Advertisment

ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ: ବିଜେଡି ସରକାରଙ୍କ ନିଷ୍ପତ୍ତି ରଦ୍ଦ, କଡ଼ା ଆଭିମୁଖ୍ୟ ଦେଖାଇଲେ ମୋହନ

ଯଦି କୌଣସି ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଜରୁରୀ ହୁଏ ତା’ହେଲେ ଖୋଲା ବିଜ୍ଞାପନ କିମ୍ବା ସରକାରଙ୍କ ଦ୍ୱାରା ସ୍ଥିର କରାଯାଉଥିବା ପଦ୍ଧତି ଦ୍ୱାରା ବ୍ୟକ୍ତି ଚୟନ କରାଯିବ ।

ଅଦ୍ୟତନ ହୋଇଛି
Loka Seva Bhavan

Loka Seva Bhavan

Advertisment

ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ବା ଥଇଥାନ ଉପରେ ଲାଗିଲା ବ୍ରେକ୍ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ୪ଜଣିଆ କମିଟିର ସୁପାରିଶ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିପାରିବ ନାହିଁ । ଏପରିକି କୌଣସି ପୁନଃନିଯୁକ୍ତିକୁ ପୋଷ୍ଟଫେକ୍ଟୋ(ପିଛିଲା ଭାବେ) ମଧ୍ୟ ଅନୁମୋଦନ ମିଳିବ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ନହୁଏ ତା’ହେଲେ ପୁନଃନିଯୁକ୍ତି ମିଳିବା ସମ୍ଭବପର ହେବନି । ସମସ୍ତ ପୁନଃନିଯୁକ୍ତି କେବଳ ବିରଳ କ୍ଷେତ୍ରରେ ବିଚାର କରାଯିବ । ତା’ଛଡ଼ା ଯେଉଁ ଅଫିସର ବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ସେ ଅବସର ପୂର୍ବରୁ କ୍ରମାଗତ ୫ବର୍ଷ ପାଇଁ ତାଙ୍କର ସିସିଆର/ପିଏଆର ‘ଆଉଟଷ୍ଟାଣ୍ଡିଂ’ ରହିବା ଜରୁରୀ । ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ଅପରାଧିକ ମାମଲା ମଧ୍ୟ ବିଚାରାଧୀନ ନଥିବ କିମ୍ବା ସେ କୌଣସି ଅସଦାଚରଣ ମାମଲାରେ ଦଣ୍ଡିତ ବି ହୋଇନଥିବେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ୨୦୧୪ ଅଗଷ୍ଟ ୨୭ତାରିଖରେ ବିଜେଡି ସରକାରଙ୍କ ଦ୍ୱାରା ଜାରି ପୁନଃନିଯୁକ୍ତି ସଂକ୍ରାନ୍ତ ସଂକଳ୍ପକୁ ଖାରଜ କରି ନୂଆ ସଂଶୋଧିତ ସଂକଳ୍ପ ଜାରି କରି ନିଜର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ।

Advertisment

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ‘ସଂକଳ୍ପ’ରେ ମୋହନ ସରକାର କହିଛନ୍ତି ଯେ, ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ବ୍ୟତିକ୍ରମ ପରିବର୍ତ୍ତେ ଏକ ନିୟମ ହୋଇଯାଇଥିବା ସରକାରଙ୍କ ନଜରକୁ ଆସିଛି । ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ, ଦକ୍ଷ ମାନବସମ୍ବଳର ଅଭାବକୁ ଦୃଷ୍ଟିରେ ରଖି ୨୦୧୪ ଅଗଷ୍ଟ ୨୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଯେଉଁ ସଂକଳ୍ପ ଜାରି ନିଯୁକ୍ତି ନିୟମାବଳୀର କୋହଳ ପାଇଁ ଅନୁମତି ଦିଆଯାଇଥିଲା, ବାସ୍ତବରେ ତା’ର ଉଦ୍ଦେଶ୍ୟ ଏହା ନଥିଲା । ବିଭିନ୍ନ ପାରିଶ୍ରମିକ ଓ ସର୍ତ୍ତାବଳୀ ସହିତ ସାମୟିକ ଭାବେ ନିର୍ଦ୍ଦିଷ୍ଟ ସମୟ ପାଇଁ ଚୁକ୍ତିଭିତ୍ତିକ ଭାବେ ପୁନଃନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଥିଲା ।

ତେବେ ୨୦୧୪ ମସିହାର ଏହି ସଂକଳ୍ପକୁ ଖାରଜ କରିବା ପାଇଁ ମୋହନ ସରକାର ନିଷ୍ପତ୍ତି ନେବା ସହ ଯଦି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ପଦବୀ ଖାଲି ହୁଏ ଓ ସେହି ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପରିବର୍ତ୍ତେ ସମ୍ପୃକ୍ତ ବିଭାଗ ବା କାର୍ଯ୍ୟାଳୟ ପ୍ରତ୍ୟକ୍ଷ ଓ ପଦୋନ୍ନତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ସେହି ପଦବୀକୁ ପୂରଣ କରିବାକୁ ପଦକ୍ଷେପ ନେବେ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା ପୂର୍ବରୁ ସମ୍ପୃକ୍ତ ବିଭାଗ ଓ କାର୍ଯ୍ୟାଳୟ ତାଙ୍କୁ କାହିଁକି ପୁନଃନିଯୁକ୍ତି ଦେବେ ତା’ର ଯଥାର୍ଥ କାରଣ ଓ ଏବେ ସଂକଳ୍ପରେ ଜାରି ହୋଇଥିବା ସର୍ତ୍ତାବଳୀକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ।

