/odisha-reporter/media/post_attachments/uploads/2017/07/Secret.jpg)
Secret
ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଥିଲେ ଜଣେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି । ପୃଥିବୀଲୋକ ସହ ଜଡ଼ିତ ଅନେକ ନୀତି ବିଷୟରେ ସେ ତାଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଛନ୍ତି। କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ବାଣୀ ଏବେବି ଆମେ ଆମ ଜାଣତରେ ହେଉ ବା ଅଜାଣତରେ, ଅକ୍ଷରେ ଅକ୍ଷରେ ପାଳନ କରୁ । ଆଜି ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଢ଼ନ୍ତୁ ତାଙ୍କର ମତ। ଶୁକ୍ରନୀତି ଅନୁଯାୟୀ, ପ୍ରତି ମଣିଷର ଜୀବନରେ ରହିଛି କିଛି ନା କିଛି ଗୁପ୍ତ କଥା। ଏ ସବୁ ସଂପୃକ୍ତ ମଣିଷର ଅତ୍ୟନ୍ତ ବ୍ୟକ୍ତିଗତ, ଯାହାକୁ ସେ ବାହାରେ ପ୍ରକାଶ କରିବା ଅନୁଚିତ । ଏ ସବୁ ଗୁପ୍ତ କଥା ଗୁପ୍ତରେ ହିଁ ରହିବା ଜରୁରୀ। ତାକୁ ବାହାରେ ପରିପ୍ରକାଶ କଲେ ବିପଦ ସୃଷ୍ଟି ହୋଇଥାଏ । ସଂପୃକ୍ତ ମଣିଷକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଶୁକ୍ରନୀତି ଅନୁସାରେ କେଉଁ କଥାକୁ ଲୁଚାଇ ରଖାଯିବା ଉଚିତ।
୧.ନିଜର ଅପମାନ: ମଣିଷ ଜୀବନରେ ଏମିତି ଅନେକ ସମୟ ଆସେ, ଯେବେ ତାକୁ ଅପମାନିତ ହେବାକୁ ପଡିଥାଏ। ଯଦି ଆପଣଙ୍କୁ କିଏ ଅପମାନିତ କରୁଛି ତେବେ ଶୁକ୍ରାନୀତି ଅନୁସାରେ ସେ କଥା ଗୁପ୍ତ ରଖିବା ହିଁ ବୁଦ୍ଧିମାନର କାମ। ଯଦି ନିଜେ ଅପମାନିତ ହୋଇଥିବା କଥା ଆପଣ କାହାକୁ କହନ୍ତି, ତେବେ ସେ ଆପଣଙ୍କ ଦୁଃଖ ତ ବୁଝିବେ ନାହିଁ, ବରଂ ଆପଣଙ୍କୁ ପରିହାସ କରିବେ। ଯାହା ଦ୍ୱାରା ଆପଣଙ୍କ ସମ୍ମାନହାନି ହେବ ।
୨.ଗୁପ୍ତରେ କରିଥିବା ଦାନ: ହିନ୍ଦୁ ଧର୍ମରେ ଗୁପ୍ତ ଦାନକୁ ମହତ୍ୱ ଦିଆଯାଇଛି । କାହାକୁ କିଛି ନଜଣାଇ ନିଜ ମନର ଶାନ୍ତି ପାଇଁ ମଣିଷ ଗୁପ୍ତରେ ଦାନ କରିଥାଏ । ଏହାଦ୍ୱାରା ଇଷ୍ଟଦେବୀଙ୍କ ପାଖରେ ଆପଣ ଭଲ କାମଟିଏ କଲେ ବୋଲି କୃପାପ୍ରାପ୍ତି ହୋଇପାରିବେ । କିନ୍ତୁ ଆପଣ ଯଦି ଗୁପ୍ତରେ ହୋଇଥିବା ସେ ଦାନ ସଂପର୍କରେ କାହାକୁ କୁହନ୍ତି ବା କାହା ଆଗରେ ପ୍ରକାଶ କରନ୍ତି। ତେବେ ଶୁକ୍ରାନୀତି କହୁଛି, ଆପଣ ସେହି ପୁଣ୍ୟରୁ ବଞ୍ଚିତ ହେବେ।
୩.ନିଜର ଆର୍ଥିକ ସ୍ଥିତି: ଯଦି ଆପଣଙ୍କ ପାଖରେ ଅଜସ୍ର ଧନ ସମ୍ପତ୍ତି ଅଛି ତେବେ ସବୁ ଲୋକ ଆପଣଙ୍କ ସହ ସଂପର୍କ ରଖିବାକୁ ଭଲ ପାଇବେ। କିନ୍ତୁ ଯଦି କୌଣସି କାରଣରୁ ଧନହାନି ହୁଏ, ତେବେ ସେ କଥାକୁ ଗୁପ୍ତ ରଖିବା ହିଁ ବୁଦ୍ଧିମାନର କାମ । କାରଣ ଅନ୍ୟମାନେ ସେ ବିଷୟ ଜାଣିଲେ ଆପଣଙ୍କୁ ସାହାଯ୍ୟ କରିବା ବଦଳରେ ଆପଣଙ୍କଠାରୁ ଦୂରେଇ ଯିବେ । ତେଣୁ କୌଣସି ସମୟରେ ମଧ୍ୟ ନିଜର ସମ୍ପତ୍ତି ବିଷୟରେ କାହାକୁ କୁହନ୍ତୁନି।
