ରାଜ୍ୟ ସରକାର ମଙ୍ଗଳବାର ଓଡ଼ିଶା ଲୋକସେବା ଆୟୋଗ ଓ ଷ୍ଟାଫ ସିଲେକ୍ସନ୍ ଆୟୋଗରେ ୨ଜଣ ଲେଖାଁଏ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ନୂଆ ସଦସ୍ୟମାନଙ୍କ ନିଯୁକ୍ତିକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ୍ ଆୟୋଗରେ ଏବେ କୌଣସି ସଦସ୍ୟ ନାହାନ୍ତି ଓ କେବଳ ଅଧ୍ୟକ୍ଷଙ୍କୁ ନେଇ କାର୍ଯ୍ୟ ଚାଲିଥିବାବେଳେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଶ୍ୟାମଭକ୍ତ ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ଓ ସରିତା ସୁପକାରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ମାସରେ ଶେଷ ହେବ ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଓଡ଼ିଶା ଲୋକସେବା ଆୟୋଗରେ ସଦସ୍ୟ ଭାବେ ଉଦୟ ନାରାୟଣ ଦାସଙ୍କୁ ନିଯୁକ୍ତି ମିଳିଛି । ଆଇଏଏସ୍ ଶ୍ରୀ ଦାସ ଏବେ ଜନଗଣନା ଅପରେସନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ପୁରୀ ଏସସିଏସ୍ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ମିଶ୍ରଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଉଭୟ ସଦସ୍ୟ ସର୍ବାଧିକ ଏହି ପଦବୀରେ ସର୍ବାଧିକ ୬ବର୍ଷ ନଚେତ୍ ତାଙ୍କୁ ୬୨ବର୍ଷ ବୟସ ହେବା ପର୍ଯ୍ୟନ୍ତ(ଯାହା ପ୍ରଥମେ ହେବ) କାର୍ଯ୍ୟ କରିପାରିବେ ।
ବିଜେଡି ସରକାର ସମୟରେ ଡଃ ସରିତା ସୁପକାର ୨୦୨୨ ଅଗଷ୍ଟ ମାସରେ ଓ ଶ୍ୟାମଭକ୍ତ ମିଶ୍ରଙ୍କୁ ୨୦୨୩ ମାର୍ଚ୍ଚ ମାସରେ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ଡଃ ସୁପକାର ଅଧ୍ୟାପନା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଆୟୋଗର ସଦସ୍ୟ ଭାବେ ଯୋଗ ଦେଇଥିଲେ । ବିଜେପି ସରକାର ଗତବର୍ଷ କ୍ଷମତାକୁ ଆସିବା ପରେ ତତକାଳୀନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ ।
ସେହିପରି ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗରେ ଏବେ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇପିଏସ୍ ଅଭୟ କାର୍ଯ୍ୟ କରୁଛନ୍ତି । ଆୟୋଗରେ କେହି ସଦସ୍ୟ ନଥିବାବେଳେ ଦୁଇଜଣ ସଦସ୍ୟଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ସେମାନେ ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗି ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଡଃ ଶ୍ରୁତି ଦାସ । ଏହି ଉଭୟ ସଦସ୍ୟ ସର୍ବାଧିକ ୫ବର୍ଷ ନଚେତ୍ ସେମାନଙ୍କୁ ୬୫ବର୍ଷ ବୟସ ହେବା ପର୍ଯ୍ୟନ୍ତ ଉକ୍ତ ପଦବୀରେ କାର୍ଯ୍ୟ କରିପାରିବେ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।