Advertisment

ବଢ଼ିବ ନାହିଁ ସରକାରୀ କର୍ମଚାରୀଙ୍କ ଅବସର ବୟସ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧିର କୌଣସି ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

author-image
Ordigital Desk
Office

Office

ସରକାରୀ କର୍ମଚାରୀମାନଙ୍କ ଅବସର ବୟସ ୬୦ରୁ ୬୨ବର୍ଷକୁ ବୃଦ୍ଧି ନିମନ୍ତେ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧିର କୌଣସି ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏହାସହିତ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ କେନ୍ଦ୍ର ସରକାର ମୋଟ ୧୨୨ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

Advertisment

ଆଜି ଲୋକସଭାରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ୍ ମନ୍ତ୍ରଣାଳୟର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧିର କୌଣସି ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ନାହିଁ । ୨୦୨୩ ଜୁନ୍ ୩୦ତାରିଖ ସୁଦ୍ଧା ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ କ୍ୟାଡ଼ର କଣ୍ଟ୍ରୋଲ ଅଥରିଟିଙ୍କ ଦ୍ୱାରା ମୋଟ ୧୨୨ଜଣ ଅଫିସରଙ୍କୁ ଫଣ୍ଡାମେଣ୍ଟାଲ ରୁଲସ(ଏଫଆର)-୫୬(ଜେ)ର ପ୍ରାବଧାନ ଆଧାରରେ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନ୍ୟପକ୍ଷରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସରକାରୀ କର୍ମଚାରୀମାନଙ୍କ ଅବସର ବୟସସୀମା ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିଲା, ମାତ୍ର କେନ୍ଦ୍ର ସରକାରଙ୍କ ଏଭଳି ପ୍ରସ୍ତାବ ନଥିବାରୁ ଓଡ଼ିଶା ସରକାର ମଧ୍ୟ କର୍ମଚାରୀଙ୍କ ସପକ୍ଷରେ ସେଭଳି କିଛି ନିଷ୍ପତ୍ତି ନେବାର ସମ୍ଭାବନା କ୍ଷୀଣ ।

Advertisment

ସୂଚନାଯୋଗ୍ୟ, ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ବର୍ଷ ରହିଛି ।

Naveen Govt. Odisha Politics Odisha Ias Officers