୪. ଘର କଳି ଘରେ ହିଁ ରଖନ୍ତୁ: କଳି ଝଗଡ଼ା କାହା ଘରେ ବା ନାହିଁ , କୁହାଯାଏ ଘର କରିଥିଲେ ମତାନ୍ତର ମନାନ୍ତର ହୁଏ । ସ୍ୱାମୀ ସ୍ତ୍ରୀ, ଭାଇ ଭାଇ, ବାପ ପୁଅ, ଏମିତି ସମସ୍ତଙ୍କ ଭିତରେ ମନ ମତାନ୍ତର ହୁଏ , ଝଗଡ଼ା ବି ହୋଇଥାଏ । କିନ୍ତୁ ଶାସ୍ତ୍ର କହୁଛି, ନିଜ ଘରର କଳି ଝଗଡ଼ା ସଂପର୍କରେ ବାହାରେ କେଉଁଠି ପ୍ରକାଶ କରନ୍ତୁନି । ଯଦି ନିଜ ଘରର ଝଗଡ଼ା ସଂପର୍କରେ ବାହାର ଲୋକ ଜାଣିଲେ, ତେବେ ଆପଣଙ୍କ ଘରର ସମସ୍ୟା ତ ତାହା ଦ୍ୱାରା ସମାଧାନ ହେବନି। ବରଂ ବାହାର ଲୋକ ଆପଣଙ୍କୁ କୁମନ୍ତ୍ରଣା ଦେଇପାରନ୍ତି ଏବଂ ପଛରେ ଆପଣଙ୍କ ନିନ୍ଦା ଓ ସମାଲୋଚନା କରିପାରନ୍ତି । କିଛି କିଛି ଲୋକ ଆପଣଙ୍କ ସମ୍ମାନହାନି କରିବାକୁ ମଧ୍ୟ ଚେଷ୍ଟା କରିବେ।
୫.ଗୁରୁମନ୍ତ୍ର ଗୁପ୍ତ ରଖନ୍ତୁ: ଯଦି ଆପଣ କେଉଁ ଗୁରୁଙ୍କ ମନ୍ତ୍ର ନେଇଛନ୍ତି ତେବେ ତାକୁ ସବୁବେଳେ ଲୁଚେଇ ରଖନ୍ତୁ। କାହିଁକି ନା ଗୁରୁମନ୍ତ୍ରର ତାତ୍ପର୍ଯ୍ୟ ହେଉଛି ତାକୁ ଲୁଚାଇ ରଖିଲେ ହିଁ ସିଦ୍ଧି ହୋଇଥାଏ । ଗୁରୁଙ୍କ ମନ୍ତ୍ରକୁ ଯଦି ଗୁପ୍ତ ରଖି ଜପ କରାଯାଏ, ତେବେ ତାହା ଫଳପ୍ରଦ ହୋଇଥାଏ। ତେଣୁ ଏହାକୁ ଲୁଚାଇ ରଖିବା ଭଲ ।
୬.ସିକ୍ରେଟ୍ ରଖନ୍ତୁ ସେକ୍ସ ଲାଇଫ: ସ୍ୱାମୀ ସ୍ତ୍ରୀ ମଧ୍ୟରେ ବନ୍ଧୁତା ଓ ପ୍ରେମର ଏକ ମହତ୍ୱପୂର୍ଣ୍ଣ ଉପାୟ ହେଲା, ସଂଗମ ବା ସେକ୍ସ ଲାଇଫ୍। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘଟୁଥିବା ଏ ସବୁ ଘଟଣା ଅତ୍ୟନ୍ତ ବ୍ୟକ୍ତିଗତ । ସେ ବିଷୟରେ ସେମାନେ କାହାକୁ କିଛି କହିବା ଉଚିତ ନୁହେଁ । ସେକ୍ସ ଲାଇଫକୁ ଗୋପନ ରଖିବାକୁ ଉଭୟ ସ୍ୱାମୀ ସ୍ତ୍ରୀ ଚେଷ୍ଟା କରିବା ଉଚିତ , ନହେଲେ ସେମାନଙ୍କୁ ଅକାରଣରେ ଲଜ୍ଜିତ ହେବାକୁ ପଡ଼ିପାରେ । ପରିବାର ଓ ପିଲାମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିପାରେ।
୭.ପଦ ଓ ପ୍ରତିଷ୍ଠାକୁ ନେଇ ଗର୍ବ କରନ୍ତୁନି: ନିଜ ପ୍ରତିଷ୍ଠା ଓ ପ୍ରତିପତ୍ତିକୁ ନେଇ କେବେ ଦେଖେଇ ହୁଅନ୍ତୁନି। ଆପଣଙ୍କ ପ୍ରଭାବକୁ କୌଣସି ବ୍ୟକ୍ତିଗତ ବା ନିଜ ଅହଂକାର ରକ୍ଷା ପାଇଁ କେବେ ବ୍ୟବହାର କରନ୍ତୁନି । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଯଦି କେଉଁ ବଡ ପଦବୀରେ ଆପଣ ଅଛନ୍ତି । ତେବେ ନିଜର ସ୍ୱାର୍ଥ ରକ୍ଷା ପାଇଁ ତାହାର ଅପବ୍ୟବହାର କରନ୍ତୁନି , ନହେଲେ ଏହା ହିଁ ଆପଣଙ୍କ ପତନର କାରଣ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
