BBSR
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଆଜି ତା’ର ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛି । ୧୦ଦଫା ଦାବି ମଧ୍ୟରୁ କେବଳ ଚାକିରି ନିୟମିତ(ସରକାରୀ) କରିବା ଦାବିକୁ ବାଦ୍ ଦେଲେ ଅନ୍ୟ ୯ଟି ଯାକ ଦାବିକୁ ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ସେମାନଙ୍କ ଦାବି ଶୁଣିବା ପରେ କେବଳ ଚାକିରି ନିୟମିତ କରିବା ଦାବିକୁ ଛାଡ଼ି ଅନ୍ୟ ସମସ୍ତ ଦାବିକୁ ଆସନ୍ତା ୨୧ତାରିଖ ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଆନ୍ଦୋଳନରତ କର୍ମଚାରୀମାନେ କହିଛନ୍ତି ।
ଏପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି ।
ଉଲ୍ଲେଖଯୋଗ୍ୟ ନିଜର ୧୦ଦଫା ଦାବି ପୂରଣ ପାଇଁ ସୋମବାରଠାରୁ ରାଜଧାନୀର ଲୋଏର ପିଏମଜିଠାରେ ଆଉଟସୋର୍ସିଂ କର୍ମଚାରୀମାନେ ବିଶାଳ ର୍ୟାଲି ସହ ଧାରଣା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବିନା ସେମାନେ ଧାରଣା ସ୍ଥଳରୁ ଓହରିବେ ନାହିଁ ବୋଲି କହି ଆନ୍ଦୋଳନକୁ ତୀବ୍ରତର କରିଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାସଂଘର ପ୍ରତିନିଧି ମଣ୍ଡଳ ସହ ଆଲୋଚନା ହୋଇଥିଲା । କର୍ମଚାରୀମାନଙ୍କ ଦାବି ଅନୁସାରେ, ୩ବର୍ଷରୁ ଅଧିକ ଦିନ ଧରି ଆଉଟସୋର୍ସିଂ କର୍ମଚାରୀ ଭାବେ କାର୍ଯ୍ୟ କରିଥିବା କୌଣସି କର୍ମଚାରୀଙ୍କୁ ସରକାର ଚାକିରିରୁ ବିଦା କରିବେ ନାହିଁ । ଯଦି କାହାରି ବିରୁଦ୍ଧରେ ଅପରାଧିକ ଓ ଆର୍ଥିକ ତୋଷାରପାତ ଅଭିଯୋଗ ଆସେ ତା’ହେଲେ ଆଇନତଃ ଚାକିରିରୁ ବିଦା କରାଯାଇପାରିବ । ଚାକିରିର ସୁରକ୍ଷା ସହ ମହିଳା କର୍ମଚାରୀଙ୍କୁ ପ୍ରସୂତୀକାଳୀନ ଛୁଟି, ନିୟମିତ ଭାବେ ଦରମା ବୃଦ୍ଧି ଆଦି ଦାବିଗୁଡ଼ିକ ପାଳନ କରିବା ନିମନ୍ତେ ପ୍ରତିଶ୍ରୁତି ମିଳିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖାଗଲା ବୋଲି କର୍ମଚାରୀ ମହାସଂଘ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଆନ୍ଦୋଳନ ପୂର୍ବରୁ ଚଳିତମାସରେ ଅନୁରୂପ ଆନ୍ଦୋଳନ ସମ୍ବଲପୁର ଓ କଟକଠାରେ ଆଉଟସୋର୍ସିଂ କର୍ମଚାରୀମାନେ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
