୍ୱାରା ପରୀକ୍ଷାର ବିସ୍ତୃତ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଆକାରରେ ଜାରି କରାଯିବ । ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀମାନେ ଆୟୋଗଙ୍କ ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ୨୭ତାରିଖରେ ପ୍ରସ୍ତାବିତ ପ୍ରିଲିମିନାରୀ ପରୀକ୍ଷାକୁ ଆୟୋଗ ସ୍ଥଗିତ ରଖିଥିଲେ । ପରୀକ୍ଷାର୍ଥୀଙ୍କୁ ଏହି ପରୀକ୍ଷା ପାଇଁ ଆଡମିଟ୍ ପ୍ରଦାନ କରାଯାଇ ସାରିଛି । ମୋଟ ୩୯୯ଟି ପ୍ରଶାସନିକ ପଦବୀ(ଓଏଏସ,ଓଏଫଏସ,ଓପିଏସ,ଓଆରଏସ) ପାଇଁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ଅନୁଷ୍ଠିତ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।