Advertisment

ସ୍କୁଲ ଶିକ୍ଷକ ବଦଳି ନୀତି: ସରକାରଙ୍କୁ ଝଟକା, ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ରାଜ୍ୟ ସରକାର ମେ’ ୧୩ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କୁ ନିଜ ନିର୍ବାଚନମଣ୍ଡଳୀ ମଧ୍ୟରେ ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବାର ଅଧିକାର ପ୍ରଦାନ କରିଥିଲେ । ତେବେ ଆବେଦନକାରୀ ଆର. ତ୍ରିପାଠୀ ଓ ଅନ୍ୟମାନେ ଏହି ବଦଳି ନୀତିକୁ “ମନମୁଖୀ, ଅନ୍ୟାୟ ଓ ଅଧିକାର କ୍ଷେତ୍ର ବାହାରେ’ ବୋଲି ଦର୍ଶାଇଥିଲେ ।

author-image
Ordigital Desk
Odisha High court

Odisha High Court

ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକମାନଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଆଜି ଝଟକା ଲାଗିଛି । ଏହି ବଦଳି ନୀତି ଉପରେ ହାଇକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନ୍ତରୀଣ ରୋକ୍ ଲଗାଇବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ ଡି.କେ.ଶ୍ରୀପଦଙ୍କ ଖଣ୍ଡପୀଠ ଏହି ବଦଳି ନୀତିକୁ ଚ୍ୟାଲେଞ୍ଜ କରି ଦାଏର ଆବେଦନଗୁଡ଼ିକର ଶୁଣାଣି କରି ଏହି ଅନ୍ତରୀଣ କଟକଣା ଜାରି କରିଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ବଦଳି ନୀତି ଉପରେ ପ୍ରଶ୍ନଚିହ୍ନ

ରାଜ୍ୟ ସରକାର ମେ’ ୧୩ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କୁ ନିଜ ନିର୍ବାଚନମଣ୍ଡଳୀ ମଧ୍ୟରେ ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବାର ଅଧିକାର ପ୍ରଦାନ କରିଥିଲେ । ତେବେ ଆବେଦନକାରୀ ଆର. ତ୍ରିପାଠୀ ଓ ଅନ୍ୟମାନେ ଏହି ବଦଳି ନୀତିକୁ “ମନମୁଖୀ, ଅନ୍ୟାୟ ଓ ଅଧିକାର କ୍ଷେତ୍ର ବାହାରେ’ ବୋଲି ଦର୍ଶାଇଥିଲେ । ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ପତ୍ର ଅନୁସାରେ ଜାରି ହୋଇଥିବା ବଦଳି ଆଦେଶ ସେମାନଙ୍କର ପୋଷ୍ଟିଂକୁ ସିଧାସଳଖ ପ୍ରଭାବିତ କରୁଛି ବୋଲି ଆବେଦନକାରୀମାନେ ଯୁକ୍ତି ଦର୍ଶାଇବା ସହ ଏହି ପ୍ରକ୍ରିୟା ବଦଳି କ୍ଷେତ୍ରରେ ଥିବା ନିରପେକ୍ଷତା ଓ ସ୍ୱଚ୍ଛତାକୁ ଦୁର୍ବଳ କରୁଥିବା କହିଥିଲେ । ଏହି ବଦଳି ନୀତି ରାଜନୀତିକ ପ୍ରଭାବକୁ ପ୍ରଶାସନିକ ନିଷ୍ପତ୍ତି ଉପରେ ଲଦି ଦେବାର ଅନୁମତି ଦେଇଛି, ଯାହା ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଉଚିତ୍ ନୁହେଁ । ସରକାର ଏହାକୁ ସୀମିତ ଓ ଗୋଟିଏଥରର ପ୍ରକ୍ରିୟା’ ବୋଲି କହୁଥିଲେ ମଧ୍ୟ ଏହି ନୀତି ଏକ ଅସାଧାରଣ ଓ ଅସ୍ୱାଭାବିକ ପଦକ୍ଷେପକୁ ଦର୍ଶାଉଛି ତଥା ନିର୍ବାଚିତ ପ୍ରତିନିଧିମାନେ ସିଧାସଳଖ ପ୍ରଶାସନିକ ବଦଳିରେ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଆବେଦନକାରୀମାନେ ଯୁକ୍ତି ବାଢ଼ିଛନ୍ତି ।

ହାଇକୋର୍ଟଙ୍କ ହସ୍ତକ୍ଷେପ: ଶିକ୍ଷକ ବଦଳି ଉପରେ ଅନ୍ତରୀଣ ରହିତାଦେଶ

ହାଇକୋର୍ଟ ଏହି ଆବେଦନଗୁଡ଼ିକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହାସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ବଦଳି ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି । ପରବର୍ତ୍ତୀ ଶୁଣାଣି ୪ସପ୍ତାହ ପରେ ନିର୍ଦ୍ଧାରିତ ହୋଇଛି । କୋର୍ଟଙ୍କ ଏହି ଅନ୍ତରୀଣ ରହିତାଦେଶକୁୁ ଶିକ୍ଷକ ବଦଳିରେ ରାଜନୈତିକ ହସ୍ତକ୍ଷେପ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ବିଧାୟକ ଓ ସାଂସଦମାନଙ୍କୁ ଶିକ୍ଷକମାନଙ୍କ ବଦଳି ପାଇଁ ଦିଆଯାଇଥିବା ଅଧିକାରକୁ ନେଇ ବିଗତ କିଛିଦିନ ଧରି ବିଭିନ୍ନ ମହଲରେ କଡ଼ା ସମାଲୋଚନା ହେଉଥିଲା ।

Advertisment