Advertisment

ଯଦି କୌଣସି ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଜରୁରୀ ହୁଏ ତା’ହେଲେ ଖୋଲା ବିଜ୍ଞାପନ କିମ୍ବା ସରକାରଙ୍କ ଦ୍ୱାରା ସ୍ଥିର କରାଯାଉଥିବା ପଦ୍ଧତି ଦ୍ୱାରା ବ୍ୟକ୍ତି ଚୟନ କରାଯିବ । ସମ୍ପୃକ୍ତ ପ୍ରଶାସନିକ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ନିମନ୍ତେ ପ୍ରସ୍ତାବ ଉପରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ୪ଜଣିଆ ସଦସ୍ୟ(ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥ ସଚିବ ଓ ସମ୍ପୃକ୍ତ ବିଭାଗୀୟ ସଚିବ) ନିଷ୍ପତ୍ତି ନେବେ । ବିଭାଗୀୟ ସଚିବଙ୍କୁ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତିର ବାଧ୍ୟତାମୂଳକ କାରଣ ସମ୍ପର୍କରେ ସନ୍ତୁଷ୍ଟ କରାଇବାକୁ ପଡ଼ିବ । ସମସ୍ତ ପୁନଃନିଯୁକ୍ତି କେବଳ ବିରଳ କ୍ଷେତ୍ରରେ ବିଚାର କରାଯିବ ଓ ନିତିଦିନିଆ କାର୍ଯ୍ୟ ପାଇଁ ଏହା ହେବ ନାହିଁ ବୋଲି ସଂକଳ୍ପରେ ଉଲ୍ଲେଖ ରହିଛି । ତା’ଛଡ଼ା ସମ୍ପୃକ୍ତ ବିଭାଗଗୁଡ଼ିକରେ ଏଭଳି ପୁନଃନିଯୁକ୍ତି ମଞ୍ଜୁରୀପ୍ରାପ୍ତ ଏସବି କ୍ୟାଡ଼ର ଓ ଉପରସ୍ତରର ୧ ପ୍ରତିଶତ ପଦବୀ ମଧ୍ୟରେ ସୀମିତ ରହିବ ।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି ଯଦି ସମ୍ପୃକ୍ତ ବିଭାଗ ଦେଇଥିବା ଯଥାଥ କାରଣରେ ସନ୍ତୁଷ୍ଟ ହୁଅନ୍ତି ତା’ହେଲେ ସେହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । କୌଣସି ପୁନଃନିଯୁକ୍ତି ନିମନ୍ତେ ପୋଷ୍ଟଫେକ୍ଟୋ ଅନୁମୋଦନ ହେବ ନାହିଁ । ଶାରୀରିକ ଫିଟ୍ ଥିବା ଅବସରପ୍ରାପ୍ତ କର୍ମଚାରୀ ପ୍ରଥମେ ଏକବର୍ଷ ପାଇଁ ପୁନଃନିଯୁକ୍ତି ପାଇବେ ଓ ତାଙ୍କର କାର୍ଯ୍ୟ ସନ୍ତୋଷଜନକ ହେଲେ ପରବର୍ତ୍ତୀ ସମୟରେ ପ୍ରତିବର୍ଷ ସର୍ବାଧିକ ୩ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିହେବ । କୌଣସି ପରିସ୍ଥିତିରେ ସମ୍ପୃକ୍ତ କର୍ମଚାରୀଙ୍କ ବୟସ ୬୫ବର୍ଷରୁ ଅଧିକ ହୋଇନଥିବ କିମ୍ବା ସେ ଯେଉଁ ପଦବୀରେ ଥିବେ ତାହା ନିୟମିତ ପ୍ରକ୍ରିୟା ଦ୍ୱାରା ପୂରଣ ହୋଇନଥିବ । ଏଥିରୁ ଯାହା ଶୀଘ୍ର ସେହିପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀଙ୍କ କାର୍ଯ୍ୟକାଳ ରହିବ । ଏହି ପୁନଃନିଯୁକ୍ତି ପାଉଥିବା କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ ଓଡ଼ିଶା ପେନସନ ନିୟମ-୧୯୯୨ ଓ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମ-୧୯୫୯ର ପ୍ରାବଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏକମାସର ଲିଖିତ ନୋଟିସ୍ ଦେଇ ପୁନଃନିଯୁକ୍ତି ପାଇଥିବା କେହି କର୍ମଚାରୀ ଇସ୍ତଫା ଦେଇପାରିବେ ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ସରକାରରେ ସରକାରୀ ଚାକିରିରୁ ଅବସର ନେଉଥିବା କର୍ମଚାରୀ ଓ ଅଫିସରମାନଙ୍କୁ ବ୍ୟାପକ ମାତ୍ରାରେ ପୁନଃନିଯୁକ୍ତି ଦିଆଯାଉଥିଲା । ଆଉ ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ଶିଥିଳତା ଆସିଥିଲା । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ନୂଆ ନିଯୁକ୍ତି ପାଇଁ ବିଶେଷ ଆଗ୍ରହ ବିଜେଡି ସରକାର ଦେଖାଉନଥିଲେ । ମାତ୍ର ଏବେ ମୋହନ ସରକାର ଖାଲି ପଡ଼ିଥିବା ପଦବୀକୁ ପୂରଣ କରିବା ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଲଗାଇଥିବାରୁ ଆଉ କର୍ମଚାରୀଙ୍କୁ ଥଇଥାନ କରିବା ସହଜ ହେବ ନାହିଁ ବୋଲି ଜଣାପଡ଼ିଛି ।

Odisha Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe