ହୋମଗାର୍ଡ ନିଯୁକ୍ତି ଉପରୁ କଟକଣା ହଟିଲା, ଓଆଇଏସଏଫରେ ୪ ହଜାର ନୂଆ ପଦବୀ ସୃଷ୍ଟି : ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ନୂଆ ହୋମଗାର୍ଡ ନିଯୁକ୍ତିକୁ ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଉଛି ।

Representative Image

  • Published: Saturday, 31 August 2024
  • , Updated: 31 August 2024, 09:42 PM IST

ରାଜ୍ୟରେ ନୂଆ ହୋମଗାର୍ଡ ନିଯୁକ୍ତି ଉପରେ ବିଜେଡି ସରକାର ଲାଗୁ କରିଥିବା କଟକଣାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଟାଇ ଦେଇଛନ୍ତି। ଏହାସହିତ ନକ୍ସଲ କିମ୍ବା ଅନ୍ୟାନ୍ୟ ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବ ବୋଲି ଘୋଷଣା କରିଛନ୍ତି ।

ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ନୂଆ ହୋମଗାର୍ଡ ନିଯୁକ୍ତିକୁ ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଉଛି । ୨୦୨୦ ମସିହା ଫେବୃୟାରୀ ମାସରୁ ଏହି କଟକଣା ଜାରି ରହିଥିଲା । ଏହି କଟକଣା ହଟିବା ସହ ଖାଲିପଡ଼ିଥିବା ୨୨୯୮ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ଖୁବଶୀଘ୍ର ହୋଇପାରିବ ବୋଲି କହିଛନ୍ତି । ସେହିପରି ନକ୍ସଲ କିମ୍ବା ଅନ୍ୟ ଘଟଣାରେ କୌଣସି କର୍ତ୍ତବ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ କ୍ଷତିପୂରଣ ଭାବେ ସରକାରୀ ଚାକିରି ମିଳିବ ।

ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ର ମାଝୀ ଗୃହ ବିଭାଗରେ ବ୍ୟାପକ ନିଯୁକ୍ତିର ଘୋଷଣା କରିଛନ୍ତି । ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀ(ଓଆଇଏସଏଫ)ରେ ୪ହଜାର ନୂଆ ପଦବୀ  ଓ ଟ୍ରାଫିକ ପୁଲିସରେ ୧ହଜାର ପଦବୀ ସୃଷ୍ଟି ସମେତ ପୁରୀରେ ଏସଏସ୍ ବାଟାଲିୟନରେ ୧୦୮୩ଟି ପଦବୀ ପୂରଣ, ଓଡ଼ିଶା ପୁଲିସରେ ବିଭିନ୍ନ ବର୍ଗରେ ଖାଲି ପଡ଼ିଥିବା ୨୯୨୨ଟି ପଦବୀକୁ ପୂରଣ, ୧୦ଟି ନୂଆ ଓଡ୍ରାଫ ଟିମକୁ ଅନୁମୋଦନ ଦେବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ୧୦ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟା ପରିସରରେ ଗୋଟିଏ ଲେଖାଏଁ ପୁଲିସ ଆଉଟପୋଷ୍ଟ ମଧ୍ୟ ଖୋଲିବ । ବରମୁଣ୍ଡା ବସଷ୍ଟାଣ୍ଡରେ ମଧ୍ୟ ଗୋଟିଏ ପୁଲିସ ଆଉଟପୋଷ୍ଟ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି।

ସେହିପରି ରାଜ୍ୟରେ ପୁଲିସ ଏଏସଆଇ, ଏସଆଇ ଓ ଇନ୍ସପେକ୍ଟର ର‌୍ୟାଙ୍କର ଅଫିସରମାନଙ୍କ ପାଇଁ ୯ହଜାର ବାଇକ୍ କିଣାଯିବ । ଇର୍ମଜେନ୍ସି ରେସପନ୍ସ ସିଷ୍ଟମ(୧୧୨)ରେ ସୁଦୃଢ଼ୀକରଣ ପାଇଁ ୧୧୭କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ଗତ ଅଗଷ୍ଟ ୨୧ତାରିଖରେ ଭାରତ ସରକାର ଓଡ଼ିଶା ଅଗ୍ନିଶମ ବିଭାଗର ଉନ୍ନୀତିକରଣ ପାଇଁ ୨୦୦କୋଟି ଟଙ୍କାର ଆକ୍ସନ ପ୍ଲାନକୁ ମଞ୍ଜୁରୀ ଦେଇଛନ୍ତି । ଆଉ ରାଜ୍ୟ ସରକାର ମଧ୍ୟ ଅନୁରୂପ ୨୦୦କୋଟି ଟଙ୍କା ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ପାଇଁ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟ ସରକାର ୩୪୬ଟି ଫାୟାର ଷ୍ଟେସନର ଉନ୍ନତିକରଣ ପାଇଁ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ୫୪୦କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଅଗ୍ନିଶମ ବିଭାଗର ଏହି ସୁଦୃଢ଼ୀକରଣ ସହ କଟକ, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର ଓ ରାୟଗଡ଼ାଠାରେ ୫ଟି ଅଗ୍ନିଶମ ଆଂଚଳିକ ହବ୍ ମଧ୍ୟ ସ୍ଥାପନ କରାଯିବ । ଏହି ଆଂଚଳିକ ହବ୍ ପାଇଁ ଏବେ ସ୍ଥାନ ଚିହ୍ନଟ ସହ ଆବଶ୍ୟକ ଉପକରଣ କିଣା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଗତ ୨୪ବର୍ଷର ରେକର୍ଡ ଭାଙ୍ଗି ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଉପରେ ପ୍ରାୟ ୧ଘଣ୍ଟା ୪୦ମିନିଟର ବୟାନ ରଖିଥିଲେ ।

Related story