Advertisment

ଅ‍ବସର ନେବାକୁ ସୁନୀଲ ବଂଶଲଙ୍କୁ ଅନୁମତି, ନୂଆ ବର୍ଷରେ ନୂଆ ଡିଜିପି

ପରବର୍ତ୍ତୀ ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି ।

ଅଦ୍ୟତନ ହୋଇଛି
Sunil Bansal

Sunil Bansal

Advertisment

ନୂଆବର୍ଷରେ ଓଡ଼ିଶା ଦେଖିବ ନୂଆ ପୁଲିସ ଡିଜି ବା ଡିଜିପି। କାରଣ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି ମିଳିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ତାଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ
ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ  ରାଜ୍ୟର ପରବର୍ତ୍ତୀ ପୁଲିସ ମୁଖିଆ କିଏ ହେବେ, ସେନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।

Advertisment

ପରବର୍ତ୍ତୀ ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି । ୧୯୮୮ରୁ ୧୯୯୦ ବ୍ୟାଚ୍ ମଧ୍ୟରେ ଥିବା ମୋଟ ୮ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୧୯୮୯ ବ୍ୟାଚର ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୭ଜଣଙ୍କ ନାମ ୟୁପିଏସସିକୁ ପଠାଯାଇଛି । ଓଏଚଆରସି ଡିଜି ଶ୍ରୀ ଆଚାର୍ଯ୍ୟ ଆସନ୍ତା ମେ’ ମାସରେ ଅବସର ନେବେ । ୟୁପିଏସସିଙ୍କ ନିୟମ ଅନୁସାରେ ପୁଲିସ ଡିଜିଙ୍କ କାର୍ଯ୍ୟକାଳ ଅବଧି ସରିବାବେଳେ କୌଣସି ଆଇପିଏସଙ୍କ ଚାକିରି ଯଦି ୬ମାସରୁ କମ୍ ଥିବ ତେବେ ତାଙ୍କ ନାଁ ରାଜ୍ୟ ସରକାର ପରବର୍ତ୍ତୀ ପୁଲିସ ଡିଜି ନିମନ୍ତେ ସୁପାରିଶ କରିପାରିବେ ନାହିଁ ।

ଅନ୍ୟ ୭ଜଣ ଆଇପିଏସ୍ ହେଲେ ୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ.ଏମ୍‌.ପ୍ରସାଦ, ବି ରାଧିକା,ଏସଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀ ରହିଛନ୍ତି। ଏହି ଅଫିସରଙ୍କ ତାଲିକା ପଠାଯାଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ୟୁପିଏସସିଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ କରୁନଥିବା ଜଣାପଡ଼ିଛି।

Advertisment

ଗୃହ ବିଭାଗର ସୂତ୍ର ଅନୁସାରେ, ପରବର୍ତ୍ତୀ ପୁଲିସ ଡିଜି ଚୟନ ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ଆଇପିଏସଙ୍କ ତାଲିକା ପଠାଇବା ପାଇଁ ୟୁପିଏସସିଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରସ୍ତାବରେ ମୋଟ୍ ୯ଟି ସର୍ତ୍ତାବଳୀ ରହିଛି । ସେଥିରେ ୫,୬,୭ ଓ ୯ ନମ୍ବରର ସର୍ତ୍ତାବଳୀକୁ ନେଇ ସମସ୍ୟା ରହିଛି।

ବିଶେଷକରି ସମ୍ପୃକ୍ତ ଅଫିସରଙ୍କ ଚରିତ୍ର ପଞ୍ଜିକା, ଚାକିରି କାଳ ମଧ୍ୟରେ କୌଣସି ପ୍ରତିକୂଳ ମନ୍ତବ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାର ପ୍ରାବଧାନ ରହିଛି। ନବମ ସତ୍ତାବଳୀ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ୧୯୬୬ ମସିହା ଜୁଲାଇ ୨୮ତାରିଖର ନିର୍ଦ୍ଦେଶାନାମ ଅନୁରୂପ ‘ଇଣ୍ଟିଗ୍ରିଟି ସାର୍ଟଫିକେଟ୍‌’ ଦେବାର ପ୍ରାବଧାନ ବି ରହିଛି। ଏହି ୫,୬,୭ ଓ ୯ ସର୍ତ୍ତାବଳୀ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । ତେଣୁ ବିଭିନ୍ନ କାରଣ ଯୋଗୁ ଏସବୁ ସର୍ତ୍ତାବଳୀ ପୂରଣ କରିବାରେ ଅରୁଣ ରାୟ, ଏସଏମ ନରୱଣେ, ୱାଇବି ଖୁରାନିଆ ଓ ସୁଧାଂଶୁ ଷଡ଼ଙ୍ଗୀ ପୂରଣ କରୁନଥିବା ଜଣାପଡ଼ିଛି ।

ତେଣୁ ପରବର୍ତ୍ତୀ ପୁଲିସ ଡିଜି ଭାବେ ୟୁପିଏସସି କର୍ତ୍ତୃପକ୍ଷ ଯେଉଁ ୩ଜଣ ଆଇପିଏସଙ୍କ ନାଁ ରାଜ୍ୟକୁ ପଠାଇବେ ସେଥିରେ ଏଏମ୍ ପ୍ରସାଦ, ବି.ରାଧିକା ଓ ଅରୁଣ ଷଡ଼ଙ୍ଗୀ ରହିବେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଆଉ ଏହି ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପୁଲିସ ଡିଜି ଭାବେ ଚୟନ କରିପାରିବେ।

ତେଣୁ ପୁଲିସ ଡିଜି ଦୌଡ଼ରେ ବି.ରାଧିକା ନା ଅରୁଣ ଷଡ଼ଙ୍ଗୀଙ୍କ ମଧ୍ୟରୁ ସରକାର କାହାକୁ ଅଧିକ ପସନ୍ଦ କରିବେ ତାହା ଏବେବି ଅସ୍ପଷ୍ଟ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।

Odisha DGP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe